ବାଚସ୍ପତି ଡାକିଲେ ସର୍ବଦଳୀୟ ବୈଠକ । ଲଗାତାର ୫ ଦିନ ହେବ ଗୃହରେ ଲାଗିରହିଛି ଅଚଳାବସ୍ଥା ।

176

କନକ ବ୍ୟୁରୋ : ବାରମ୍ବାର ମୁଲତବୀ, ବିରୋଧୀଙ୍କ ହୋହଲ୍ଲା । ମମିତା ପ୍ରସଙ୍ଗକୁ ନେଇ ବିରୋଧୀ ବିଧାନସଭା ଚଳାଇ ଦେଉନାହାନ୍ତି । ଦୀର୍ଘ ୫ ଦିନ ହେବ ଶୀତକାଳୀନ ବିଧାନସଭା ଅଧିବେଶନର ଅବସ୍ଥା ଏମିତି । କେତେବେଳେ କଂଗ୍ରେସ ତ ପୁଣି କେତେବେଳେ ବିଜେପିର ଗୃହ ଭିତରେ ପ୍ରତିବାଦ, ତ ପୁଣି କେତେବେଳେ ବିଜେଡିର କେନ୍ଦ୍ର ଅବହେଳା ନାରା ଭିତରେ ଲୁଚି ଯାଉଛି ସାଧାରଣ ଲୋକଙ୍କ ସମସ୍ୟା । ତେବେ ଲଗାତାର ୫ ଦିନ ଗୃହରେ ଅଚଳାବସ୍ଥା ଦେଖାଯିବା ପରେ ବିଧାନସଭାର ଶୀତକାଳୀନ ଅଧିବେଶନକୁ ସ୍ୱାଭାବିକ କରିବାକୁ ଅଣ୍ଟା ଭିଡ଼ିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।

୫ ଦିନର ଅଚଳାବସ୍ଥା ପରେ ଗୃହକୁ ସ୍ୱାଭାବିକ ଭାବେ ଚଳାଇବାକୁ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି । ଗୃହର ସୁପରିଚାଳନା ପାଇଁ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି । ଆଉ ଏଥିପାଇଁ ଗୃହକୁ ୩୦ ମିନିଟ୍ ମୁଲତବୀ କରାଯାଇଛି । ଏହାପୂର୍ବରୁ ଆଜି ମମିତା ପ୍ରସଙ୍ଗରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କର ବହିଷ୍କାର ଦାବି କରି ବିରୋଧୀ ବିଜେପି ଓ କଂଗ୍ରେସ ଗୃହରେ ହୋହଲ୍ଲା କରିଥିଲେ । ଅନ୍ୟପଟେ ବିଜେଡି ମଧ୍ୟ ଜୟୀ ରାଜଗୁରୁଙ୍କ ମୁଖା ପିନ୍ଧି ପ୍ରତିବାଦ କରିଛି । ପାଇକ ବିଦ୍ରୋହକୁ ସ୍ୱାଧୀନତା ସଂଗ୍ରାମ ମାନ୍ୟତା ନ ମିଳିବା ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବା ସହ ବର୍ଷିଥିଲେ ବିଜେଡି ବିଧାୟକ । ଯେଉଁଥିପାଇଁ ଗୃହକୁ ମୁଲତବୀ କରିଥିଲେ ବାଚସ୍ପତି । ତେବେ ଗୃହର ଅଚଳାବସ୍ଥା ପାଇଁ ଶାସକ ଦଳ ଦାୟୀ ବୋଲି ଅଭିଯୋଗ କରିଥିଲେ ବିରୋଧୀ  । ଏପରିକି ଗୃହକାର୍ଯ୍ୟ ସ୍ୱାଭାବିକ କରିବାକୁ ବାଚସ୍ପତି କାହିଁକି ସର୍ବଦଳୀୟ ବୈଠକ ଡାକୁନାହାନ୍ତି ବୋଲି ପ୍ରଶ୍ନ କରିଥିଲେ ।