ଗାଡି ଚାଳକଙ୍କ ପାଇଁ ସତର୍କ ଘଣ୍ଟି ! ନାବାଳକଙ୍କ ଦ୍ୱାରା ଦୁର୍ଘଟଣା ଘଟିଲେ ଦୋଷୀ ହେବେ ଅଭିଭାବକ, ୨୫ ହଜାର ଟଙ୍କା ସହ ୩ ବର୍ଷ କାଳ ଜେଲ ଦଣ୍ଡାଦେଶ

ଆମ୍ବୁଲାନ୍ସକୁ ରାସ୍ତା ନଛାଡିଲେ ଦେବାକୁ ପଡିପାରେ ୧୦ ହଜାର ଟଙ୍କା ଯାଏଁ ଜରିମାନା

1,005

ଏଣିକି ନିୟମ ଭାଙ୍ଗିଲେ ମିଳିବନି ତ୍ରାହୀ । ରାସ୍ତା ଉପରେ ଗାଡି ଚାଳକଙ୍କ ବେପରୁଆ ଢଙ୍ଗରେ ଡ୍ରାଇଭିଂ ଯୋଗୁଁ ପ୍ରତିଦିନ ଅନେକ ଲୋକଙ୍କର ଅକାରଣରେ ମୃତ୍ୟୁ ଘଟୁଛି । ଗାଡି ଚାଳକଙ୍କ ଅସାବଧାନତା ପାଇଁ ପ୍ରତିଦିନ କୌଣସି ନା କୌଣସି ସ୍ଥାନରେ ସଡକ ଦୁର୍ଘଟଣା ଘଟି ଧନଜୀବନ ହାନୀ ଘଟୁଛି । ପ୍ରଶାସନ ପକ୍ଷରୁ ଯେତେବି କଡାକଡି ନିୟମ ବା ଲୋକଙ୍କୁ ସଚେତନତା କରାଗଲେ ମଧ୍ୟ ତାହା କେବଳ ଦିନେ କିମ୍ବା ଦୁଇ ଦିନ ପାଇଁ ମନରେ ରହୁଛି ଆଉ ତା ପରେ ଯେସାକୁ ତେସା । ହେଲେ ଏବେ ଆଉ ଗାଡି ଚାଳକଙ୍କ ମନମାନି ଚଳିବନି । କାହିଁକି ନା ମୋଟର ହ୍ୱିଲର (ସଂଶୋଧନ) ବିଲକୁ ଏବେ ମିଳିଛି କେନ୍ଦ୍ରୀୟ କ୍ୟାବିନେଟର ମଂଜୁରୀ । ଯେଉଁଥିରେ ଟ୍ରାଫିକ୍ ନିୟମ ଉଲ୍ଲଂଘନ ଉପରେ ମୋଟା ଅଙ୍କର ଜରିମାନା ଲଗାଯିବାର ପ୍ରସ୍ତାବ ରହିଛି ।

ଖାଲି ସେତିକି ନୁହେଁ, ଆମ୍ବୁଲାନ୍ସ ଭଳି ଗାଡିକୁ ବି ରାସ୍ତା ନଛାଡିବା ଉପରେ ମଧ୍ୟ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଲଗାଯିବାର ନିୟମ ରହିଛି । ସେହିଭଳି ଆଯୋଗ୍ୟ ଘୋଷିତ କରାଯିବା ସତ୍ୱେ ଗାଡି ଚଲାଇବା ଦ୍ୱାରା ମଧ୍ୟ ଜରିମାନା ବାବଦକୁ ୧୦ ହଜାର ଟଙ୍କା ଦେବାକୁ ପଡିବ ।

ସୂଚନା ମୁତାବକ, ଏହି ବିଲରେ ନାବାଳକଙ୍କୁ ଗାଡି ଚଲାଇବା, ବିନା ଲାଇସେନ୍ସରେ ଗାଡି ଚଲାଇବା, ରେସ୍ ଡ୍ରାଇଭିଂ, ଡ୍ରଙ୍କ ଡ୍ରାଇଭିଂ, ଓଭରସ୍ପିଡ ଏବଂ ଓଭରଲୋଡିଂ ଉପରେ ବି କଡା କାର୍ଯ୍ୟାନୁଷ୍ଠାନ ନେବାର ନିୟମ ରହିଛି । ସେହିଭଳି ଓଲା , ଉବେର ଭଳି ଏଗ୍ରିଗ୍ରେଟର୍ସ ଯଦି ଟ୍ରାଫିକ୍ ନିୟମ ଉଲ୍ଲଂଘନ କରନ୍ତି ତେବେ ସେମାନଙ୍କ ଉପରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗିପାରେ । ତେବେ ଏହି ବିଲର ନିୟମ ୧୮ଟି ରାଜ୍ୟଗୁଡିକର ପରିବହନ ମନ୍ତ୍ରୀମାନଙ୍କ ସିପାରିସ ଦ୍ୱାରା ପର୍ଯ୍ୟବେଶିତ । ଏହି ସୁପାରିସକୁ ସଂସଦର ସ୍ଥାୟୀ ସମିତି ବି ତଦାରଖ କରିଛନ୍ତି ।

ବିନା ହେଲମେଟ ଧରା ପଡିଲେ ୩ ମାସ ପାଇଁ ଲାଇସେନ୍ସ ରଦ୍ଦ

ଓଭରସ୍ପିଡ ପାଇଁ ହଜାରେରୁ ୨ ହଜାର ଟଙ୍କା ଏବଂ ବୀମା ପଲିସି ବିହୀନ ଗାଡି ଚଲାଇଲେ ୨ ହଜାର ଟଙ୍କାର ଜରିମାନା ଲାଗିବ ।

ସେହିଭଳି ବିନା ହେଲମେଟ ଗାଡି ଚଲାଇଲେ ହଜାରେ ଟଙ୍କା ଜରିମାନା ବାବଦକୁ ଦେବାକୁ ହେବ । ଏଥିସହିତ ହିଁ ୩ ମାସ ପାଇଁ ଆପଣଙ୍କର ଡ୍ରାଇଭିଂ ଲାଇସେନ୍ସକୁ ବି ରଦ୍ଦ କରିଦିଆଯିବ ।

୧୮ ବର୍ଷରୁ କମ୍ ପିଲାଙ୍କ ଯଦି ଗାଡି ଚଲାଇବା ସମୟରେ କୌଣସି ଅପରାଧ ତଥା ଦୁର୍ଘଟଣା ଘଟାନ୍ତି ତେବେ ଏଥିପାଇଁ ମାଲିକ -ଅଭିଭାବକଙ୍କୁ ଦୋଷୀ କରାଯିବ । ଏପରିକି ୩ ବର୍ଷ କାଳ ଜେଲ ଦଣ୍ଡାଦେଶ ସହ ୨୫ ହଜାର ଟଙ୍କାର ଜରିମାନା ମଧ୍ୟ ଲଗାଯିବ । ଏଥିସହିତ ହିଁ ରେଜିଷ୍ଟ୍ରେସନ ବି ରଦ୍ଦ କରିଦିଆଯିବ ।

ସେହିଭଳି ଟ୍ରାଫିକ୍ ନିୟମ ଉଲ୍ଲଂଘନ କଲେ ଅତି କମରେ ୧୦୦ ଜାଗାରେ ୫ ଶହ ଟଙ୍କା ଜରିମାନା ଲାଗିବ । ଅଧିକାରୀଙ୍କ ନିର୍ଦ୍ଦେଶ ନମାନିଲେ ୫ଶହ ପରିବର୍ତ୍ତେ ୨ ହଜାର ଟଙ୍କା ଜରିମାନା ବାବଦକୁ ତଣ୍ଡ ଗଣିବାକୁ ହେବ ।

ଯାନବାହନଗୁଡିକୁ ଅବୈଧ କାର୍ଯ୍ୟରେ ବ୍ୟବହାର କଲେ ୫ ହଜାର ଟଙ୍କା ଜରିମାନା ଲଗାଯିବାର ନିୟମ ରହିଛି । ବିନା ଲାଇସେନ୍ସ ଗାଡି ଚଲାଇଲେ ବି ସେତିକି ଟଙ୍କା ଜରିମାନା ବାବଦକୁ ଦେବାକୁ ହେବ ।

ଡିଏନଏ ପ୍ରୋଫାଇଲିଂ ବିଲକୁ ବି ମିଳିଲା ମଂଜୁରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଡିଏନଏ ପ୍ରୋଫାଇଲିଂ ବିଲକୁ ମଧ୍ୟ ମଂଜୁରୀ ମିଳିଛି । ଏଥିରେ କୌଣସି ବି ବ୍ୟକ୍ତିଙ୍କ ପରିଚୟ ପାଇବା ପାଇଁ ଡିଏନଏ ଟେକନ୍ଲୋଜିର ବ୍ୟବହାରର ନିୟମ ରହିଛି । ଏହି ବିଲ ଜାନୁଆରୀରେ ଲୋକସଭାରେ ପ।।ରିତ ହୋଇଯାଇଥିଲା କିନ୍ତୁ ରାଜ୍ୟସଭାରେ ଝୁଲି ରହିଥିଲା । ଯାହାକୁ ଆଗାମୀ ଦିନରେ ସଂସଦରେ ଉପସ୍ଥାପନା କରାଯିବ ।