କନକ ବ୍ୟୁରୋ: ରାଜନୀତିର କଥା କହିଲେ ଜଗତଗୁରୁ ଶଙ୍କରାଚାର୍ଯ୍ୟ । ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ସହ ତିନି ପ୍ରମୁଖ ଦଳ ବିରୋଧରେ ଆଣିଲେ ଅଭିଯୋଗ । ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରି ଶଙ୍କରାଚାର୍ଯ୍ୟ କହିଛନ୍ତି, ଏଠାରେ ସରକାରଙ୍କର ଧାରଣା ଅଛି ଯେ ତାଙ୍କ ପାଖରେ ଲୋକମତ ଅଛି । କାରଣ ବର୍ଷ ବର୍ଷ ଧରି ଜଣେ ମୁଖ୍ୟମନ୍ତ୍ରୀ ଶାସନ କରୁଛନ୍ତି । ତାଙ୍କୁ ଯେତେବେଳେ ଲାଗିବ ଲୋକମତ ତାଙ୍କ ବିପକ୍ଷରେ ଯାଇପାରେ, ସେତେବେଳେ ସେମାନେ ମାନିବେ । ଓଡ଼ିଶାର ରାଜନୈତିକ ଦଳ କିଏ ଅଛି ବୋଲି ସେ ପ୍ରଶ୍ନ କରିଛନ୍ତି । ବିଜେଡି ସହ ବିଜେପି ମିଶିକି କାମ କରୁଥିବା ବେଳେ କଂଗ୍ରେସ ଅସ୍ଥିତ୍ୱ ହରାଇ ସାରିଛି । ସରକାରଙ୍କ ଚ୍ୟାଲେଞ୍ଜ ଦେବା ପାଇଁ ସାମର୍ଥ୍ୟ କାହାର ଅଛି କି ବୋଲି ସେ ପ୍ରଶ୍ନ କରିଛନ୍ତି । ତେବେ ତାଙ୍କ ଉପରେ ଚାପ ପକାଯାଉଥିବା ପ୍ରଶ୍ନରେ ଉତର ଦେଇ ସେ କହିଛନ୍ତି, ଦେବରାଜ ଇନ୍ଦ୍ର ମଧ୍ୟ ତାଙ୍କ ଉପରେ ଚାପ ପକାଇପାରିବେ ନାହିଁ । ତେବେ ଶଙ୍କରାଚାର୍ଯ୍ୟଙ୍କ ରାଜନୈତିକ ବୟାନକୁ ନେଇ ଏବେ ସବୁଠି ଚର୍ଚ୍ଚା ।