ବିଦ୍ୟୁତ୍ କାଟ୍ ହେଲେ ଉପଭୋକ୍ତାଙ୍କୁ ମିଳିବ ଟଙ୍କା ! ସରକାରଙ୍କ କଡା ଆଭିମୁଖ୍ୟ, ଏଣିକି ବିଜୁଳି ଗଲେ କଂପାନୀ ଦେବ ଜରିମାନା

71

ଏଣିକି ଅଘୋଷିତ ବିଦ୍ୟୁତ୍ କାଟ ଉପରେ ଲାଗିବ ଜରିମାନା । ଉପଭୋକ୍ତାଙ୍କୁ ନଜଣାଇ ବିଦ୍ୟୁତ୍ କାଟ କଲେ କଂପାନୀ ତଥା ସଂସ୍ଥାକୁ ଗଣିବାକୁ ପଡିବ ମୋଟା ଅଙ୍କର ଜରିମାନା । ତେବେ ଏନେଇ ଉପଭୋକ୍ତାଙ୍କୁ ପ୍ରଥମେ ବିଦ୍ୟୁତ୍ ମନ୍ତ୍ରାଳୟଙ୍କୁ ସୂଚିତ କରିବାକୁ ହେବ ।

ସୂଚନା ମୁତାବକ, ବିଦ୍ୟୁତ୍ ସେବା ଯୋଗାଉଥିବା କଂପାନୀ ଯଦି ଉପଭୋକ୍ତାଙ୍କୁ ନ ଜଣାଇ ବିଦ୍ୟୁତ୍ କାଟ୍ କରନ୍ତି ତେବେ ଏଥିପାଇଁ କଂପାନୀକୁ ଜରିମାନା ଦେବାକୁ ପଡିବ । ସେହିପରି ଯଦି କୌଣସି ଯାନ୍ତ୍ରିକ ତ୍ରୁଟି କାରଣରୁ ବିଦ୍ୟୁତ୍ କାଟ୍ ହୋଇଥାଏ ତେବେ କଂପାନୀକୁ ଏଥିପାଇଁ କୌଣସି ଜରିମାନା ଦେବାକୁ ପଡିବ ନାହିଁ । ଏନେଇ ଉପଭୋକ୍ତା ସିଧାସଳଖ ବିଦ୍ୟୁତ୍ ମନ୍ତ୍ରାଳୟଙ୍କୁ ସୂଚିତ କରିପାରିବେ । ତେବେ ଦେଶରେ ବିଜୁଳି ଚୋରିକୁ ରୋକିବା ଉଦ୍ଦେଶ୍ୟରେ ସରକାର ନିୟମରେ ସଂଶୋଧନ କରି ଜରିମାନା ରାଶିକୁ ଏକ କୋଟି ଟଙ୍କାକୁ ବୃଦ୍ଧି କରିବାକୁ ନିଷ୍ପତି ନେଇଛନ୍ତି ।

ସରକାର ଖୁବ୍ ଶୀଘ୍ର ବିଦ୍ୟୁତ୍ ଆକ୍ଟ,୨୦୦୩ରେ ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଏଥିପାଇଁ ଡ୍ରାଫ୍ଟ ମଧ୍ୟ ଜାରି ହୋଇସାରିଛି । ଯେଉଁଥିରେ ବିଦ୍ୟୁତ କଂପାନୀମାନଙ୍କୁ ନୂଆ ଡ୍ରାଫ୍ଟ ଅନୁସାରେ ୪୦ ଦିନ ଭିତରେ ଜବାବ ରଖିବାକୁ ପଡିବ । ଏହା ପୂର୍ବରୁ ୨୦୧୪ରେ ଏହି ନିୟମକୁ କଡାକଡି କରାଯିବାକୁ ଅନେକ ପ୍ରଚେଷ୍ଟ କରାଯାଇଥିଲା । ନୂଆ ପ୍ରସ୍ତାବ ମୁତାବକ, ଫ୍ୟାକ୍ଟ୍ରିରେ ବିଜୁଳି ଚୋରି କରୁଥିବା ବ୍ୟକ୍ତିବିଶେଷଙ୍କଠାରୁ ୫୦ ହଜାର ଟଙ୍କା ପ୍ରତି କିଲୋୱାଟ ଜରିମାନା ଆଦାୟ କରାଯିବ । କାରଣ ପୂର୍ବରୁ ଏହି ରାଶି ୨୦ ହଜାର ଟଙ୍କା ପ୍ରତି କିଲୋୱାଟ ପିଛା ଥିଲା । ଏଥିସହିତ ହିଁ ଛୋଟ ଦୋକାନୀ ତଥା ବ୍ୟବସାୟୀଙ୍କଠାରୁ ୩୦ ହଜାର ଟଙ୍କା ପ୍ରତି କିଲୋୱାଟ ଜରିମାନା ଆଦାୟ କରିବାର ନିୟମ କଡାକଡି କରିଛନ୍ତି । ସେହିପରି ଜରିମାନା ନଦେବା ବ୍ୟକ୍ତିବିଶେଷଙ୍କଠାରୁ ୧ କୋଟି ଟଙ୍କା ଆଦାୟ କରାଯିବ ।

ସେହିପରି ବିଦ୍ୟୁତ୍ କଂପାନୀମାନଙ୍କ ଉପରେ ବି ସରକାର ଜରିମାନା ଲାଗୁ କରିବାକୁ ଯାଉଛନ୍ତି । ଏହି ଜରିମାନା କଂପାନୀମାନଙ୍କ ଉପରେ ଅଘୋଷିତ ବିଦ୍ୟୁତ୍ କାଟ୍ ଉପରେ ଲାଗୁ କରାଯିବ । ଏଥିସହିତ ହିଁ ବିଦ୍ୟୁତ୍ କାଟ୍ ହେବା ଦ୍ୱାରା ଉପଭୋକ୍ତା ସିଧାସଳଖ ବିଦ୍ୟୁତ୍ ମନ୍ତ୍ରାଳୟକୁ ସୂଚିତ କରିପାରିବେ ।