ସୁରକ୍ଷାକର୍ମୀଙ୍କ ମାନବିକତା ! ବାଉଁଶ ଭାର କରି ରୋଗୀକୁ ବୋହିଲେ ୭ କିଲୋମିଟର

33

ଗୁଳିଗୋଳାର ଅଂଚଳ ଛତିଶଗଡ଼ । ଯାହାର ନାଁ ଶୁଣିଲେ ମନ ଭିତରେ ଚାଲିଆସେ ମାଓବାଦୀ ଏବଂ ସିଆରପିଏଫ୍ ଯବାନଙ୍କ ମଧ୍ୟରେ ଚାଲିଥିବା ମୁହାଁମୁହିଁ ପରିସ୍ଥିତି । ତେବେ ଏହି ଯବାନମାନେ ନା କେବଳ ମାଓଦମନ ପାଇଁ କାମ କରନ୍ତି ତାହା ନୁହେଁ ବରଂ ଗରିବ ଆଦିବାସୀମାନଙ୍କ ସୁଖଦୁଃଖର ସାଥୀ ମଧ୍ୟ ହୋଇଥାନ୍ତି ଆଉ ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଦାନ୍ତେୱାଡା ଅଂଚଳରେ ।

ଜାତୀୟ ଗଣମାଧ୍ୟମ ଏବିପିରେ ପ୍ରକାଶିତ ଖବର ମୁତାବକ, ଦାନ୍ତେୱାଡା ଜିଲ୍ଲାର କଟକଲ୍ୟାଣ ଥାନା ଅନ୍ତର୍ଗତ ବୁଡେନ ନାମକ ଜଙ୍ଗଲକୁ ନିକଟରେ ଶତାଧିକ ସିଆରପିଏଫ୍ ବାଟାଲିୟନ କମ୍ବିଂ କରିବାକୁ ଯାଇଥିଲେ । ତେବେ ମାଓପ୍ରବଣ ଏବଂ ନଦୀ ପାହଡରେ ପରିପୂର୍ଣ୍ଣ ଏହି ଅଂଚଳରେ ମାଓ ଶିବିର ଥିବା ନେଇ ଖବର ପାଇବା ପରେ ଯବାନମାନେ ସର୍ଚ୍ଚ ଅପରେସନ କରିଥିଲେ । ହେଲେ ଯବାନଙ୍କ ଆସିବା ଖବର ପାଇ ସେଠାରେ ଥିବା ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ । ପରେ ଯବାନମାନେ ସର୍ଚ୍ଚ ଅପରେସନ ସାରି ଫେରିଥିବା ସମୟରେ ଜଙ୍ଗଲ ମଧ୍ୟରେ ଥିବା ଏକ ଛୋଟ ଗାଁରେ ପହଂଚିଥିଲେ । ଆଉ ସେମାନଙ୍କ ଆଖି ପଡିଥିଲା ଗାଁଠାରୁ ଖଣ୍ଡିଏ ଦୂରରେ ଥିବା ଏକ ପାଲଟଣା ଘର ଉପରେ ।

ସନ୍ଦେହରେ ଯବାନମାନେ ସେହି ଘର ଭିରକୁ ଯାଇଥିଲେ ଆଉ ସେଠାରେ ସେମାନେ ଜଣେ ରୋଗୀଣା ମହିଳାଙ୍କୁ ଯନ୍ତ୍ରଣାରେ ଛଟପଟ ହେଉଥିବାର ଦେଖିଥିଲେ । ତେବେ ମହିଳା ଜଣକ ସେଠାରେ ପାଖାପାଖି ୧୦ ଦିନ ହେଲା ରୋଗରେ ସେଭଳି ଛଟପଟ ହେଉଥିବା ଜାଣିବାକୁ ପାଇଥିଲେ ପୀଡିତ ଥିଲେ ହେଲେ ଏଭଳି ଦୁର୍ଗମ ଅଂଚଳରେ ନା ଥିଲା ସେଭଳି କୌଣସି ଯିବାଆସିବାର ବ୍ୟବସ୍ଥା ନା ଡାକ୍ତରଖାନା । ଅନ୍ୟପଟେ ବର୍ଷା କାରଣରୁ ଗାଁ ନିକଟରେ ଥିବା ନଦୀଟି ଭାରପାଣିରେ ରହିଥିଲା । ଯାହାଦ୍ୱାରା କି ମହିଳା ଜଣଙ୍କ ନଦୀ ପାର ହୋଇ ଚିକିତ୍ସାଳୟ ଯିବାକୁ ସାହସ ଜୁଟାଇ ପାରିନଥିଲେ ।

ମାତ୍ର ଏଭଳି ପରିସ୍ଥତିରେ ଦେବଦୂତ ସାଜିଥିଲେ ଏହି ଯବାନମାନେ । ଏକ ବାଉଁଶର ଭାର କରି ଯବାନମାନେ ସଂପୃକ୍ତା ମହିଳାଙ୍କୁ କାନ୍ଧରେ ବୋହି ପାଖାପାଖି ୭ କିଲୋମିଟର ପାଣିକାଦୁଅ ରାସ୍ତା ଅତିକ୍ରମ କରି ନିକଟସ୍ଥ କଟକଲ୍ୟାଣକୁ ଆଣି ୧୦୮ ଆମ୍ବୁଲାନ୍ସ ସହାୟତାରେ ଡାକ୍ତରଖାନାକୁ ପଠାଇଥିଲେ ଆଉ ସୁରକ୍ଷାକର୍ମୀଙ୍କ ଏହି ମାନବିକତା କାରଣରୁ ମହିଳା ଜଣଙ୍କ ଜୀବନ ବଂଚିଯାଇଥିଲା । ତେବେ ଯବାନମାନଙ୍କର ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରୁ ପ୍ରଶଂସା ମଧ୍ୟ କରାଯାଇଛି ।

ଏଠାରେ ଆମେ କହିରଖୁଛୁ କି, ମାଲକାନଗିରି ଏବଂ ଛତିଶଗଡ଼ ସୀମାରେ ପାଖାପାଖି ୩୦ ବାୟାଲିୟନ ସିଆରପିଏଫ୍ ଓ ବିଏସଏଫ ଯବାନ ମୁତୟନ ହୋଇଛନ୍ତି ଏବଂ ମାଓବାଦୀଙ୍କ ଦମନ କରିବା ହେଉଛି ଏମାନଙ୍କ ମୁଖ୍ୟ କାମ ।