ଭୋଳା ପାଇଁ ଭୋଜି । ଷଣ୍ଢର ଏକାଦଶାହରେ ସ୍ୱତନ୍ତ୍ର ଆୟୋଜନ । ଆୟୋଜନ ହେଲା ଭୋଜିଭାତ

99

କନକ ବ୍ୟୁରୋ: ରାଜଧାନୀରେ ଷଣ୍ଢର ଏକାଦଶାହ ପାଳନ ଏବେ ସାରା ସହରରେ ଚର୍ଚ୍ଚା ସୃଷ୍ଟି କରିଛି । ନିଳାଦ୍ରିବିହାର ଅଞ୍ଚଳର ଜଣେ ବ୍ୟକ୍ତି ନିଜ ପାଳିତ ଷଣ୍ଢର ମୃତ୍ୟୁ ପରେ ଶୁଦ୍ଧିକ୍ରିୟା କରିଛନ୍ତି । ଏଥିରେ ହୋମ ଯଜ୍ଞ, ନାମ ସଙ୍କୀର୍ତନ ସହ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ଶୁଦ୍ଧିକ୍ରିୟାରେ ସାମିଲ ହେବାକୁ ସେ ନିଜ ସଂପର୍କୀୟ ଓ କଲୋନୀର ଲୋକଙ୍କୁ କାର୍ଡ ବାଣ୍ଟି ନିମନ୍ତ୍ରଣ କରିଥିଲେ । କାର୍ଯ୍ୟକ୍ରମରେ ସାମିଲ ହୋଇ ଲୋକେ ମୃତ ଷଣ୍ଢର ଆତ୍ମାର ସଦଗତି କାମନା କରିଛନ୍ତି ।

  • ଭୋଳା ପାଇଁ ଭୋଜି
  • ରାଜଧାନୀରେ ଷଣ୍ଢର ଶୁଦ୍ଧିକ୍ରିୟା

ଭୋଳାର ଆତ୍ମାର ସଦଗତି କାମନା କରି ଶୁଦ୍ଧିକ୍ରିୟା କରାଯାଇଛି । ହେଲେ ଏଠାରେ ଭୋଳା କୌଣସି ବ୍ୟକ୍ତିର ନାଁ ନୁହେଁ, ଗୋଟିଏ ଷଣ୍ଢର ନାଁ । ଷଣ୍ଢର ଶୁଦ୍ଧିକ୍ରିୟା କଥାଟି ଶୁଣିବାକୁ ଅଡୁଆ ଲାଗୁଥିଲେ ମଧ୍ୟ ସତ । ଷଣ୍ଢର ଫଟୋରେ ଫୁଲ ଦେଇ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଛି । ହୋମ ଯଜ୍ଞ ସହ ନାମ ସଂକୀର୍ତନ ମଧ୍ୟ ହୋଇଛି । ଭୋଳାର ମୃତ୍ୟୁ ପରେ ମାଲିକ ସୁନାକର ସ୍ୱାଇଁ ଏଭଳି ଆୟୋଜନ କରିଛନ୍ତି । ଶୁଦ୍ଧି କ୍ରିୟାରେ ସାମିଲ ନିମନ୍ତ୍ରିତ ଅତିଥୀଙ୍କୁ ଭୋଜି ଦିଆଯାଇଛି । ଭୋଳାର ଏହି ଏକାଦଶାହରେ ସାମିଲ ହୋଇଥିଲେ ସୁନାକରଙ୍କ ସଂପର୍କୀୟ, କୋଲୋନୀ ବାସିନ୍ଦାଙ୍କ ସହ କିଛି ଗାଈଗୋରୁ । ଭୁବନେଶ୍ୱର ନିଳାଦ୍ରୀବିହାର ଅଞ୍ଚଳର ଡିଫେନ୍ସ କଲୋନୀରେ ଷଣ୍ଢର ଶୁଦ୍ଧିକ୍ରିୟା ଆୟୋଜନକୁ ନେଇ ସହର ସାରା ଚର୍ଚ୍ଚା ଚାଲିଛି ।

ଷଣ୍ଢ ଭୋଳାକୁ ସବୁ ବେଳେ ଘରେ ରଖୁଥିଲେ ସୁନାକର । ପରିବାରର ସଦସ୍ୟ ହୋଇରହିଥିଲା ଭୋଳା । ଅକ୍ଟୋବର ୨ ତାରିଖରେ ତାର ଦେହାନ୍ତ ହୋଇଯାଇଥିଲା । ମଣିଷର ମୃତ୍ୟୁ ପରେ ଯେମିତି ଏକାଦଶାହ, ଶୁୁଦ୍ଧିକ୍ରିୟା କରାଯାଏ, ସେମିତି ଆୟୋଜନ କରିବାକୁ ମନ ବଳାଇଥିଲେ ସୁନାକର । ଏଥିପାଇଁ ନିମନ୍ତ୍ରଣ କାର୍ଡ ଛାପି, ସଂପର୍କୀୟ ଓ କଲୋନୀ ବାସିନ୍ଦାଙ୍କୁ ବାଣ୍ଟିଥିଲେ । ଆଉ ଲୋକେ ମଧ୍ୟ ଏଥିରେ ସାମିଲ ହୋଇଥିଲେ ।ତେବେ ପାଳିତ ଷଣ୍ଢର ମୃତ୍ୟୁ ପରେ ତା ଆତ୍ମାର ସଦଗତି କାମନା କରି ଶୁଦ୍ଧିକ୍ରିୟାର ଆୟୋଜନ ନିଶ୍ଚିତ ଭାବେ ମଣିଷ ସମାଜକୁ ଭିନ୍ନ ବାର୍ତ୍ତା ଦେଉଛି ।