ଆସନ୍ତାକାଲି ଯାଏଁ ଗୃହ ମୁଲତବୀ ଘୋଷଣା । କାଲି ୧୦.୩୦ ଯାଏଁ ଗୃହ ମୁଲତବୀ ରଖିଲେ ବାଚସ୍ପତି ।

89

କନକ ବ୍ୟୁରୋ: ବିରୋଧୀଙ୍କ ହୋହଲ୍ଲା ଓ ହଟ୍ଟଗୋଳ ଭିତରେ ଆସନ୍ତାକାଲି ଯାଏଁ ମୁଲତବୀ ରହିଲା ବିଧାନସଭା । ବିଧାନସଭାକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । କାଲି ୧୦ଟା ୩୦ ଯାଏଁ ବିଧାନସଭା ଗୃହକୁ ମୁଲତବୀ ରଖାଯାଇଛି ।

ଆଜି ତୃତୀୟ ଦିନରେ ବି ଠିକ୍ ଭାବେ ଚାଲି ପାରିନଥିଲା ଗୃହ । ଆରମ୍ଭରୁ ଗୃହରେ ମମିତା ମେହେର ଝଡ଼ ଦେଖିବାକୁ ମିଳିଥିଲା । ମନ୍ତ୍ରୀ ଦିବ୍ୟଶଙ୍କର ବହିଷ୍କାର ଦାବି କରି ବିରୋଧୀଙ୍କ ହଙ୍ଗାମା ପରେ ପ୍ରଥମେ ଗୃହକୁ ସାଢ଼େ ୧୧ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ ବାଚସ୍ପତି । ଏହାପରେ ମଧ୍ୟ ପ୍ଲାକାଡ଼ ଧରି ଗୃହ ମଧ୍ୟ ଭାଗରେ କଂଗ୍ରେସ ଓ ବିଜେପି ସଦସ୍ୟ ହଟ୍ଟଗୋଳ କରିଥିଲେ । ତେଣୁ ଦ୍ୱିତୀୟ ଥର ମଧ୍ୟ ହଟ୍ଟଗୋଳ ହେବାରୁ ଗୃହକୁ ୪ ଯାଏଁ ଗୃହକୁ ମୁଲତବୀ କରିଥିଲେ ବାଚସ୍ପତି ।

ଅପରାହ୍ନରେ ଗୃହକାର୍ଯ୍ୟ ଆରମ୍ଭ ହେବା ପରେ ମମିତା ମେହେର ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିବୃତ୍ତି ରଖିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ, ଏହା ଅତି ସମ୍ବେଦନଶୀଳ ଘଟଣା, ଏହି ଘଟଣାକୁ ରାଜନୀତିକରଣ କରାଯାଉଛି । ଅବସରପ୍ରାପ୍ତ ଜିଲ୍ଲା ଜର୍ଜ ଘଟଣାର ତଦନ୍ତ କରୁଛନ୍ତି । ବିନା ଭୟ ଓ ଦ୍ୱନ୍ଦ୍ୱରେ ପୋଲିସକୁ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଘଟଣାରେ ଯିଏ ଦୋଷୀ ସିଏ ଦଣ୍ଡ ପାଇବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ମୁଖ୍ୟମନ୍ତ୍ରୀ ଗୃହରେ ବିବୃତ୍ତି ରଖିବା ପରେ ବାଚସ୍ପତି ଗୃହକୁ ମୁଲତବୀ ଘୋଷଣା କରିଛନ୍ତି । ଆସନ୍ତାକାଲି ଦିନ ସାଢେ ୧୦ଟା ପର୍ଯ୍ୟନ୍ତ ବାଚସ୍ପତି ବିଧାନସଭାକୁ ମୁଲତବୀ ଘୋଷଣା କରିଛନ୍ତି ।