ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ : ପ୍ରଥମେ ଶୋକ ପ୍ରସ୍ତାବ ଆଗତ ପରେ ଅପରାହ୍ଣ ୫ଟା ଯାଏଁ ଗୃହ ମୁଲତବୀ

128

କନକ ବ୍ୟୁରୋ : ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭାର ଶୀତ ଅଧିବେଶନ । ଆରମ୍ଭରୁ ବିଧାନସଭାରେ ଶୋକ ପ୍ରସ୍ତାବ ଆଗତ କରାଯାଇଛି  । ଦିବଗଂତ ନେତା ଓ କୋଭିଡ୍ ଯୋଦ୍ଧାଙ୍କ ପାଇଁ  ଶୋକ ପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶୋକ ପ୍ରସ୍ତାବ ଆଗତ ପରେ ଅପରାହ୍ଣ ୫ଟା ଯାଏଁ ଗୃହ ମୁଲତବି ଘୋଷଣା କରାଯାଇଛି ।

ସେପଟେ ମମିତା ହତ୍ୟା ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ବିରୋଧୀଙ୍କ ସମରସଜ୍ଜା କରିଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, ଆଇନ ଶୃଙ୍ଖଳା, ଦୁର୍ନୀତି ଭଳି ମୁଦ୍ଦା ଉଠାଇ ସରକାରଙ୍କୁ ଅକଳରେ ପକାଇବାକୁ  ନିଷ୍ପତି ନେଇଥିଲେ ମଧ୍ୟ ମମିତା ମେହେର ହତ୍ୟା ଘଟଣା ମୁଖ୍ୟ ପ୍ରସଙ୍ଗ ପାଲଟିବ ବୋଲି କହିଛନ୍ତି ବିରୋଧୀ । ସରକାରଙ୍କୁ ଘେରିବାରେ କିଏ ମାଇଲେଜ୍ ନେବ ତାହାକୁ ନେଇ ମଧ୍ୟ ଅଙ୍କ କଷିଛନ୍ତି ଦୁଇ ବିରୋଧୀ ।

ସେପଟେ, ବିଧାନସଭା ଗେଟ ସମ୍ମୁଖରେ କଂଗ୍ରେସ ବିଧାୟକଙ୍କ ଧାରଣା ।  ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବିରୋଧ କରି  ପ୍ରତିବାଦ କରିଛି କଂଗ୍ରେସ । ବ୍ୟାନର ଧରି କଂଗ୍ରେସ ବିଧାୟକ ବିଧାନସଭା ଭିତରେ ଥିବା ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ଦେଇଛନ୍ତି । ପବିତ୍ର ଗୃହକୁ ମନ୍ତ୍ରୀ ଆସିଲେ ଅପବିତ୍ର ହୋଇଯିବ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି କରିଛି ଦଳ ।

ସେହିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ରର ଅବହେଳା ଅଭିଯୋଗରେ ବିଜେଡ଼ିର ପ୍ରତିବାଦ । ବିଧାନସଭାରୁ ଚାଲି ଚାଲି ରାଜଭବନ ପର୍ଯ୍ୟନ୍ତ ଯାଇଛି ବିଜେଡ଼ି । କେନ୍ଦ୍ର ସରକାର ଓଡ଼ିଶାକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଦେବାରେ ପାତର ଅନ୍ତର କରିଛନ୍ତି । ୧୩ ଲକ୍ଷ ଘର ଆବଶ୍ୟକତା ଥିବା ବେଳେ କେନ୍ଦ୍ର ଦେଇଛି ମାତ୍ର ୫ଲକ୍ଷ । ବାକି ୮ ଲକ୍ଷ ଘର ଦେବାକୁ ମୁଖ୍ୟମନ୍ତ୍ରୀ ବାରମ୍ବାର ଚିଠି ଲେଖିଲେ ବି କେନ୍ଦ୍ର ଶୁଣୁନଥିବା ଅଭିଯୋଗ କରିଛି ବିଜେଡ଼ି ।

ବିଜେପି ଶାସିତ ରଜ୍ୟକୁ ଅଧିକ ଘର ମିଳୁଥିବା ଅଭିଯୋଗ କରିଛି ବିଜେପି । ଓଡ଼ିଶାରେ ବାରମ୍ବାର ବାତ୍ୟା ହେଉଥିଲେ ବି ଆବଶ୍ୟ ଘର ଘର ମିଳୁନି । ଏପରିକି ଫୋନି ସହାୟତା ଘର ମିଳିନଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ରାଷ୍ଟ୍ରପତିଙ୍କୁ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ଦିଆଯିବ ।