ଟିମ୍ ଇଣ୍ଡିଆକୁ ଆଣିବା ପାଇଁ ଯାଇପାରେ ସ୍ୱତନ୍ତ୍ର ବିମାନ । ବାର୍ବାଡୋସରେ ଘୂର୍ଣ୍ଣିଝଡ ‘ବେରିଲ’ରେ ଫସିରହିଛନ୍ତି ଭାରତୀୟ ଖେଳାଳି ।

783

କନକ ବ୍ୟୁରୋ: ଘୁର୍ଣ୍ଣିଝଡ଼ ଭିତରେ ୱେଷ୍ଟଇଣ୍ଡିଜର ବାର୍ବାଡୋସରେ ଫସିଛି ଭାରତୀୟ ଟିମ୍ । ସେମାନଙ୍କୁ ଭାରତ ଫେରାଇ ଆଣିବା ପାଇଁ ବିସିସିଆଇ ପଠାଇପାରେ ସ୍ୱତନ୍ତ୍ର ବିମାନ । ପାଗ ଠିକ୍ ରହିଲେ ସ୍ୱତନ୍ତ୍ର ବିମାନ ସିଧାସଳଖ ଦିଲ୍ଲୀ ପାଇଁ ଉଡାଣ ଭରିପାରେ । ଟିମ୍ ଇଣ୍ଡିଆର ଖେଳାଳିଙ୍କୁ ବାର୍ବାଡୋସରୁ ବାହାରକୁ ବାହାରିବା ପାଇଁ ଆଜି ବିଳମ୍ବିତ ରାତି କିମ୍ବା ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିପାରେ । ଜୁଲାଇ ୩ ତାରିଖ ସୁଦ୍ଧା ଭାରତୀୟ ଖେଳାଳି ସ୍ୱଦେଶ ଫେରିବାର ସମ୍ଭାବନା ରହିଛି ।

ୱେଷ୍ଟଇଣ୍ଡିଜର ବାର୍ବାଡୋସରେ ଏବେ ଘୁର୍ଣ୍ଣିଝଡ ହୁରିକେନ୍ ‘ବେରିଲ’ ବିପଦ । ଏଥିପାଇଁ ସମସ୍ତେ ଘର ଭିତରେ ରହିଛନ୍ତି । ବିମାନ ଚଳାଚଳ ବନ୍ଦ ରହିଛି । ଚଳିତବର୍ଷ ୱେଷ୍ଟଇଣ୍ଡିଜରେ ଏହା ପ୍ରଥମ ବାତ୍ୟା । ଦକ୍ଷିଣ-ପୂର୍ବ କ୍ୟାରିବିଆନ୍ ଆଡ଼କୁ ଆସୁଥିବା ‘ବେରିଲ’ ଏବେ ଶକ୍ତିଶାଳୀ କ୍ୟାଟେଗୋରି-୩ ବାତ୍ୟାରେ ପରିଣତ ହୋଇଛି । ବାର୍ବାଡୋସ୍, ସେଂଟଲୁସିଆ, ଗ୍ରେନାଡା ଏବଂ ସେଂଟ ଭିନସେଂଟ ଏବଂ ଗ୍ରେନେଡାଇନ୍ ସମେତ ଅନେକ ଦ୍ୱୀପରେ ବାତ୍ୟା ସତର୍କ ସୂଚନା ଜାରି କରାଯାଇଛି । ମିଆମିର ନ୍ୟାସନାଲ ହରିକେନ୍ ସେଂଟର ପରିସ୍ଥିତିର ଗମ୍ଭୀରତା ଉପରେ କହିଛି ଯେ ‘ବେରିଲ୍’ ଜୀବନ ପ୍ରତି ବିପଦପୂର୍ଣ୍ଣ ପବନ ଏବଂ ଝଡ଼ ତୋଫାନ ଆଣିବାର ପୂର୍ବାନୁମାନ କରିଛି । ଏହା ଏକ ଅତ୍ୟନ୍ତ ବିପଜ୍ଜନକ ବାତ୍ୟା ।

ବାର୍ବାଡୋସରେ ଭାରତ, ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ବିଶ୍ୱକପ ବିଜୟୀ ହୋଇଥିଲା । ମ୍ୟାଚ ବେଳେ ମଧ୍ୟ ବର୍ଷା ଆଶଙ୍କା ରହିଥିଲା । ଏବେ ବାତ୍ୟା ପାଇଁ ଖେଳାଳିମାନେ ହୋଟେଲ ଭିତରେ ସୁରକ୍ଷିତ ରହିଛନ୍ତି । କେବଳ ଖେଳାଳି ନୁହଁନ୍ତି ମ୍ୟାଚ ରିପୋର୍ଟିଂ ପାଇଁ ଯାଇଥିବା ଅନେକ ସାମ୍ବାଦିକ ମଧ୍ୟ ଏବେ ବାର୍ବାଡୋସରେ ଫସିଥିବା ଜଣାପଡିଛି ।