ଦିନକୁ ଦିନ ବଢି ଚାଲିଛି ନିପା ଭାଇରସର ଆତଙ୍କ । ଏଯାବତ୍ ଏହି ଭାଇରସ କାରଣରୁ ୧୪ ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ଏବେବି ଅନେକ ଲୋକ ଏହି ଭାଇରସର ଶିକାର ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ବଡ କଥା ହେଲା, ଏଯାବତ୍ ଏହି ଭାଇରସ ସହ ଲଢିବା ପାଇଁ କୌଣସି ବି ଟିକା କିମ୍ବା ମେଡିସିନ ବାହାରି ପାରିନି । କେବଳ ସତର୍କତା ତଥା ସଂଜତ ସହିବା ହିଁ ଏହି ରୋଗ ନିରାକରଣର ବଡ ଔଷଧ । ସେପଟେ, ଉଭୟ ପ୍ରଶାସନ ଓ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ମଧ୍ୟ ଏନେଇ ଲୋକଙ୍କୁ ସଚେତନ କରାଯାଉଛି । କିଭଳି ଏହି ଭାଇରସରୁ ନିଜକୁ ଏବଂ ନିଜ ପରିବାର ଲୋକଙ୍କୁ ସୁରକ୍ଷିତ ରଖିବେ ସେ ନେଇ ମଧ୍ୟ ସଚେତନ କରାଯାଉଛି । କିନ୍ତୁ ଏସବୁ ସତ୍ୱେ ବି ନିପା ଭାଇରସର ଭୟ ଜାରି ରହିଛି ।
କ’ଣ ଏହି ନିପାହ ଭାଇରସ
ନିପାହ ଭାଇରସ ମୁଖ୍ୟତଃ ବାଦୁଡି ଠାରେ ଥିବା ଏକ ସଂକ୍ରମିତ ରୋଗ ବା ଭାଇରସ ଦ୍ୱାରା ହିଁ ହୋଇଥାଏ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି । ଏହି ଭାଇରସ ଫଳମୂଳରେ ଦେଖାଯାଉଥିବା ରୋଗ ହେଣ୍ଡ୍ରା ଭାଇରସ ଭଳି ଉଭୟ ମଣିଷ ଏବଂ ଫଳକୁ ମଧ୍ୟ ବ୍ୟାପିଥାଏ । ପ୍ରାରମ୍ଭିକ ପରୀକ୍ଷାରୁ ଏହି ଭାଇରସ ଖଜୁରୀ ଚାଷ କରୁଥିବା ଲୋକଙ୍କୁ ସଂକ୍ରମିତ କରିଥିବା ଜଣାପଡିଛି ।
ଲକ୍ଷଣ
ନିପାହ ଭାଇରସ ବାହକ ହେଉଛନ୍ତି ବାଦୁଡି ଏବଂ ଘୁଷୁରି । ନିପାହ ସଂକ୍ରମିତ ପଶୁ ପକ୍ଷୀଙ୍କ ଲାଳ, ମଳ, ମୁତ୍ର ସଂସ୍ପର୍ଶରେ ଆସିବା ଦ୍ୱାରା ଏହି ରୋଗ ବ୍ୟାପି ଥାଏ । ଏହା ମଣିଷ ଠାରୁ ମଣିଷଙ୍କୁ ମଧ୍ୟ ସଂକ୍ରମିତ ହୋଇଥାଏ । ତେଣୁ ନିପାହ ରୋଗରେ ସଂକ୍ରମିତ ଥିବା ରୋଗୀ ମାନଙ୍କ ଠାରୁ ୧ ମିଟର ବ୍ୟବଧାନ ରକ୍ଷା କରିଲେ ଏହି ରୋଗ ଜଣଙ୍କ ଠାରୁ ଅନ୍ୟ ଜଣଙ୍କୁ ବ୍ୟାପିନଥାଏ । ତେଣୁ ସଂକ୍ରାମକ ରୋଗୀ ମାନଙ୍କ ଠାରୁ ଦୁରେଇ ରହିବା ଆବଶ୍ୟକ ।
ନିପାହ ରୋଗରେ ସଂକ୍ରମିତ ହେବା ମାତ୍ରେ ବ୍ୟକ୍ତିକୁ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହୋଇଥାଏ । ଏହା ସହିତ ଜ୍ୱର, ଦେହ ହାତ ଦରଜ, କଫ ଆଦି ଭଳି ସମସ୍ୟା ଦେଖାଦେଇଥାଏ । ସବୁଠୁ ବଡ କଥା ହେଉଛି ଏହି ରୋଗ ସଂକ୍ରମିତ ହେବାର ୨ ସପ୍ତାହ ପରେ ସାମ୍ନାକୁ ଆସିଥାଏ । ଦିଲ୍ଲୀର ପ୍ରୋଟେଷ୍ଟ ହସ୍ପିଟାଲର ପଲ୍ମନୋଲୋଜି ବିଭାଗର ପ୍ରମୁଖ ବିକାଶ ମୋର୍ଥଙ୍କ କହିବା ଅନୁସାରେ ଯେପର୍ୟ୍ୟନ୍ତ ଶରୀରର ରୋଗ ପ୍ରତିରୋଧକ ଶକ୍ତି ଏହି ଭାଇରସ ବିରୁଦ୍ଧରେ କାମ ନକରିଛି ସେପର୍ଯ୍ୟନ୍ତ ପ୍ରାୟ ୧୦ ରୁ ୧୫ ଦିନ ରୋଗୀକୁ ସମସ୍ତଙ୍କ ଠାରୁ ଅଲଗା ରଖିବା ଆବଶ୍ୟକ । କେରଳ ସରକାର ଏହି ଭାଇରସ ସହ ଲଢିବା ପାଇଁ ଏକ ଆଣ୍ଟି ଭାଇରଲ ରିବରିନର ବ୍ୟବହାର କରିବା ଆରମ୍ଭ କରିଦେଇଛନ୍ତି ।
ଭାଇରସ ପ୍ରତିରୋଧ ପାଇଁ କ’ଣ କରିବା ଉଚିତ୍
ବର୍ତ୍ତମାନ ପର୍ଯ୍ୟନ୍ତ ନିପାହ ଭାଇରସ ପାଇଁ କୌଣସି ଭ୍ୟାକସିନ ବାହାରି ନାହିଁ । ତେଣୁ ଏହି ଭାଇରସରୁ ରକ୍ଷା ପାଇବାକୁ ହେଲେ ମୁଖ୍ୟତଃ ଆପଣଙ୍କୁ ଖଜୁରୀ କୋଳି ଠାରୁ ଦୂରେଇ ରହିବାକୁ ପଡିବ । ଗଛରୁ ତଳେ ପଡିଥିବା ଫଳକୁ ମଧ୍ୟ ଖାଇବା ନିଷେଦ୍ଧ । ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ଭାଇରସ ମଣିଷଙ୍କ ଠାରୁ ଅନ୍ୟ ମଣିଷକୁ ବ୍ୟାପିଥାଏ । ତେଣୁ ସଂକ୍ରମିତ ବ୍ୟକ୍ତିଠାରୁ ଯଥା ସମ୍ଭବ ଦୂରେଇ ରହିବା ହିତକାରକ । ତେବେ ଏହି ଭାଇରସକୁ ବର୍ତ୍ତମାନ ରୋକିବା ପାଇଁ ସମସ୍ତ ପ୍ରୟାସ କରାଯାଉଛି । କାରଣ କେରଳ ପରେ ଏବେ ଭାରତର କେଉଁ କୋଣରେ ବି ଏହି ଭାଇରସର ଆତଙ୍କ ଦେଖା ଦେଇପାରେ ।
ସଂକ୍ରମିତ ଫଳ ଏବଂ ପରିବା
ବାଦୁଡ଼ି ଓ ଘୁଷୁରିଙ୍କଠାରୁ ଏହି ରୋଗ ବ୍ୟାପୁଥିବା ନଜରକୁ ଆସିଛି। ମୁଖ୍ୟତଃ ବାଦୁଡ଼ି ଖାଇଥିବା ଫଳ ଦ୍ୱାରା ଏହା ବ୍ୟାପୁଛି। ଏଣୁ ଲୋକେ ଫଳ ଖାଇବା ସମୟରେ ଅତ୍ୟନ୍ତ ସତର୍କତା ଅବଲମ୍ବନ କରିବା ଆବଶ୍ୟକ। ଏହି ସମୟରେ କେରଳରୁ ଆସୁଥିବା ଫଳ ଖାଇବାରୁ ନିଜକୁ ଦୂରେଇ ରଖନ୍ତୁ। ଯଦି ଦରକାର ପଡ଼ୁଛି ତେବେ ଭଲ ଭାବେ ପରିଷ୍କାର କରି ଧୋଇ ସାରିବା ପରେ ଖାଆନ୍ତୁ। କୌଣସି ଖଣ୍ଡିଆ ଫଳ ଖାଇବା ଅନୁଚିତ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଲେ ଏହି ରୋଗ ବ୍ୟାପିଥାଏ। ସେହିପରି ଖଜୁରୀ ଓ ଆମ୍ବ ଖାଇବା ଏହି ସମୟରେ ବିପଦପୂର୍ଣ୍ଣ ରହିଛି। ରମଜାନ୍ ମାସରେ ଖଜୁରୀ ଲୋକମାନେ ଅଧିକ ଖାଇ ଥାଆନ୍ତି। ଦିଲ୍ଲୀରେ ଅଧିକମାତ୍ରାରେ କଦଳୀ ଓ ଖଜୁରୀ କେରଳରୁ ଆମଦାନୀ ହୋଇଥାଏ। ନିପା ଭୂତାଣୁ ପ୍ରଭାବିତ କେରଳର କାଲିକଟ ଓ ମଲ୍ଲାପୁରମ ଜିଲ୍ଲାରେ କଦଳୀ ଓ ଖଜୁରୀ ଅଧିକମାତ୍ରାରେ ଉପଲବ୍ଧ ରହିଛି। ଏମ୍ସର ଏକ ଡାକ୍ତର ଦଳ ଏଠାରେ ଯାଞ୍ଚ କରୁଛନ୍ତି।
ଏହା ବ୍ୟତୀତ କିଛି ପନିପରିବାରେ ମଧ୍ୟ ନିପା ଭାଇରସ ଥିବା ନେଇ ଜଣାପଡିଛି । ନିପା ଭାଇରସ ବିଶେଷ କରି ଆମ୍ବ, ଅଙ୍ଗୁର , କଦଳୀ, ଅମୃତଭଣ୍ଡା ଏବଂ ଡାଳିମ୍ବ ଆଦି ଫଳରେ ରହିପାରେ । ଯେଉଁଥିପାଇଁ ଏହାକୁ ନଖାଇବାକୁ ପରାମର୍ଶ ଦିଆଯାଇଛି । ଏଥିସହିତ ହିଁ ବିଭିନ୍ନ ପ୍ରକାରର ପନିପରିବା ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି, ଯଦିଓ କେଉଁ କେଉଁ ପନିପରିବା ଏଥିରେ ସାମିଲ ରହିଛି, ଏସଂପର୍କରେ ଏଯାବତ୍ ସ୍ପଷ୍ଟ ସୂଚନା ମିଳିପାରିବ ନାହିଁ । ତେବେ ବିଶେଷ କରି ବାହାର ରାଜ୍ୟରୁ ଆସୁଥିବା ଫଳ ଏବଂ ପନିପରିବାରେ ନିପା ଭାଇରସ୍ ମିଳିପାରେ ବୋଲି ସନ୍ଦେହ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/05/Nipa-2.jpg)