ସୀମା ଉପରେ ରହିବ ସ୍ୱତନ୍ତ୍ର ନଜର । ଉପଗ୍ରହ ମାଧ୍ୟମରେ ଶତ୍ରୁଙ୍କ ଉପରେ ରହିବ ତୀକ୍ଷ୍ଣ ନଜର

287

କନକ ବ୍ୟୁରୋ : ମହାକାଶରୁ ରହିବ ସୀମା ଉପରେ ନଜର । ପଡୋଶୀ ପାକିସ୍ତାନ- ଚୀନ ଓ ନେପାଳ ଭାରତ ସହିତ ସୀମା ବିବାଦ ଭିତରେ ସୁରକ୍ଷା ଏଜେନ୍ସି ଏବେ ଦେଶକୁ ସୁରକ୍ଷା ନେଇ ଦେଇଛି ଏପରି ଜରୁରୀ ପରାମର୍ଶ । ଭାରତୀୟ ସୀମାର ସୁରକ୍ଷା ପାଇଁ ଆବଶ୍ୟକ ୬ ଟି ଉପଗ୍ରହ । ଯାହାକି କେବଳ ଦେଶର ସୀମା ଉପରେ ଆଖି ରଖିବ । ବର୍ତମାନ ଲଦାଖ ସୀମାରେ ପ୍ରତ୍ୟକ ମୁହୂର୍ତରେ ଚୀନ ସେନା ଯେପରି ରଣନୀତି ବଦଳାଉଛି ଏହାର ମୁକାବିଲା କରିବାକୁ ଭାରତକୁ ଏପରି କିଛି ଉପଗ୍ରହର ଆବଶ୍ୟକତା ଥିବା କଥା କହିଛି ସୁରକ୍ଷା ସଂସ୍ଥାନ । ଚୀନ୍ ସୀମାକୁ ଲାଗି ରହିଛି ଭାରତର ୪ ହଜାର କିଲୋମିଟରର ସୁଦୀର୍ଘ ଲାଇନ ଅଫ୍ ଆକଚୁଆଲ୍ କଂଟ୍ରୋଲ ।

ତେଣୁ ଏହା ଉପରେ ସଠିକ୍ ଓ ଟିକନିଖ୍ ନଜରରଖିବାକୁ ଅତି କମରେ ୪ରୁ ୬ଟି ଉପଗ୍ରହର ଆବଶ୍ୟକତା ରହିଛି । ଯାହାକି ଶତ୍ରୁ ପକ୍ଷର ସମସ୍ତ ସୀମାନ୍ତ ରଣନୀତି ଏବଂ ସୈନ୍ୟ ପରିଚାଳନା ଉପରେ ସଫଳତାର ସହିତ ନଜର ରଖିବ । ଗତ ଜୁନ୍ ୧୫ ମଧ୍ୟରାତ୍ରିରେ ଗଲୱାନ ଘାଟିରେ ଅତର୍କିତ ଚୀନ ସେନା ଆକ୍ରମଣରେ ସହିଦ ହୋଇଥିଲେ ୨୦ ଭାରତୀୟ ଜବାନ । ଏହି ଘଟଣା ପରଠାରୁ ଚୀନ୍ ସୀମାନ୍ତରେ ସୈନ୍ୟ ଠୁଳ କରୁଛି । ସୈନ୍ୟ ପ୍ରତ୍ୟାହାର ବଦଳରେ ବିବାଦୀୟ ଏଲଏସିରେ ୪୦ ହଜାର ସୈନ୍ୟ ଠୁଳ କରିଥିବା ଗୁଇନ୍ଦା ସୂତ୍ରରୁ ଜଣାପଡିଛି ।

ଏହାସହିତ ଭାରତୀୟ ସୀମା ସଂଲଗ୍ନ ଅଂଚଳକୁ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ମଧ୍ୟ ପଠାଇ ସୈନ୍ୟ ଠୁଳ କରୁଛି । ତେଣୁ ଭାରତକୁ ଏହାର ସୀମାନ୍ତ ଅଂଚଳର ସଠିକ୍ ସୁରକ୍ଷା ପାଇଁ ସେନା ପାଇଁ ସମର୍ପିତ ଥିବା ୬ଟି ଉପଗ୍ରହର ଆବଶ୍ୟକତା ରହିଛି । ଏହି ଉପଗ୍ରହ ଗୁଡିକରେ ଅତି ଉଚ୍ଚ କ୍ଷମତା ସଂପନ୍ନ କ୍ୟାମେରା ସହ ସେନସର ଲଗାଯିବ । ତାହା ବଳରେ ମହାକାଶରୁ ସୀମା ଉପରେ ନଜର ରଖିବ ଭାରତ ।