କଥାରେ ଅଛି ସେ ଯେତେ ବଡ ଲଢେଇ ହୋଇଥାଉ ନା କାହିଁକି ଭାଇକୁ ଯଦି କୌଣସି ବିପଦ ଆସେ ତେବେ ଆଉ ଜଣେ ଭାଇ ତାକୁ ସାମ୍ନା କରିବାକୁ ଆଗେଇ ଆସିଥାଏ । ଯାହାର ଏକ ବଡ ଉଦାହରଣ ହେଉଛି ଅମ୍ବାନୀ ପରିବାର । ଅନୀଲ ଅମ୍ବାନୀ ଏବଂ ମୁକେଶ ଅମ୍ବାନୀ ସଂପର୍କରେ ଦୁଇ ଭାଇ । ହେଲେ ଧୀରୂଭାଇ ଅମ୍ବାନୀଙ୍କ ମୃତ୍ୟୁ ପରେ ଉଭୟ ମନରେ ପରସ୍ପର ପ୍ରତି ତିକ୍ତତା ଚାଲିଆସିଥିଲା । ଯେଉଁ କାରଣରୁ ଉଭୟେ ମନ ଭିତରୁ ବହୁ ଦୂରକୁ ଚାଲିଯାଇଥିଲେ । ହେଲେ ରକ୍ତ ରକ୍ତକୁ ଟାଣିଥାଏ । ଯେତେବେଳେ ସାନ ଭାଇ ଅନୀଲ ଅମ୍ବାନୀ ଦେବାଳିଆ ପରିସ୍ଥିତିକୁ ଚାଲି ଆସିଥିଲେ ସେତେବେଳେ ମୁକେଶ ଏକ ବଡ ଭାଇର କର୍ତବ୍ୟ ପାଳନ କରିଥିଲେ । ଏଭଳି ପରିସ୍ଥିତିରେ ସେ ଅତୀତର ସବୁ ରାଗରୁଷାକୁ ଭୁଲି ଯାଇ ସାନ ଭାଇକୁ ସାହାର୍ଯ୍ୟ କରିବାକୁ ଆଗେଇ ଆସିଥିଲେ । ଆଉ ସାନ ଭାଇର ସମ୍ନାକୁ ତଳେ ପକାଇବାକୁ ଦେଇନଥିଲେ ।
ଆଜ୍ଞା ହଁ ! ସାନ ଭାଇ ତଥା ଅନୀଲ ଅମ୍ବାନୀଙ୍କର ବ୍ୟବସାୟ ରିଲାଏନ୍ସ କମ୍ୟୁନିକେଶନକୁ ବୁଡୁ ବୁଡୁ ବଂଚାଇଥିଲେ ବଡ ଭାଇ ମୁକେଶ ଅମ୍ବାନୀ । ସାନ ଭାଇ କାଳେ କାଙ୍ଗାଳ ହୋଇଯିବ , ଏକଥା ଭାବି ସେ ରିଲାଏନ୍ସ କମ୍ୟୁନିକେସନ ତଥା ଆରକମକୁ କିଣିଥିଲେ । ଆଉ ଭାଇର କଂପାନୀକୁ ବୁଡିବାରୁ ବଂଚାଇଥିଲେ । ଆଉ ସାନ ଭାଇ ବି କୌଣସି କମ୍ ନୁହେଁ , ଅର୍ଥରେ ସେ ସିନା ଗରିବ ହୋଇପଡିଥିଲେ ହେଲେ ହୃଦୟରେ ସେ ବି ଥିଲେ ମୁକେଶଙ୍କଠାରୁ ବଡ ଧନୀ । ଖରାପ ପରିସ୍ଥିତିରେ ବଡ ଭାଇର ସହଯୋଗକୁ ସେ ସର୍ବ ସମ୍ମୁଖରେ ସ୍ୱୀକାର କରିଥିଲେ ଆଉ ଭାଇ ମୁକେଶଙ୍କୁ କୃତଜ୍ଞତା ଜଣାଇଥିଲେ ।
ଏଠାରେ ଆମେ କହି ରଖୁଛୁ କି, ଅନିଲ ଅମ୍ବାନିଙ୍କ ମୋବାଇଲ୍ କଂପାନି ରିଲାଏନ୍ସ କମ୍ୟୁନିକେସନର ୫୧% ଅଂଶଧନ ଉପରେ କଂପାନିକୁ ଋଣ ପ୍ରଦାନ କରିଥିବା ବ୍ୟାଙ୍କମାନଙ୍କ କବଜାରେ ଥିଲା । ଅନିଲଙ୍କ ପାଇଁ ଏହି କଂପାନିର ୧୭୦୦୦ କୋଟି ଟଙ୍କାର ଋଣ ସବୁଠୁ ବଡ଼ ମୁଣ୍ଡବ୍ୟଥା ଭାବେ ଉଭା ହୋଇଥିଲା । ଏୟାରସେଲ୍ ସହିତ ମିଶ୍ରଣ ଉଦ୍ୟମ ବିଫଳ ହେବା ପରେ ତାଙ୍କ ପାଖରେ ଅଧିକ କିଛି ବିକଳ୍ପ ନଥିଲା। ତେଣୁ ସେ ରିଲାଏନ୍ସ କମ୍ୟୁନିକସେନର ୫୧% ଅଂଶଧନ ଋଣ ପ୍ରଦାନକାରୀ ସଂସ୍ଥାଗୁଡ଼ିକୁ ପ୍ରଦାନ କରିବା ଉପରେ ବିଚାର କରିଥିଲେ।
ବ୍ୟାଙ୍କଗୁଡ଼ିକ କଂପାନିକୁ ଯେଉଁ ଋଣ ଦେଇଥିଲେ ତାହାକୁ ଇକ୍ୱିଟି ସେୟାରରେ ପରିବର୍ତ୍ତନ କରିଥିଲେ । ରିଲାଏନ୍ସ କମ୍ୟୁନିକେସନର ସମ୍ପତ୍ତିକୁ ବିକ୍ରି କରି ଅର୍ଥରାଶି ଫେରିପାଇବାକୁ ବ୍ୟାଙ୍କଗୁଡ଼ିକ ଉଦ୍ୟମ କରିଥିଲେ । ନିଲାମ ଜରିଆରେ କଂପାନିର ସମ୍ପତ୍ତି ବିକ୍ରି କରାଯାଇଥିଲା । ନିଲାମ ପ୍ରକ୍ରିୟାରେ ଅନିଲଙ୍କ ବଡ଼ ଭାଇ ମୁକେଶ ଅମ୍ବାନିଙ୍କ କଂପାନି ରିଲାଏନ୍ସ ଜିଓ ଭାଗ ନେଇ ସାନ ଭାଇ ତଥା ଅନୀଲଙ୍କ ଦେବାଳିଆ ଅବସ୍ଥାରେ ଥିବା କଂପାନୀକୁ କିଣିଥିଲେ ଏବଂ ଭାଇକୁ ଆଶ୍ୱାସନା ଦେଇଥିଲେ ।