ବାରମ୍ବାର ମୁଲତବି ପରେ ବାଚସ୍ପତି ଡାକିଲେ ସର୍ବଦଳୀୟ ବୈଠକ । ଗୃହ କାର୍ଯ୍ୟକୁ ସ୍ୱାଭାବିକ କରିବାକୁ ବାହାରିବ କି ସମାଧାନର ବାଟ?

57

କନକ ବ୍ୟୁରୋ :  ୪ ଦିନ ହେବ ବିଧାନସଭାରେ ଅଚଳାବସ୍ଥା ଲାଗି ରହିଥିବା ବେଳେ ଚାଲିପାରୁନାହିଁ ଗୃହ । ଉଭୟ ଶାସକ-ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହକାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ଯେଉଁଥିପାଇଁ ବିଧାନସଭା ବାରମ୍ବାର ମୁଲତବି ହେଉଛି । ଏସବୁକୁ ଦୃଷ୍ଟିରେ ରଖି ଗୃହକାର୍ଯ୍ୟକୁ ସ୍ୱାଭାବିକ କରିବାକୁ ଆଗେଇ ଆସିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ବାରମ୍ବାର ଗୃହ ମୁଲତବି ହେବା ଫଳରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇପାରୁନାହିଁ । ତେଣୁ ଉଭୟ ବିରୋଧୀ ଓ ଶାସକ ଦଳ ମଧ୍ୟରେ ଆଲୋଚନା କରାଇବାକୁ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ।

ଗୃହରେ ଆଜି ମଧ୍ୟ ସମାନ ପ୍ରସଙ୍ଗକୁ ନେଇ ଶାସକ-ବିରୋଧୀ ମୁହାଁମୁହିଁ ହୋଇଥିଲେ ।  ଆତ୍ମହତ୍ୟା ଉଦ୍ୟମ ପ୍ରସଙ୍ଗରେ ସୁବାସଙ୍କ କ୍ଷମା ପ୍ରାର୍ଥନା ବିଜେଡି ଦାବି କରୁଥିବା ବେଳେ ମଣ୍ଡି ସମସ୍ୟାକୁ ନେଇ ବିରୋଧୀ ଗୃହର ମଧ୍ୟ ଭାଗରେ ହୋ-ହାଲ୍ଲା କରିଛନ୍ତି । ଫଳରେ ଦିନ ବାରମ୍ବାର ଗୃହକୁ ମୁଲତବି କରିଥିଲେ ବାଚସ୍ପତି । ବିଧାନସଭାରେ ସେହି ସମାନ ପ୍ରସଙ୍ଗକୁ ଗତ ୩ ଦିନ ହେବ ଅଚଳାବସ୍ଥା ଜାରି ରହିଥିଲା । ଆଉ ଆଜି ମଧ୍ୟ ସେହି ସମାନ ଚିତ୍ର ଦେଖିବାକୁ ମିଳିଛି ।

ତେବେ ବାରମ୍ବାର ମୁଲତବିକୁ ନେଇ ଶାସକ ଦଳ ଉପରେ ବିଜେପି ବର୍ଷିଥିବା ବେଳେ ଜାଣିଶୁଣି ଏଭଳି କରୁଛି ବୋଲି ଅଭିଯୋଗ ଆଣିଥିଲା । ଏପରିକି ବାଚସ୍ପତିଙ୍କ ଉପରେ ଚାପ ପକା ଯାଉଥିବା ଅଭିଯୋଗ କରିଥିଲା ବିଜେପି । ଆଉ ଏହାର ଜବାବରେ ବିଜେଡି କହିଛି, ଔଷଧ ବିକଳରେ ତାଟିଆ କାମୁଡୁଛି ବିଜେପି । ଆତ୍ମହତ୍ୟା ଉଦ୍ୟମ କରି ସୁବାସ ଗୃହର ଗାରିମା ନଷ୍ଟ କରିଛନ୍ତି ତେଣୁ ଯେତେବେଳେ ପର୍ଯ୍ୟନ୍ତ ସୁବାସ କ୍ଷମା ନ ମାଗିଛନ୍ତି ସେପର୍ଯ୍ୟନ୍ତ ଗୃହ ଚଲାଇ ଦିଆଯିବନି । ଆଉ ଉଭୟ ଶାସକ-ବିରୋଧୀଙ୍କ  ଏଭଳି ଆଭିମୁଖ୍ୟ ଭିତରେ ସର୍ବଦଳୀୟ ବୈଠକରେ ସମାଧାନର ସୂତ୍ର ବାହାର କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ବାଚସ୍ପତି ।