ବିଧାନସଭା ଆରମ୍ଭରୁ ଅଚଳ: ନାବାଳିକାକୁ ଦୁଷ୍କର୍ମ ଓ ନିଖୋଜ ପ୍ରସଙ୍ଗରେ ବିରୋଧୀଙ୍କ ହୋହାଲ୍ଲା; ଦିନ ୩ଟା ଯାଏଁ ଗୃହ ମୁଲତବୀ

130

କନକ ବ୍ୟୁରୋ: ବିଧାନସଭା ଆରମ୍ଭରୁ ହଟ୍ଟଗୋଳ । ନାବାଳିକାକୁ ଦୁଷ୍କର୍ମ ଓ ନିଖୋଜ ପ୍ରସଙ୍ଗରେ ଗୃହର ମଧ୍ୟଭାଗକୁ ଆସି ହୋହାଲ୍ଲା କରିଛନ୍ତି ବିଜେପି ସଦସ୍ୟ । ତେବେ କଂଗ୍ରେସ ବିଧାୟକମାନେ ନିଜ ନିଜ ଆସନରେ ଛିଡା ହୋଇ ଏହି ପ୍ରସଙ୍ଗରେ ଉଦବେଗ ପ୍ରକାଶ କରିଥିଲେ । ଗୃହ ଚାଲି ନପାରିବାରୁ ଅପରାହ୍ନ ୩ଟା ଯାଏ ଗୃହ ମୁଲତବୀ ରଖାଯାଇଛି । ଏହି ପ୍ରସଙ୍ଗରେ ଗତକାଲି ମଧ୍ୟ ବିରୋଧୀମାନେ ହଟ୍ଟଗୋଳ କରିବା ସହ କଂଗ୍ରେସ ବିଧାୟକମାନେ ବିଧାନସଭା ବାହାରେ ବସିଥିଲେ ।

ଯେଉଁକାରଣରୁ ଗୃହ ବାରମ୍ବାର ଅଚଳ ହୋଇଥିଲା । ଏହି ପ୍ରସଙ୍ଗରେ ଆଲୋଚନା କରି ଗତକାଲି କଂଗ୍ରେସ ନେତା ନରସିଂହ ମିଶ୍ର ପ୍ରଶ୍ନ କରିଥିଲେ, ଦାୟିତ୍ୱବାନ ସରକାରଙ୍କ ଦାୟିତ୍ୱ କଣ । ୨୦୧୯ ଜାନୁଆରୀରୁ ଜୁନ ମଧ୍ୟରେ ରାଜ୍ୟର ୧୦୦୫ ନାବାଳିକା ଦୁଷ୍କର୍ମ ମାମଲା ରୁଜୁ ହୋଇଛି । ୨୦୧୯ରେ ୩ ମାସରେ ୫୦୨ ନାବାଳିକା ନିଖୋଜ ଅଛନ୍ତି କିନ୍ତୁ ପୋଲିସ ଖୋଜିକି ପାଉନି ବୋଲି ଅଭିଯୋଗ କରିଥିଲେ ନରସିଂହ ମିଶ୍ର ।

ଗୋଟିଏ ପଟେ ଏହି ପ୍ରସଙ୍ଗରେ ବିଧାନସଭା ହୁଲୁସ୍ତୁଲ ହେଉଥିବାବେଳେ ଅନ୍ୟପଟେ ପୁଣି ଦୁଇଟି ସ୍ଥାନରେ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ସୁନ୍ଦରଗଡ ହେମଗିରି ଥାନା ଗୋପାଳପୁର ନିକଟ ଜଙ୍ଗଲରୁ ଜଣେ ନାବାଳିକାର ମୃତଦେହ ମିଳିଛି । ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ପୋଲିସ ଘଟଣାସ୍ଥଳରେ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି । ୩ ଦିନ ହେଲା ନାବାଳିକା ଜଣକ ନିଖୋଜ ଥିଲେ ।

ସେପଟେ ରାଜଗାଙ୍ଗପୁରରେ ଜଣେ ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ କରାଯାଇଛି । ନାବାଳିକାର ଅଭିଯୋଗ ପରେ ପୋଲିସ ଜଣେ ଅଭିଯୁକ୍ତକୁ ଅଟକ ରଖିଛି । ଆଜି ପୁଣି ବୀରମିତ୍ରପୁର ଯାଏ ଜଣେ ନାବାଳିକାକୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।