ଏଣିକି ନିୟମ ଭାଙ୍ଗିଲେ ନିସ୍ତାର ନାହିଁ: ନାବାଳକଙ୍କ ଦ୍ୱାରା ଦୁର୍ଘଟଣା ଘଟିଲେ ଦୋଷୀ ହେବେ ଅଭିଭାବକ, ୨୫ ହଜାର ଟଙ୍କା ସହ ହୋଇପାରେ ୩ ବର୍ଷ ଜେଲ୍

331

ଏଣିକି ନିୟମ ଭାଙ୍ଗିଲେ ମିଳିବନି ତ୍ରାହୀ । ରାସ୍ତା ଉପରେ ଗାଡି ଚାଳକଙ୍କ ବେପରୁଆ ଢଙ୍ଗରେ ଡ୍ରାଇଭିଂ ଯୋଗୁଁ ପ୍ରତିଦିନ ଅନେକ ଲୋକଙ୍କର ଅକାରଣରେ ମୃତ୍ୟୁ ଘଟୁଛି । ଗାଡି ଚାଳକଙ୍କ ଅସାବଧାନତା ପାଇଁ ପ୍ରତିଦିନ କୌଣସି ନା କୌଣସି ସ୍ଥାନରେ ସଡକ ଦୁର୍ଘଟଣା ଘଟି ଧନଜୀବନ ହାନୀ ଘଟୁଛି । ପ୍ରଶାସନ ପକ୍ଷରୁ ଯେତେବି କଡାକଡି ନିୟମ ବା ଲୋକଙ୍କୁ ସଚେତନତା କରାଗଲେ ମଧ୍ୟ ତାହା କେବଳ ଦିନେ କିମ୍ବା ଦୁଇ ଦିନ ପାଇଁ ମନରେ ରହୁଛି ଆଉ ତା ପରେ ଯେସାକୁ ତେସା । ହେଲେ ଏବେ ଆଉ ଗାଡି ଚାଳକଙ୍କ ମନମାନି ଚଳିବନି । କାହିଁକି ନା ମୋଟର ହ୍ୱିଲର (ସଂଶୋଧନ) ବିଲକୁ ଏବେ ମିଳିଛି କେନ୍ଦ୍ରୀୟ କ୍ୟାବିନେଟର ମଂଜୁରୀ । ଯେଉଁଥିରେ ଟ୍ରାଫିକ୍ ନିୟମ ଉଲ୍ଲଂଘନ ଉପରେ ମୋଟା ଅଙ୍କର ଜରିମାନା ଲଗାଯିବାର ପ୍ରସ୍ତାବ ରହିଛି ।

ଖାଲି ସେତିକି ନୁହେଁ, ୧୮ ବର୍ଷରୁ କମ୍ ପିଲାଙ୍କ ଯଦି ଗାଡି ଚଲାଇବା ସମୟରେ କୌଣସି ଅପରାଧ ତଥା ଦୁର୍ଘଟଣା ଘଟାନ୍ତି ତେବେ ଏଥିପାଇଁ ମାଲିକ -ଅଭିଭାବକଙ୍କୁ ଦୋଷୀ କରାଯିବ । ଏପରିକି ୩ ବର୍ଷ କାଳ ଜେଲ ଦଣ୍ଡାଦେଶ ସହ ୨୫ ହଜାର ଟଙ୍କାର ଜରିମାନା ମଧ୍ୟ ଲଗାଯିବ । ଏଥିସହିତ ହିଁ ରେଜିଷ୍ଟ୍ରେସନ ବି ରଦ୍ଦ କରିଦିଆଯିବ ।

ବିନା ହେଲମେଟ ଧରା ପଡିଲେ ୩ ମାସ ପାଇଁ ଲାଇସେନ୍ସ ରଦ୍ଦ

• ଓଭରସ୍ପିଡ ପାଇଁ ହଜାରେରୁ ୨ ହଜାର ଟଙ୍କା ଏବଂ ବୀମା ପଲିସି ବିହୀନ ଗାଡି ଚଲାଇଲେ ୨ ହଜାର ଟଙ୍କାର ଜରିମାନା ଲାଗିବ ।

• ସେହିଭଳି ବିନା ହେଲମେଟ ଗାଡି ଚଲାଇଲେ ହଜାରେ ଟଙ୍କା ଜରିମାନା ବାବଦକୁ ଦେବାକୁ ହେବ । ଏଥିସହିତ ହିଁ ୩ ମାସ ପାଇଁ ଆପଣଙ୍କର ଡ୍ରାଇଭିଂ ଲାଇସେନ୍ସକୁ ବି ରଦ୍ଦ କରିଦିଆଯିବ ।

• ଆମ୍ବୁଲାନ୍ସ ଭଳି ଗାଡିକୁ ବି ରାସ୍ତା ନଛାଡିବା ଉପରେ ମଧ୍ୟ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଲଗାଯିବାର ନିୟମ ରହିଛି । ସେହିଭଳି ଆଯୋଗ୍ୟ ଘୋଷିତ କରାଯିବା ସତ୍ୱେ ଗାଡି ଚଲାଇବା ଦ୍ୱାରା ମଧ୍ୟ ଜରିମାନା ବାବଦକୁ ୧୦ ହଜାର ଟଙ୍କା ଦେବାକୁ ପଡିବ ।

• ସେହିଭଳି ଟ୍ରାଫିକ୍ ନିୟମ ଉଲ୍ଲଂଘନ କଲେ ଅତି କମରେ ୧୦୦ ଜାଗାରେ ୫ ଶହ ଟଙ୍କା ଜରିମାନା ଲାଗିବ । ଅଧିକାରୀଙ୍କ ନିର୍ଦ୍ଦେଶ ନମାନିଲେ ୫ଶହ ପରିବର୍ତ୍ତେ ୨ ହଜାର ଟଙ୍କା ଜରିମାନା ବାବଦକୁ ତଣ୍ଡ ଗଣିବାକୁ ହେବ ।

• ଯାନବାହନଗୁଡିକୁ ଅବୈଧ କାର‌୍ୟ୍ୟରେ ବ୍ୟବହାର କଲେ ୫ ହଜାର ଟଙ୍କା ଜରିମାନା ଲଗାଯିବାର ନିୟମ ରହିଛି । ବିନା ଲାଇସେନ୍ସ ଗାଡି ଚଲାଇଲେ ବି ସେତିକି ଟଙ୍କା ଜରିମାନା ବାବଦକୁ ଦେବାକୁ ହେବ ।