କନକ ବ୍ୟୁରୋ : ନବୀନଙ୍କ ମନ୍ତ୍ରୀମଣ୍ଡଳର ହେବ ପରିବର୍ତ୍ତନ । ଏନେଇ ଧୀରେ ଧୀରେ ଚିତ୍ର ସ୍ପଷ୍ଟ ହେଉଛି । କିଛି ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ସୂଚନା ମିଳିଛି । ଆଉ ଏହାସହ ନୂଆ ମନ୍ତ୍ରୀମଣ୍ଡଳ ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା କୁହାଯାଉଛି । ଏହାଭିତରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ନିଜ ପଦରୁ ଇସ୍ତଫା ଦେଇଥିବା କୁହାଯାଉଛି । ବାଚସ୍ପତି ସୂର୍ଯ୍ୟ ପାତ୍ର ନିଜ ଇସ୍ତଫାପତ୍ର ଉପ-ବାଚସ୍ପତିଙ୍କୁ ଦେଇଛନ୍ତି । ଯାହାକୁ ଉପ-ବାଚସ୍ପତି ଗ୍ରହଣ କରିଛନ୍ତି ।
ସେହିଭଳି ରାଜା ସ୍ୱାଇଁ, ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ରଘୁନନ୍ଦନ ଦାଶ, ଦିବ୍ୟଶଙ୍କର ମିଶ୍ର, ପଦ୍ମିନୀ ଡିଆନଙ୍କୁ ଇସ୍ତଫା ଦେବାକୁ କୁହାଯାଇଥିବା ସୂଚନା ମିଳିଛି । ଆଉ ଏହି ଖବର ମିଳିବା ପରେ ମନ୍ତ୍ରୀ ହେବାକୁ ଆଶାୟୀ ଥିବା ନେତାଙ୍କ ଶିବିର ତତ୍ପର ହୋଇ ଉଠିଛି । ୨୦୨୪ ନିର୍ବାଚନ ପୂର୍ବରୁ ନୂଆ ମନ୍ତ୍ରୀମଣ୍ଡଳ ଗଠନ ହେବା ରାଜନୈତିକ ଦୃଷ୍ଟିକୋଣରୁ ବେଶ ଗୁରୁତ୍ୱ ବହନ କରିବାକୁୁ ଯାଉଛି । ତେଣୁ ମନ୍ତ୍ରୀମଣ୍ଡଳରେ ଯେପରି ସବୁ ଅଞ୍ଚଳର ନେତାଙ୍କୁ ସୁଯୋଗ ମିଳିବ ସେନେଇ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହେଉଛି । ତେବେ ନୂଆ ମନ୍ତ୍ରୀମଣ୍ଡଳରେ କାହାକୁ ସୁଯୋଗ ମିଳିବ ସେନେଇ କୌଣସି ସୂଚନା ମିଳିପାରିନାହିଁ । ସାଙ୍ଗଠନିକ ଦକ୍ଷତା ଓ କାର୍ଯ୍ୟଦକ୍ଷତାକୁ ମାପଦଣ୍ଡ ହିସାବରେ ଗ୍ରହଣ କରି କିଛି ନୂଆ ଚେହେରାଙ୍କୁ ସୁଯୋଗ ମିଳିପାରେ ବୋଲି କୁହାଯାଉଛି । ଆଉ ସବୁଠୁ ବଡ କଥା ହେଲା ଯୁବ ଚେହେରାଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରି ସରକାରୀ ଯୋଜନାକୁ ପ୍ରତି ଅଞ୍ଚଳରେ ପହଞ୍ଚାଇବାକୁ ରଣନୀତି ପ୍ରସ୍ତୁତ ହୋଇଥିବା କୁହାଯାଉଛି ।