ଆଧାର ମାଗିଲେ ମିଳିବ ଦଣ୍ଡ ! ଆଧାରକାର୍ଡ ପାଇଁ କେହି ଚାପ ପକାଇଲେ ଦେବାକୁ ପଡିପାରେ କୋଟିଏ ଟଙ୍କାର ଜରିମାନା, ଯିବାକୁ ପଡିପାରେ ୧୦ ବର୍ଷ କାଳ ଜେଲ୍

2,796

ଆଧାରକାର୍ଡର ବାଧ୍ୟତାମୂଳକକୁ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାର । ଯେଉଁଥିରେ ମୋବାଇଲ ନମ୍ବର ଏବଂ ବ୍ୟାଙ୍କ ଆକାଉଂଟ ସହିତ ଆଧାର ବ୍ୟବହାରକୁ ଅନୁମତି ମିଳିବ । ସରକାର ଏଥିପାଇଁ ଆଇନରେ ସଂଶୋଧନ ଆଣିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟିରେ ଏହି ନିଷ୍ପତି ନିଆଯାଇଛି । ଏଥିପାଇଁ ଟେଲିଗ୍ରାଫ୍ ଆଇନ ଓ ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟରେ  ସଂଶୋଧନକୁ କ୍ୟାବିନେଟ ମଂଜୁରି ପ୍ରଦାନ କରିଛି । ଘରୋଇ କମ୍ପାନୀଙ୍କ ପାଇଁ ସୁପ୍ରିମକୋର୍ଟ ଗତ ସେପ୍ଟେମ୍ବରରେ ଆଧାର ତଥ୍ୟ ବ୍ୟବହାର ଉପରେ କଟକଣା ଲଗାଇଥିଲେ । ଆଇନରେ ସଂଶୋଧନ ଆସିଲେ ସେମାନଙ୍କ ପାଇଁ ଆଧାର ତଥ୍ୟ ବ୍ୟବହାର ସହଜ ହେବ । ଫଳରେ ମୋବାଇଲ ଫୋନର ନୂଆ ସିମ୍ ନେବା ସହିତ ବ୍ୟାଙ୍କରେ ଆକାଉଂଟ ଖୋଲିବା ପାଇଁ ଗ୍ରାହକମାନେ ସ୍ୱେଚ୍ଛାକୃତ ଭାବେ ୧୨ ଅଙ୍କ ବିଶିଷ୍ଟ ଆଧାର ନମ୍ବର ଦେବା ଲାଗି ଏହି ଆଇନରେ ସଂଶୋଧନ ଅଣାଯିବ ।

ତେଣୁ ଏଣିକି ଯଦି କୌଣସି ବ୍ୟାଙ୍କରେ ଖାତା ଖୋଲିବା ସମୟରେ କିମ୍ବା ସିମକାର୍ଡ କିଣିବା ସମୟରେ କେହି ଆଧାରକାର୍ଡ ଦେବାକୁ ଦାବି କରନ୍ତି କିମ୍ବା ଗ୍ରାହକ ଆଧାରକାର୍ଡ ଦେବାକୁ ଚାହୁଁ ନାହାଁନ୍ତି ତେବେ ସେ ଏହା ବିରୋଧରେ ଅଭିଯୋଗ କରିପାରିବେ । ଆଧାର କାର୍ଡ ଦେବା ପାଇଁ ଚାପ ପକାଉଥିବା ବ୍ୟକ୍ତି ବିଶେଷଙ୍କୁ ଏକ କୋଟି ଟଙ୍କାର ଜରିମାନା ଭରିବାକୁ ହେବ । ଖାଲି ଏତିକି ନୁହେଁ ଏଭଳି କରୁଥିବା କଂପାନୀର କର୍ମଚାରୀଙ୍କୁ ୩ ବର୍ଷରୁ ଆରମ୍ଭ କରି ୧୦ ବର୍ଷ କାଳ ଜେଲଦଣ୍ଡାଦେଶ ବି ହୋଇପାରେ  ।

ଏଠାରେ ଆମେ କହି ରଖୁଛୁ କି, କେନ୍ଦ୍ର ସରକାର ଟେଲିଗ୍ରାଫ୍ ଆଇନ ଓ ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟରେ ସଂଶୋଧନ କରି ଏହି ନିୟମ ପ୍ରସ୍ତୁତ କରିଛନ୍ତି । ସୋମବାର ଦିନ ବସିଥିବା କେନ୍ଦ୍ରୀୟ କ୍ୟାବିନେଟର ବୈଠକରେ ଏହାକୁ ମଂଜୁରୀ ମିଳିଛି । ତେବେ ଏହି ସଂଶୋଧନ ପରେ ଏବେ ଲୋକଙ୍କ ନିକଟରେ ବିକଳ୍ପ ରହିବ । ସେମାନେ ପରିଚୟ ପ୍ରମାଣ ପତ୍ର ପାଇଁ ଆଧାରକାର୍ଡ ସ୍ଥାନରେ ପାସପୋର୍ଟ, ରାସନକାର୍ଡ କିମ୍ବା ଅନ୍ୟ କୌଣସି ଦସ୍ତାବିଜ ଦେଖାଇପାରିବେ । କୌଣସି ବି ସଂସ୍ଥାକୁ ଆଧାର କାର୍ଡ ପାଇଁ ଚାପ ପକାଇବାର ଅଧିକାର ନାହିଁ । ସରକାରଙ୍କ ଏହି ନିଷ୍ପତି ସୁପ୍ରିମକୋର୍ଟ ତରଫରୁ ନିକଟରେ ହୋଇଥିବା ନିର୍ଦ୍ଦେଶ ପରେ ନିଆଯାଇଛି । ଯେଉଥିରେ କୋର୍ଟ କହିଥିଲା କି, ୟୁନିକ୍ ଆଇଡିର ବ୍ୟବହାର କେବଳ ସରକାରୀ ଜନକଲ୍ୟାଣ ଯୋଜନାଗୁଡିକ ପାଇଁ ହିଁ କରାଯିବ ।