ସର୍ବଦଳୀୟ ବୈଠକ ପରେ ବି ସ୍ୱଭାବିକ ହୋଇପାରିଲାନି ଗୃହ: କାଲି ୧୦ଟା ୩୦ ଯାଏଁ ମୁଲତବୀ ଘୋଷଣା କଲେ ବାଚସ୍ପତି

67

କନକ ବ୍ୟୁରୋ: ବିଧାନସଭାର ଶୀତକାଳୀନ ଅଧିବେଶନର ଦ୍ବିତୀୟ ଦିନରେ ମଧ୍ୟ ନାରାବାଜି ଦେଖିବାକୁ ମିଳିଛି। ଚାଷୀ ପ୍ରସଙ୍ଗକୁ କେନ୍ଦ୍ର କରି ବିରୋଧୀ ବିଜେପି ଓ କଂଗ୍ରେସର ବିଧାୟକମାନେ ଗୃହକୁ ସ୍ବାଭାବିକ ଭାବରେ ଚାଲିବାକୁ ଦେଇନାହାନ୍ତି। ନାରାବାଜି ଭିତରେ ବିଭିନ୍ନ କମିଟିର ରିପୋର୍ଟ ଉପସ୍ଥାପନ ହୋଇଛି। ଆଜି ଅପରାହ୍ନ ସାଢ଼େ ୪ଟା ପର୍ୟ୍ୟନ୍ତ ଗୃହ ମୁଲତବି ଥିଲା। ଏହା ପରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ସର୍ବଦଳୀୟ ବୈଠକ ଡାକିଥିଲେ। କିନ୍ତୁ ସର୍ବଦଳୀୟ ବୈଠକ ପରେ ବି ଗୃହ ସ୍ୱାଭାବିକ ହୋଇପାରି ନ ଥିଲା। କଂଗ୍ରେସ ଏବଂ ବିଜେପିର ସଦସ୍ୟମାନେ ଗୃହ ମଧ୍ୟରେ ହଟ୍ଟଗୋଳ କରିଥିଲେ। ଫଳରେ ବାଚସ୍ପତି ଗୃହକୁ ଆସନ୍ତାକାଲି (ଶନିବାର) ସକାଳ ସାଢ଼େ ୧୦ଟା ପର୍ୟ୍ୟନ୍ତ ମୁଲତବି ରଖିଛନ୍ତି।

ସୂଚନାଯୋଗ୍ୟ, ବିଧାନସଭାର ଶୀତକାଳୀନ ଅଧିବେଶନ ଚଳିତ ମାସ ୨୪ ତାରିଖରୁ ଆରମ୍ଭ ହୋଇଛି। ଆଜି ଦ୍ବିତୀୟ ଦିନ(ଶୁକ୍ରବାର)ରେ ଗୃହ ଆରମ୍ଭରୁ ଚାଷୀ ପ୍ରସଙ୍ଗରେ ବିରୋଧୀ ଓ ଶାସକଦଳର ସଦସ୍ୟମାନେ ମୁହାଁମୁହିଁ ହୋଇଥିଲେ। ଶାସକ ଦଳ ପକ୍ଷରୁ ଏମଏସପି ବୃଦ୍ଧି ଦାବି ହୋଇଥିଲା। ଅପରପକ୍ଷରେ ବିଜେପି ଓ କଂଗ୍ରେସ ସଦସ୍ୟମାନେ ପ୍ରଧାନମନ୍ତ୍ରୀ ଫସଲ ବୀମା ପ୍ରସଙ୍ଗ ଉଠାଇଥିଲେ। ଏହାଫଳରେ ଗୃହରେ ପ୍ରବଳ ହଟ୍ଟଗୋଳ ସୃ‌ଷ୍ଟି ହୋଇଥିଲା। ଏହାପରେ ବାଚସ୍ପତି ବିକ୍ରମକେଶରୀ ଆରୁଖ ଦିନ ୧୧ଟା ୩୦ ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଥିଲେ। ଏହାପରେ ଉଭୟ ଶାସକ ଓ ବିରୋଧୀ ଦଳର ସଦସ୍ୟମାନେ ଗୃହ ବାହାରେ ଧାରଣା ଦେଇଥିଲେ।