ବିଜୟଓ୍ଵାଡ଼ାର ବିସ୍ମୟ ବାଳିକା : ୫ ବର୍ଷରେ ଯୁଗଳ ତୀରନ୍ଦାଜୀ କୀର୍ତ୍ତିମାନ

35

ଆନ୍ଧ୍ରପ୍ରଦେଶର ବିଜୟଓ୍ଵାଡ଼ାରେ ରହୁଥିବା ଜଣେ ୫ ବର୍ଷୀୟା କୁନି ଝିଅ ନିଜ ଅପୂର୍ବ ତୀରନ୍ଦାଜୀ ଦକ୍ଷତା ବଳରେ ସମଗ୍ର ଦେଶରେ ଚହଳ ସୃଷ୍ଟି କରିଛନ୍ତି । ଚେରୁକୁରି ଡଲି ଶିବାନୀ ନାମକ ଏହି ଝିଅ ଭଲରେ କଥା କହି ପାରୁ ନଥିଲେ ମଧ୍ୟ ଏକାବେଳେକେ ଦୁଇଟି ଅନ୍ତର୍ଜାତୀୟ କୀର୍ତ୍ତିମାନ ସ୍ଥାପନ କରିଛନ୍ତି । ଶିବାନୀ ଇଣ୍ଡିଆ ଏବଂ ଏସୀୟ ବୁକ୍ ଅଫ୍ ରେକର୍ଡସରେ ନିଜ ନାମ ଲିପିବଦ୍ଧ କରି ନେଇଛନ୍ତି । ଏହି ଶିଶୁ ତୀରନ୍ଦାଜ ୧୦ ମିଟର ଦୂରତାରୁ ୧୦୩ ତୀର ୧୧ ମିନିଟ୍ ୧୯ ସେକେଣ୍ଡରେ ମାରିଥିଲେ । ୩୦ ମିନିଟ୍ ବିଶ୍ରାମ ପରେ ଶିବାନୀ ୨୦ ମିଟର ଦୂରତାରେ ରହି ୩୬ ତୀର ମାତ୍ର ୫ ମିନିଟ୍ ୮ ସେକେଣ୍ଡ ସମୟରେ ଲକ୍ଷ୍ୟଭେଦ କରିଥିଲେ ।

ଶିବାନୀ ଏହି ପ୍ରୟାସରେ ୩୬୦ରୁ ୨୯୦ ପଏଣ୍ଟ୍ କରାୟତ କରିଥିଲେ । ସେ ୧୫ ଥର ୯ ପଏଣ୍ଟ୍ ପାଇଥିଲା ବେଳେ ୨ ଥର ୧୦ ପଏଣ୍ଟ୍ ହାସଲ କରିଥିଲେ। ଶିବାନୀଙ୍କୁ ୩ ବର୍ଷ ବୟସ ହୋଇଥିଲା ବେଳେ ତାଙ୍କ ନାମ ସମ୍ବାଦପତ୍ରରେ ବାହାରିଥିଲା । ସେ ଟ୍ରାୟଲ୍ସରେ ୨୦୦ ପଏଣ୍ଟରୁ ଅଧିକ ହାସଲ କରିବାରେ ସର୍ବକନିଷ୍ଠ ଭାରତୀୟ ହୋଇଥିଲେ ।

୨୦୨୪ ଅଲିମ୍ପିକ୍ସ ପ୍ରସ୍ତୁତ ପାଇଁ ଶିବାନୀ ବିଜୟଓ୍ଵାଡ଼ାରେ ଥିବା ତାଙ୍କ ବାପାଙ୍କ ଭୋଲଗା ତୀରନ୍ଦାଜୀ ଏକାଡେମିରେ ପ୍ରଶିକ୍ଷଣ ନେଉଛନ୍ତି । ୨୦୨୪ ଅଲିମ୍ପିକ୍ସ ବେଳକୁ ଶିବାନୀଙ୍କୁ ୧୩ ବର୍ଷ ହୋଇଥିବ । ଏହି ଅଲିମ୍ପିକ୍ସକୁ ଲକ୍ଷ୍ୟ ରଖି ମୁଁ ତାଙ୍କୁ ଶ୍ରେଷ୍ଠ ପ୍ରଶିକ୍ଷକଙ୍କ ନିକଟରେ ଶିକ୍ଷା ଦେବାକୁ ଯୋଜନା କରିଛି ବୋଲି ତାଙ୍କ ବାପା ଚେରୁକୁରି ସତ୍ୟନାରାୟଣ କହିଛନ୍ତି । ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାୟୁଡ଼ୁଙ୍କୁ ଅନୁରୋଧ କରିଛି ବୋଲି ସେ କହିଛନ୍ତି ।

୨୦୦୪ରେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ତାଙ୍କ ବଡ଼ ଝିଅ ନାଁରେ ସତ୍ୟନାରାୟଣ ଏହି ଏକାଡେମି ଚଳାଉଛନ୍ତି । ଶିବାନୀଙ୍କ ଭାଇ ଲେନିନ୍ ମଧ୍ୟ ଜଣେ ଅନ୍ତର୍ଜାତୀୟ ତୀରନ୍ଦାଜ ସହ ଭାରତୀୟ କମ୍ପାଉଣ୍ଡ୍ ଦଳର ପ୍ରଶିକ୍ଷକ ଥିଲେ । ତାଙ୍କ ପ୍ରଶିକ୍ଷଣରେ ୨୦୧୦ ଦିଲ୍ଲୀ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ଏହି ବର୍ଗରେ ରୌପ୍ୟ ପଦକ ଜିତିଥିଲା । ଲେନିନ୍ ମଧ୍ୟ ସଡ଼କ ଦୁଃର୍ଘଟଣାରେ ପ୍ରାଣ ହରାଇଥିଲେ । ବିଜୟଓ୍ଵାଡ଼ାରୁ ସମ୍ବର୍ଧନା ଉତ୍ସବରୁ ଫେରୁଥିବା ବେଳେ ଏହି ଅଘଟଣ ଘଟିଥିଲା ।