କଂଗ୍ରେସର ‘ନବଗ୍ରହ’ଙ୍କ ପାଇଁ ସୂର୍ଯ୍ୟଙ୍କ ଫର୍ମୁଲା । କହିଲେ, ନବଗ୍ରହକୁ ଶାନ୍ତ କରିବାର କୌଶଳ ମୋତେ ଜଣା ।

630

କନକ ବ୍ୟୁରୋ : ବିଧାନସଭାର ୨୨ତମ ବାଚସ୍ପତି ଭାବେ ଆଜି ଦାୟିତ୍ୱ ନେଇଛନ୍ତି ବରିଷ୍ଠ ବିଜେଡି ନେତା ସୂର୍ଯ୍ୟନାରାୟଣ ପାତ୍ର । କୌଣସି ପ୍ରତିପକ୍ଷ ପ୍ରାର୍ଥୀ ନଥିବାରୁ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି ସୂର୍ଯ୍ୟ ପାତ୍ର । ସୂର୍ଯ୍ୟଙ୍କୁ ବାଚସ୍ପତି କରିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରସ୍ତାବ ଆଣିଥିଲେ । ଏହା ଉପରେ ଗୃହର ମତାମତ ଲୋଡିଥିଲେ କାମଚଳା ବାଚସ୍ପତି ଅମର ପ୍ରସାଦ ଶତପଥୀ । ଗୃହରେ ବିଜେପି ସଦସ୍ୟ ଅନୁପସ୍ଥିତ ଥିବାରୁ ବିଜେଡି ଓ କଂଗ୍ରେସ ସର୍ବସମତିକ୍ରମେ ତାଙ୍କୁ ନିର୍ବାଚିତ କରିଥିଲେ । ବାଚସ୍ପତି ଭାବେ ନିର୍ବାଚିତ ହେବା ପରେ ସୂର୍ଯ୍ୟ କହିଛନ୍ତି, ଏହା ତାଙ୍କ ପାଇଁ ଆକସ୍ମିକ ଥିଲା । କନକ ନ୍ୟୁଜକୁ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ନୂଆ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ନୂଆ ବାଚସ୍ପତି କହିଛନ୍ତି , ସେ ସୂର୍ଯ୍ୟ, କଂଗ୍ରେସର ନବଗ୍ରହଙ୍କୁ ଶାନ୍ତ କରିବା କୌଶଳ ତାଙ୍କୁ ଜଣା ।

ଚଳିତ ବିଧାନସଭାରେ ଦେଖିବାକୁ ମିଳିବ ରୋଚକ ଦୃଶ୍ୟ । କଂଗ୍ରେସର ମାତ୍ର ୯ ଜଣ ବିଧାୟକ ନିର୍ବାଚିତ ହୋଇଥିଲେ ମଧ୍ୟ ଚଳିତ ବିଧାନସଭା ଅଧିବେଶନରେ ଉଠିବ ପଡିବ ଗୃହ । କାରଣ ପୁଣିଥରେ ଗୃହକୁ ତାରା, ନରସିଂହ ଫେରିଥିବା ବେଳେ ଦୀର୍ଘ ବର୍ଷ ପରେ କମବ୍ୟାକ୍ କରିଛନ୍ତି ସୁର ରାଉତରାୟ । କଂଗ୍ରେସର ୯ ବିଧାୟକଙ୍କୁ ନବଗ୍ରହ ସହ ତୁଳନା କରିଛନ୍ତି ସୁର । ଆଉ ଏହାସହ ସରକାରୀ ଦଳକୁ ସର୍ତକ କରିଛନ୍ତି ସୁର । ଏହାପୂର୍ବରୁ ଗତ ବିଧାନସଭା ଅଧିବେଶନରେ ତାରାଙ୍କ ଉଗ୍ର ରୂପ ଦେଖିଛନ୍ତି ଗୃହର ସଦସ୍ୟ । କେତେବେଳେ ବାଚସ୍ପତିଙ୍କ ପୋଡିୟମ ଉପରେ ଚଢିବାକୁ ଉଦ୍ୟମ କରିଛନ୍ତି ତ ପୁଣି କେତେବେଳେ ବାଚସ୍ପତିଙ୍କ ମାଇକ ଭାଙ୍ଗିବାକୁ ଉଦ୍ୟମ କରି ଗୃହ ଚଳାଇ ଦେଇନାହାନ୍ତି । ଏପରିକି ବିଭିନ୍ନ ସମୟରେ ଗୃହ ମଝିରେ ନାରାବାଜି କରି ସରକାରୀ ଦଳକୁ ଅଡୁଆରେ ପକାଇଛନ୍ତି ।

ଆଉ ଏସବୁ ଭିତରେ ଚଳିତଥର ତାରାଙ୍କ ସହ ଖୋର୍ଦ୍ଧାର ପାଇକ ପୁଅ ସୁର ରାଉତରାୟଙ୍କୁ ମଧ୍ୟ ଦେଖିବାକୁ ମିଳିବ । ତାରା-ସୁର ଯୋଡି ସରକାରକୁ ବିଭିନ୍ନ ପ୍ରସଙ୍ଗରେ ହଲାପଟା କରିବେ ବୋଲି ଆଗୁଆ ଚେତାଇ ଦେଇଛନ୍ତି । କିନ୍ତୁ କଂଗ୍ରେସର ନବଗ୍ରହ ଉପାଖ୍ୟାନକୁ ହସରେ ବାଏଁ ବାଏଁ ଉଡାଇ ଦେଇଛନ୍ତି ସୂର୍ଯ୍ୟ । ଗଣତନ୍ତ୍ରର ମନ୍ଦିରକୁ କେମିତି ରକ୍ଷା କରାଯିବ ବାଚସ୍ପତି ଭାବରେ ତାହାର ବାଟ ମଧ୍ୟ ବାହାର କରିଛନ୍ତି ସୂର୍ଯ୍ୟ । ପୁରାଣରେ ସୂର୍ଯ୍ୟ ଚାରିପଟେ ନବଗ୍ରହ ଘୂରି ବୁଲିଥାନ୍ତି ଓ ସୂର୍ଯ୍ୟଙ୍କ ଆଲୁଅରେ ହିଁ ନବଗ୍ରହ ପ୍ରଭାବିତ ହୋଇଥାନ୍ତି । ତେଣୁ ବିଧାନସଭାରେ ମଧ୍ୟ ସୂର୍ଯ୍ୟଙ୍କ ତେଜରେ ନବଗ୍ରହ ପ୍ରଭାବିତ ହେବେ ବୋଲି ସେ କହିଛନ୍ତି । ଏହାଛଡା ନବଗ୍ରହକୁ କିଭଳି ଶାନ୍ତ କରାଯାଏ ତାହାର କୌଶଳ ମଧ୍ୟ ତାଙ୍କୁ ବେଶ ଭଲ ଭାବେ ଜଣା ବୋଲି ସୂର୍ଯ୍ୟ କହିଛନ୍ତି । ତେଣୁ ଚଳିତ ବିଧାନସଭା ଅଧିବେଶନ କଂଗ୍ରେସର ନବଗ୍ରହଙ୍କୁ ସୂର୍ଯ୍ୟ କିଭଳି ଶାନ୍ତ କରିପାରୁଛନ୍ତି ତାହା ଉପରେ ରାଜନୀତିରେ ରୁଚି ରଖୁଥିବା ଲୋକଙ୍କ ନଜର ରହିବ ।