ନୀଳ ତିମି ପରେ ଏବେ ଗରମ ପାଣି ! ସୋସିଆଲ ମିଡିଆରେ ଜୀବନ ନେଲା ‘ହଟ୍ ୱାଟର ଚ୍ୟାଲେଂଜ’

82

‘ବ୍ଲୁ ହ୍ୱେଲ୍’ ଭଳି ଘାତକ ଖେଳର ଭୟ ଅଭିଭାବକଙ୍କ ମନରୁ ନ ଲିଭୁଣୁ, ଇଂଟରନେଟ୍ ଏବେ ପୁଣି ଏକ ଘାତକ ଖେଳ ଧରି ହାଜର ହୋଇଯାଇଛି । ଯାହାର ନାଁ ‘ହଟ୍ ୱାଟର ଚ୍ୟାଲେଂଜ’ । ଯଦିଓ ହଟ୍ ୱାଟର ଚ୍ୟାଲେଂଜକୁ ନେଇ ଅଧିକ କୌଣସି ସୂଚନା ମିଳିପାରିନାହିଁ ତେବେ ଏହି ଖେଳର ମୁଖ୍ୟ ଟ୍ୟାକ୍ସ ରହିଛି ନିଜ ବନ୍ଧୁ କିମ୍ବା ସହଯୋଗୀଙ୍କ ଉପରକୁ ଫୁଟନ୍ତା ପାଣି ଫିଙ୍ଗିବା କିମ୍ବା ଗରମ ପାଣି ପିଇବାକୁ ବାଧ୍ୟ କରିବା ।

ସୂଚନା ମୁତାବକ, ଆମେରିକାରୁ ଆରମ୍ଭ ହୋଇଥିବା ଏହି ଘାତକ ଖେଳରେ ଏପର୍ଯ୍ୟନ୍ତ ଅନେକ ଶିଶୁ ଗୁରୁତର ଭାବେ ଆହତ ହୋଇସାରିଲେଣି । ଏପରିକି ଏହି ଖେଳ କାରଣରୁ ଜଣେ ୮ ବର୍ଷର ଶିଶୁର ମୃତ୍ୟୁ ମଧ୍ୟ ହୋଇଛି । ମିଳିଥିବା ସୂଚନାରୁ ଯାହା ଅନୁମାନ କରାଯାଉଛି ଏହି ଘାତକ ଖେଳରେ ପ୍ରାୟ ୮ବର୍ଷରୁ ୧୫ ବର୍ଷର ପିଲା ସାମିଲ ଅଛନ୍ତି । ଏହି ଖେଳରେ ପିଲାଙ୍କୁ ନିଜ ବନ୍ଧୁ ବା ସହଯୋଗୀ ଉପରେ ଫୁଟନ୍ତା ପାଣି ଫିଙ୍ଗିବାକୁ ଉସକା ଯାଇଥାଏ । ନଚେତ୍ ତାକୁ ବିନା କେଉଁଠି ଅଟକି ଫୁଟନ୍ତା ପାଣି ପିଇବାକୁ ବାଧ୍ୟ କରାଯାଇଥାଏ ।

ଆମେରିକାରର ଏକ ବ୍ୟସ୍ତବହୁଳ ସହରରେ ଜଣେ ୧୫ ବର୍ଷର ବାଳକ ଏକ ଘର ଭିତରେ ଶୋଇଥିବା ସମୟରେ ତଥା ରାତି ପାଖାପାଖି ୩ଟା ବେଳେ ତା ଉପରେ ଗରମ ପାଣି ଢାଳି ଦେଇଥିଲେ । ଫଳରେ ବାଳକଟିର ମୁହଁ ଗଭୀର ଭାବେ ଜଳି ଯାଇଥିଲା ଏବଂ ଚମଡା ମଧ୍ୟ ଉତୁରି ଯାଇଥିଲା । ବାଳକଟିକୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ସେହିପରି ଫ୍ଲୋରିଡାରେ ଏକ ୮ବର୍ଷର ଶିଶୁ ନିଜ ସାଥୀଙ୍କ କଥାରେ ପଡି ଫୁଟନ୍ତା ପାଣି ପିଇ ଦେଇଥିଲା । ଯାହାଦ୍ୱାରା ଶିଶୁଟିର ମୃତ୍ୟୁ ଘଟିଥିଲା । ଶିଶୁଟିର ପରିବାର ଲୋକଙ୍କ କହିବା କଥା ହେଲା, ଗରମ ପାଣି ପିଇବା କାରଣରୁ ଶିଶୁଟିର ଗଳା ଗୁରୁତର ଭାବେ ଜଳିଯାଇଥିଲା । ଯେଉଁଦିନ ଶିଶୁଟିର ମୃତ୍ୟୁ ହୋଇଥିଲା ସେ ଦିନ ତାର ନିଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିଲା ।

ଏହା ପୂର୍ବରୁ ନ୍ୟୁୟର୍କରେ ବି ଅନୁରୂପ ଘଟଣା ଘଟିଥିଲା । ଯେଉଁଠାରେ ଜଣେ ୧୧ ବର୍ଷୀୟ ପିଲା ଉପରେ ତାର କିଛି ସାଥୀ ଗରମ ପାଣି ଫିଙ୍ଗି ଦେଇଥିଲେ । ଯାହାଦ୍ୱାରା ପିଲାଟିର ସଂପୂର୍ଣ୍ଣ ମୁହଁ ସହ ଶରୀରର ପାଖାପାଖି ୩୦ ପ୍ରତିଶତ ଭାଗ ଜଳି ଯାଇଥିଲା । ତେବେ ଏହି ମାମଲାରେ ପୁଲିସ୍ ଜଣେ ୧୨ ବର୍ଷର ବାଳିକାକୁ ଗିରଫ କରିଥିଲା ।

ତେବେ ଖୁନୀ ଖେଳ ‘ବ୍ଲୁ ହ୍ୱେଲ ଚ୍ୟାଲେଂଜ’ ଯେଭଳି ଋଷରୁ ଆରମ୍ଭ ହୋଇ ଓଡିଶା ପର୍ଯ୍ୟନ୍ତ କାୟା ବିସ୍ତାର କରିପାରେ ସଫଳ ହୋଇପାରିଛି । ସେହିପରି ଆମେରିକାରେ ଆରମ୍ଭ ହୋଇଥିବା ‘ହଟ୍ ୱାଟର୍ ଚ୍ୟାଲେଂଜ’ ନାମକ ଏହି ଘାତକ ଖେଳ ଆଉ ଯେମିତି କୌଣସି ନିରୀହ ଶିଶୁର ଜୀବନ ନନିଏ ।

ବ୍ଲୁ ହ୍ୱେଲ୍ ଗେମ୍ କଣ

ଏହି ବ୍ଲୁ-ହ୍ୱେଲ ଗେମ୍ ଲୋକଙ୍କୁ ଆତ୍ମହତ୍ୟା କରିବାକୁ ଚ୍ୟାଲେଞ୍ଜ କରିଥାଏ । ଏବଂ ଯିଏ ଏହି ଚ୍ୟାଲେଞ୍ଜ ଗ୍ରହଣ କରେ ସେ ଆତ୍ମହତ୍ୟା କରିଦିଏ । ଋଷିଆରୁ ଆରମ୍ଭ ହୋଇଥିବା ଏହି ଖେଳରେ ପ୍ରାୟ ୧୨ରୁ ୧୫ ବର୍ଷ ବୟସର ପିଲା ମାନେ ସାମିଲ୍ ଥାନ୍ତି । ଖେଳଟି କେବଳ ସୋସିଆଲ୍ ମିଡିଆରେ ଖେଳାଯାଏ । ଯାହାକୁ ନିୟନ୍ତ୍ରିତ କରିଥାଏ ଜଣେ ମାଷ୍ଟର୍ ବା ହ୍ୱାସସଆପ୍ ଗ୍ରୁପ୍ ଆଡମିନ୍ । ଏହି ମାଷ୍ଟରର ପରାମର୍ଶ ମାନିବାକୁ ଏକପ୍ରକାର ବାଧ୍ୟ ଖେଳାଳୀ । ମାଷ୍ଟର୍ ଯେଉଁ ଟ୍ୟାସ୍କ ଦେଇଥାଏ ତାକୁ ୫୦ ଦିନ ମଧ୍ୟରେ ଶେଷ କରିବାକୁ ପଡିଥାଏ । ଏହି ଖେଳ ମାନଙ୍କ ମଧ୍ୟରେ ଥାଏ ଭୂତ ସିନେମା ଦେଖିବା, ରାତି ରାତି ଅନିଦ୍ରା ରହିବା ଏବଂ ନିଜ ହାତକୁ କାଟି ବ୍ଲୁ ହ୍ୱେଲ୍ ଲେଖିବା । ଖେଳାଳୀ ଠିକ୍ ଭାବରେ ଏହାକୁ ମାନୁଛି ଏବଂ ଖେଳୁଛି କି ନାହିଁ ସେଥିପାଇଁ ଏକ ଫଟୋ ଉଠାଇ ସେୟାର୍ କରିବାକୁ ପଡିଥାଏ । ତେବେ ଏପରି ଭାବରେ ଆରମ୍ଭ ହୋଇଥିବା ଖେଳ ଧୀରେ ଧୀରେ କଠିନରୁ କଠିନତର ହୋଇଥାଏ । ଶେଷରେ ଖେଳ ଉକ୍ତ ଖେଳାଳୀର ମୃତ୍ୟୁରେ ଶେଷ ହୋଇଥାଏ । ତେବେ ଏହି ଖେଳରୁ ପିଲାମାନଙ୍କୁ ରକ୍ଷା କରିବା ପାଇଁ ପୁଲିସ୍ ସ୍କୁଲ୍ କର୍ତ୍ତୃପକ୍ଷ ଏବଂ ପିଲାଙ୍କ ବାପା ମାଙ୍କୁ ସେମାନଙ୍କ ଉପରେ ନଜର ରଖିବାକୁ ପରାମର୍ଶ ଦେଇଛି ।

କିଏ ଏବଂ କେମିତି ଆରମ୍ଭ ହୋଇଥିଲା ବ୍ଲୁ ହ୍ୱେଲ୍

ଅନଲାଇନରେ ଗେମ୍ ଖେଳି ଲୋକଙ୍କୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଉ ଥିଲେ ଜଣେ ଋଷୀୟ ଯୁବକ । ବିକୃତ ମାନସିକତା ହେଉ ଅବା ଅପରାଧିକ ଚିନ୍ତାଧାରା । ଋଷର ୨୨ ବର୍ଷିୟ ଯୁବକ ଫିଲିପ ବୁଡେଇକି ତିଆରି କରିଥଲା ମୃତ୍ୟୁର ଖେଳ ବ୍ଲୁ ହ୍ୱେଲ । ଇଂଟରନେଟ ଜରିଆରେ ସେ ବିଶ୍ୱର କୋଣ ଅନୁକୋଣରେ ଥିବା ଯୁବକ ଯୁବତୀଙ୍କୁ ଯୋଗାଯୋଗ କରୁଥିଲା । ତାପରେ ସ୍କାଏପି,ଭିଡିଓ ଚାଟ ଓ ସୋସିଆଲ ମିଡିଆ ଜରିଆରେ ଆରମ୍ଭ ହେଉଥିଲା କଥାବାର୍ତ୍ତା । ଆଉ ଅଜବ ଗଜବ କାରନାମା କରି ଅନଲାଇନରେ ଗେମ୍ ଖେଳିବାର ଅଫର୍ ଦେଉଥିଲା । ସାଧାରଣତଃ ଦୁର୍ବଳ ମାନସିକତା ଥିବା ଯୁବକ ଯୁବତୀଙ୍କୁ ଟାର୍ଗେଟ୍ କରୁଥିଲା ଫିଲିପ ।

ଯୁବକ ଯୁବତୀଙ୍କ ବ୍ରେନୱାସ୍ କରି ତାଙ୍କ ମାନସିକତାକୁ ପ୍ରଭାବିତ କରିବାରେ ମାହିର ଥିଲା ଫିଲିପ୍ । ଆଉ ନିଜର ବିକୃତ ଚିନ୍ତାଧାରା ଦ୍ୱାରା ଅନଲାଇନ ଗେମ୍ ଜରିଆରେ ରଚୁଥିଲା ମୃତ୍ୟୁର ଷଡଯନ୍ତ୍ର । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଏଥିପାଇଁ ଅର୍ଥ ପ୍ରଲୋଭନ ଦେଖାଉ ନଥିଲା ଫିଲିପ । ବରଂ ଯୁବକ ଯୁବତୀଙ୍କ ବ୍ରେନ ୱାସ କରି ସେମାନଙ୍କୁ ଜୀବନର କିଛି ନିଆରା ଅନୁଭୂତି ତିଆରି କରିବାକୁ ପ୍ରବର୍ତ୍ତାଯାଉଥିଲା ।

ଜାଣି ଆଶ୍ଚର୍ଯ୍ୟ ହେବେ କେବଳ ବ୍ଲୁ ହ୍ୱେଲ୍ ନୁହେଁ ଗତ ୫ ବର୍ଷ ମଧ୍ୟରେ ୨୩୦୦୦ ଅଧିକ ୱେବସାଇଟ୍ ଚିହ୍ନଟ ହୋଇଛି ଯାହା ପିଲାମାନଙ୍କୁ ଆତ୍ମହତ୍ୟା ପ୍ରବଣ କରାଉଛି । ଏଭଳି ଏକ ଚାଂଚଲ୍ୟକର ତଥ୍ୟ ଦେଇଛି ଋଷର ଉପଭୋକ୍ତା ସୁରକ୍ଷା ୱାଚଡଗ୍ ରୋସ୍ପୋତ୍ରେବନାଦଜୋର ।

ସୌଜନ୍ୟ: ଅମର ଉଜାଲା