ଫେଲ୍ ମାରିଲା ସର୍ବଦଳୀୟ ବୈଠକ । ଆସନ୍ତାକାଲି ଯାଏଁ ଗୃହ ମୁଲତବୀ ।

129

କନକ ବ୍ୟୁରୋ : ବିଧାନସଭାରେ ପୁଣି ବିରୋଧୀଙ୍କ ହଟ୍ଟଗୋଳ । ଆସନ୍ତାକାଲି ସକାଳ ୧୦ଟା ୩୦ ଯାଏଁ ଗୃହକୁ ମୁଲତବୀ ରଖିଛନ୍ତି ବାଚସ୍ପତି । ତେବେ ଆଜି ବାଚସ୍ପତି ଡାକିଥିବା ସର୍ବଦଳୀୟ ବୈଠକ ମଧ୍ୟ ଫେଲ୍ ମାରିଛି । ସର୍ବଦଳୀୟ ବୈଠକ ପରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା । ବାଚସ୍ପତି କହିଥିଲେ, ସର୍ବଦଳୀୟ ବୈଠକରେ ସମାଧାନର ରାସ୍ତା ବାହାରୁଛି, ଆପଣଙ୍କ ଦଳର ନେତାଙ୍କୁ ପଚାରନ୍ତୁ ।

ତେବେ ବାଚସ୍ପତିଙ୍କ ମନ୍ତବ୍ୟ ପରେ ପୁନର୍ବାରବିରୋଧୀ ସଦସ୍ୟ ହୋହାଲ୍ଲା, ନାରାବାଜି କରିଥିଲେ । ତେବେ ହୋ ହାଲ୍ଲା ଭିତରେ ବିଭିନ୍ନ ବିଭାଗର କାଗଜ ଉପସ୍ଥାପନ କରିଛନ୍ତି ବିଭାଗୀୟ ମନ୍ତ୍ରୀ । ଏପରିକି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଗୃହରେ ରିପୋର୍ଟ ଉପସ୍ଥାପନ କରିଛନ୍ତି । ତେବେ ଆସନ୍ତାକାଲି ସକାଳ ୧୦ଟା ୩୦ ଯାଏଁ ଗୃହକୁ ମୁଲତବୀ ରଖିଛନ୍ତି ବାଚସ୍ପତି ।

ଆଜି ବି ବିଧାନସଭାରେ ହଙ୍ଗାମା ଦେଖିବାକୁ ମିଳିଥିଲା । ଉଭୟ ବିରୋଧୀ ଓ ଶାସକ ଦଳ ପକ୍ଷରୁ ହୋହଲ୍ଲା କରାଯାଇଥିଲା । ବାଚସ୍ପତି ଗୃହକୁ ଆସିବା ପୂର୍ବରୁ କଂଗ୍ରେସ ବିଧାୟକମାନେ ପୋଡିୟମ୍ ଚେୟାରକୁ ଫେରିଥିଲେ । ବାଚସ୍ପତି ଆସିବା ପରେ କଂଗ୍ରେସ ବିଧାୟକମାନେ ତାଙ୍କୁ ଘେରି ଯାଇଥିଲେ । ସେହିପରି ବିଜେପି ବିଧାୟକମାନେ ମମିତା ମେହେର ପ୍ରସଙ୍ଗରେ ପ୍ଲାକାର୍ଡ ଧରି ହଙ୍ଗାମା କରିଥିଲେ । ଗୃହ ମଧ୍ୟଭାଗକୁ ଆସି ପ୍ରତିବାଦ କରିଥିଲେ ବିଜେପି ସଦସ୍ୟ । ବିଜେଡି ସଦସ୍ୟମାନେ ନିଜ ନିଜ ଆସନରେ ଛିଡା ହୋଇ ଜୟୀ ରାଜଗୁରୁଙ୍କ ମୁଖା ପିନ୍ଧି ପ୍ରତିବାଦ କରିଥିଲେ । ପାଇକ ବିଦ୍ରୋହକୁ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ନ ମିଳିବା ପ୍ରସଙ୍ଗରେ ବିଜେଡି ପକ୍ଷରୁ ବିକ୍ଷୋଭ କରାଯାଇଥିଲା । ଫଳରେ ବାଚସ୍ପତି ଗୃହକୁ ଦିନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ ।