କନକ ବ୍ୟୁରୋ : ଆମେରିକା ରାଷ୍ଟ୍ରପତିଙ୍କ ସହ ଭାରତ ମାଟିରେ ଓହ୍ଲାଇଥିଲା ତାଙ୍କ ସ୍ୱତନ୍ତ୍ର ବିମାନ । କୁହାଯାଉଛି ଆମେରିକାର ସର୍ବ ଶକ୍ତିମାନ ନେତା ଯୁଆଡେ ଯାଆନ୍ତି, ତାଙ୍କ ସାଙ୍ଗରେ ଯାଏ ତାଙ୍କ ଅଫିସ । କାରଣ ରାଷ୍ଟ୍ରପତି ଟ୍ରମ୍ପ ଆସିଥିବା ସ୍ୱତନ୍ତ୍ର ବିମାନ ଏୟାରଫୋର୍ସ ୱାନକୁ, ଚଳନ୍ତା ହ୍ୱାଇଟ ହାଉସ ବୋଲି ମଧ୍ୟ କୁହାଯାଏ । ଅତ୍ୟାଧୁନିକ ସୁରକ୍ଷା ଉପକରଣ ସହିତ ଏହି ବିମାନରେ ରହିଛି ଆମେରିକା ରାଷ୍ଟ୍ରପତିଙ୍କ କାମ କରିବା ଓ ବିଶ୍ରାମ ନେବା ପାଇଁ ସୁବିଧା ।
ଆମେରିକା ରାଷ୍ଟ୍ରପତିଙ୍କ ସ୍ୱତନ୍ତ୍ର ବିମାନ । ଚଳନ୍ତା ହ୍ୱାଇଟ୍ ହାଉସ, ଏୟାରଫୋର୍ସ ୱାନ୍ । ନିର୍ଦ୍ଧାରିତ ସମୟ ଦିନ ୧୧ଟା ୪୦ରେ ଅହମ୍ମଦାବାଦ ବିମାନ ବନ୍ଦରରେ ପହଂଚିଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ରାଷ୍ଟ୍ରପତି ଭାରତରେ ପହଂଚିବା କ୍ଷଣି ନଜରକୁ ଆସିଥିଲା ଆମେରିକା ବାୟୁସେନାର ଏହି ସ୍ୱତନ୍ତ୍ର ବିମାନ ଏୟାରଫୋର୍ସ ୱାନ । ଯାହାକୁ ଚଳନ୍ତା ହ୍ୱାଇଟ ହାଉସ ବୋଲି ମଧ୍ୟ କୁହାଯାଉଛି । ପକ୍ଷୀ ବି ଛୁଇଁ ପାରୁନଥିବା ଆମେରିକା ରାଷ୍ଟ୍ରପତିଙ୍କ ଏହି ସ୍ୱତନ୍ତ୍ର ବିମାନରେ ରହିଛି ତମାମ ସୁବିଧା ସୁଯୋଗ ।
ଆମେରିକା ରାଷ୍ଟ୍ରପତିଙ୍କ ସ୍ୱତନ୍ତ୍ର ବିମାନ
- ପ୍ରେସିଡେନସିଆଲ ଏୟାରଲିଫ୍ଟ ଗ୍ରୁପ ନିକଟରେ ରହିଛି ଏୟାରଫୋର୍ସ ୱାନର ପରିଚାଳନା ଦାୟିତ୍ୱ
- ଆମେରିକା ହ୍ୱାଇଟ ହାଉସ ସେନା ଅଫିସର ଏକ ଅଙ୍ଗ ହେଉଛି ପ୍ରେସିଡେନସିଆଲ ଏୟାରଲିଫ୍ଟ ଗ୍ରୁପ
- ୧୯୪୪ରେ ତତକାଳୀନ ଆମେରିକା ରାଷ୍ଟ୍ରପତି ଫ୍ରାଙ୍କଲିନ ଡି. ରୁଜଭେଲ୍ଟ ଏହାକୁ ପ୍ରତିଷ୍ଠା କରିଥିଲେ
ଆମେରିକା ରାଷ୍ଟ୍ରପତିଙ୍କୁ ସାଙ୍ଗରେ ନେଇ ଉଡୁଥିବା ଏହି ସ୍ୱତନ୍ତ୍ର ବିମାନରେ ଲେଖାଯାଇଛି ୟୁନାଇଟେଡ ଷ୍ଟେଟ୍ସ ଅଫ୍ ଆମେରିକା । ଏଥିରେ ଆମେରିକା ପତାକା ସହିତ ରହିଛି ରାଷ୍ଟ୍ରପତିଙ୍କ ମୋହର । ଯାହା ଏହି ବିମାନକୁ ଖାସ କରିପାରିଛି । ଏହାର ଆଉ ଏକ ସ୍ୱତନ୍ତ୍ରତା ହେଉଛି, ଆକାଶରେ ଉଡୁଥିବା ସମୟରେ ମଧ୍ୟ ଏଥିରେ ଇନ୍ଧନ ଭର୍ତି କରିହୁଏ, ଯାହା ଅନ୍ୟ ସାଧାରଣ ବିମାନ କ୍ଷେତ୍ରରେ ସମ୍ଭବ ନୁହେଁ ।
ଆମେରିକା ରାଷ୍ଟ୍ରପତିଙ୍କ ସ୍ୱତନ୍ତ୍ର ବିମାନ
- ଏୟାରଫୋର୍ସ ୱାନରେ ରହିଛି ଲେଜର ଓ ମିଜାଇଲ ସିଷ୍ଟମ
- ଶତ୍ରୁ ଆକ୍ରମଣ କଲେ ବିମାନରୁ ମାଡ କରିହେବ ମିଜାଇଲ
- ବିମାନର ଡେଣାରେ ଥିବା ମେସିନ ଗନରୁ ବର୍ଷା ହୁଏ ଗୁଳି
- ଅତ୍ୟାଧୁନିକ ସୁବିଧା ସହିତ ଏହି ବିମାନର ଲମ୍ବ ୭୦ ମିଟର
- ଏୟାରଫୋର୍ସ ୱାନରେ ରହିଛି ୪ ହଜାର ବର୍ଗଫୁଟର ଜାଗା
- ଘଂଟା ପ୍ରତି ସର୍ବାଧିକ ୯୬୫ କିଲୋମିଟର ବେଗରେ ଉଡିପାରେ
ଆମେରିକା ରାଷ୍ଟ୍ରପତିଙ୍କ ସ୍ୱତନ୍ତ୍ର ବିମାନରେ ତମାମ ପ୍ରତିରକ୍ଷା ଉପକରଣ ସହିତ ରହିଛି ରାଡାର ଜାମର, ରେଡିଓ ଆଂଟିନା ସହିତ ସାଇବର ଓ ମିଜାଇଲ ଆକ୍ରମଣକୁ ଚିହ୍ନିବା ପାଇଁ ସେନ୍ସର । କୌଣସି ପ୍ରକାର ବିପଦର ସଂକେତ ମିଳିଲେ ରାଷ୍ଟ୍ରପତିଙ୍କୁ ସୁରକ୍ଷିତ ଭାବେ ବାହାର କରିନେବା ପାଇଁ ବିମାନରେ ରହିଛି ଏକଜିଟ କ୍ୟାପସୁଲ । ଏପରିକି ପରମାଣୁ ଯୁଦ୍ଧାସ୍ତ୍ର ନିକ୍ଷେପ କରିବା ପାଇଁ ରାଷ୍ଟ୍ରପତିଙ୍କ ନିକଟରେ ବିମାନରେ ହିଁ ରହିଛି ବଟନ୍ । ବିଶ୍ୱର ସବୁଠାରୁ ସୁରକ୍ଷିତ କୁହାଯାଉଥିବା ବୋଇଂ ୭୪୭ର ୨୦୦ ବି ସିରିଜ ବିମାନ ହେଉଛି ଏୟାରଫୋର୍ସ ୱାନ । ତେଣୁ ଏହାକୁ ଆମେରିକା ରାଷ୍ଟ୍ରପତିଙ୍କ ଚଳନ୍ତା ହ୍ୱାଇଟ ହାଉସ ବୋଲି କୁହାଯାଉଛି ।