କରୋନା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା : ପେନ୍‌ସନ୍‌ଭୋଗୀଙ୍କ ଅନୁପସ୍ଥିତିରେ ଦିଆଯିବ ପେନ୍‌ସନ୍‌

394

କନକ ବ୍ୟୁରୋ : କୋଭିଡ୍‌-୧୯ ମହାରୀର କଠିନ ସମୟରେ ପେନ୍‌ସନ୍‌ଭୋଗୀଙ୍କ ପାଇଁ ସରକାର ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି । ପ୍ରଥମ ଥର ପାଇଁ ପେନ୍‌ସନ୍ ଗ୍ରହଣକାରୀଙ୍କ ଅନୁପସ୍ଥିତି‌ର ଗ୍ରାଚ୍ୟୁଇଟି ଓ କମ୍ୟୁଟେଡ୍‌ ପେନ୍‌ସନ୍‌ ପ୍ରଦାନ ପାଇଁ ନିଷ୍ପତ୍ତି ନିଆଯାଇଛି । ଏହି ସମୟସୀମାକୁ ୨୦୨୧ ମେ’ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ସେହିପରି ବାର୍ଷିକ ଜୀବନ ପ୍ରମାଣପତ୍ର, ପୁନଃବିବାହ ଓ ଅବିବାହିତ ସମ୍ବନ୍ଧୀୟ ଘୋଷଣାନାମା ସହ ବାର୍ଷିକ ନିୟୋଜନ ସମ୍ବନ୍ଧୀୟ ପ୍ରମାଣପତ୍ର ଦାଖଲ ପାଇଁ ସମୟସୀମାକୁ ୨୦୨୦ ନଭେମ୍ବରରୁ ୨୦୨୧ ମେ’ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

ପେନ୍‌ସନ୍‌ଭୋଗୀମାନେ ନିଜର ସ୍ୱାସ୍ଥ୍ୟର ସୁରକ୍ଷା ଦୃଷ୍ଟିରୁ ଓ ରାଜ୍ୟ ସରକାରଙ୍କ କୋଭିଡ୍‌ ନିୟମ ପାଳନ ନିମନ୍ତେ ନିଜର ବାର୍ଷିକ ଜୀବନ ପ୍ରମାଣ ୨୦୨୦ ନଭେମ୍ବର ପରିବର୍ତ୍ତେ ୨୦୨୧ ମେ’ ମାସରେ ନିଜର ପେନ୍‌ସନ୍‌ ପ୍ରଦାନକାରୀ ସଂସ୍ଥା (ଟ୍ରେଜେରି, ବ୍ୟାଙ୍କ)ରେ ପ୍ରଦାନ କରିବାକୁ ଅର୍ଥ ବିଭାଗ ଅନୁରୋଧ କରିଛି । କରୋନା ସମୟରେ ରାଜ୍ୟ ସରକାରଙ୍କ ୫-ଟି ଓ ‘ମୋ ସରକାର’ ସୂତ୍ର ଅଧୀନରେ ପେନ୍‌ସନ୍ ତଥା ପରିବାର ପେନ୍‌ସନ୍‌ଭୋଗୀଙ୍କୁ ହାତ ପାହାନ୍ତାରେ ସେବା ଯୋଗାଇ ଦେବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି ବୋଲି ଅର୍ଥ ବିଭାଗ ପକ୍ଷରୁ କୁହାଯାଇଛି।