୨ ଟଙ୍କାରେ ମିଳିବ ଓ୍ଵାଇ-ଫାଇ !

24

ଦୁଇ ଟଙ୍କା ଭଳି ଶସ୍ତା ଦରରେ ଲୋକମାନେ ଓ୍ଵାଇ-ଫାଇ ସେବା ହାସଲ କରିପାରିବେ। ଭାରତୀୟ ଦୂରସଂଚାର ନିୟାମକ କର୍ତୃପକ୍ଷ (ଟ୍ରାଇ) ଏକ ମହତ୍ୱକାଂକ୍ଷୀ ଯୋଜନା ଉପରେ କାମ କରୁଛି । ଏହା ଦେଶରେ ବ୍ରଡବ୍ୟାଣ୍ଡ୍ ଇଣ୍ଟରନେଟର ବ୍ୟବହାର ବଢ଼ାଇବାକୁ ଚାହୁଁଛି। ସେଥିପାଇଁ ସୁଲଭ ମୂଲ୍ୟରେ କିଭଳି ଓ୍ଵାଇ-ଫାଇ ସଂଯୋଗ ପ୍ରଦାନ କରାଯିବ ସେ ଉପରେ ଆଲୋଚନା ପର୍ଯ୍ୟାଲୋଚନା ଜାରି ରଖିଛି ।

ପୂର୍ବରୁ ଫୋନ୍ ସେବା ପାଇଁ ପ୍ରଚଳିତ ଥିବା ପିସିଓ ମଡେଲ୍ ଆଧାରରେ ପବ୍ଲିକ୍ ଡାଟା ଅଫିସ୍ (ପିଡିଓ) ଖୋଲିବାକୁ ଯୋଜନା ରଖାଯାଇଛି। ପିଡିଓଗୁଡ଼ିକ ଓ୍ଵାଇ-ଫାଇ ସଂଯୋଗ ବଢ଼ାଇବା କାମ କରିବେ। ସେଠାରେ ଲୋକମାନେ ୯୦% କମ୍ ଦରରେ ଅର୍ଥାତ ଦୁଇ ଟଙ୍କା ଭଳି ମୂଲ୍ୟରେ ଓ୍ଵାଇ-ଫାଇ ବ୍ୟବହାର କରିପାରିବେ। ଏଥିପାଇଁ ଟ୍ରାଇ ଏକ ଯୋଜନା ପ୍ରସ୍ତୁତ କରିଛି। ତାହାକୁ ଟେଲିକମ୍ ବିଭାଗ ନିକଟକୁ ପଠାଇ ଦେଇଛି ।

ଯଦି ବିଭାଗ ମଞ୍ଜୁରି ପ୍ରଦାନ କରିବ ତେବେ ପିଡିଓରେ ଲୋକମାନେ ଓ୍ଵାଇ-ଫାଇ ସେବା ହାସଲ କରିବାର ସୁବିଧା ପାଇବେ। ଉଲ୍ଲେଖଯୋଗ୍ୟ, ୧୯୮୦ରେ ଆରମ୍ଭ ହୋଇଥିବା ପିସିଓ ବିପ୍ଳବ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ସୁବିଧାରେ ଟେଲିଫୋନ୍ ସୁବିଧା ପହଞ୍ଚାଇପାରିଥିଲା। ଲୋକମାନେ ପିସିଓର ବହୁତ ବ୍ୟବହାର କରୁଥିଲେ ।