ଟିକି ବାଇ ଚଢ଼େଇ ସମାଜକୁ ଦିଏ ବଡ ସଂଦେଶ । ହେଲେ ଆଜି ବିପଦରେ ଏହି ପକ୍ଷୀ, ମଣିଷ ଜଙ୍ଗଲ କାଟି ଗଢୁଛି କଂକ୍ରିଟ ସହର, ଲୋପ ପାଉଛନ୍ତି ସମାଜକୁ ପ୍ରେରଣା ଯୋଗାଉଥିବା ଏହିପକ୍ଷୀ ।

492

କନକ ବ୍ୟୁରୋ: ବାଇ ଚଢେଇ । ଗୋଟିଏ ଛୋଟିଆ ପକ୍ଷୀ । ଯାହାର କାର୍ଯ୍ୟକଳାପକୁ ନେଇ ଆମ ପିଲାଦିନେ ସାହିତ୍ୟ ବହିରେ ପଢିଛେ । ପକ୍ଷୀଟି ଦେଖିବାକୁ ଯେତିକି ସୁନ୍ଦର ତାର ବସା ତିଆରି କରିବା କୌଶଳ ବି ସେତିକି ସୁନ୍ଦର । ସେ ତିଆରି କରିଥିବା ତଳମୁହାଁ ‘ବାୟା ବସା’ ଆଜିର ସମାଜକୁ ଅନେକ କିଛି ଶିଖାଏ । ତା ଜୀବନ ଶୈଳୀ ଲୋକଙ୍କୁ ବଂଚିବାର ବାଟ ଦେଖାଏ । ହେଲେ ଆଜିର ଏହି ଆଧୁନିକ ଚାକଚକ୍ୟ କଂକ୍ରିଟ ଦୁନିଆରେ ଲୋପ ପାଇବାକୁ ବସିଛନ୍ତି ମଣିଷ ସମାଜକୁ ପ୍ରେରଣା ବାଇ ଚଢେଇ ଭଳି ଅନେକ ଉତ୍ସ । ବାଇ ଚଢେଇକୁ ନେଇ ପଢ଼ନ୍ତୁ ମନ ପ୍ରଫୁଲ୍ଲିତ କରିଦେଲା ଭଳି କାହାଣୀ ।

ନାନାବାୟା ଗୀତ ଗାଇ ପିଲାକୁ ସୁଆଇ ଦିଏ ମାଆ । ବାଇ ଚଢେଇର ଉଦାହରଣ ଦେଇ ପିଲାଟି ଦିନରୁ ଜଣେ ଛୁଆକୁ ଜୀବନର ମୂଲ୍ୟ ବୁଝାଏ ମାଆ । କେବଳ ଏତିକି ନୁହେଁ ମଣିଷ ଜୀବନର ପ୍ରତିଟି ପାହାଚରେ ବାଇ ଚଢେଇର ଉଦାହରଣ ପରିଲଖିତ ହୁଏ । ସେ ଘର ତୋଳିବା ହେଉ ବା ଭବିଷ୍ୟତ ପାଇଁ ପୁଂଜି ସଂଚୟ କରିବା । ସବୁ କ୍ଷେତ୍ରରେ ମଣିଷଠୁ ପାଦେ ଆଗରେ ଏହି ଛୋଟିଆ ପକ୍ଷୀ ।

କ୍ଷୁଦ୍ର ଏକ ପକ୍ଷୀ, ବାଇ ଚଢେଇ । ହେଲେ ଏହାର ଜ୍ଞାନ କୌଶଳ ଏବଂ ବସା ନିର୍ମାଣ କାରିଗରୀ, ମଣିଷ ଶିଖାଇ ଦିଏ ଜୀବନ ଜିଇଁବାର କୌଶଳ । ନିଜ ଛୁଆକୁ ସୁରକ୍ଷିତ ରଖିବା ସହ ନିଜେ ସୁରକ୍ଷିତ ରହିବା ପାଇଁ ଜନବସତି ଠାରୁ ଢ଼େର ଦୂରରେ, ଉଚ୍ଚ ଗଛରେ ନିଡଟିଏ ତିଆରି କରେ ମାଆ ବାଇ ଚଢେଇ । କୁନି ଥଂଟରେ କାଠି କୁଟା ସଂଗ୍ରହ କରି ଗଛ ଡାଳରେ ଏକ ସୁନ୍ଦର ବସାଟିଏ ଝୁଲେଇ ଦିଏ । ବସାର ମୁହଁକୁ ତଳମୁହାଁ କରେ । ଫଳରେ ବାୟା ବସା ପବନରେ ଦୋହଲେ ସିନା ହେଲେ ବର୍ଷା-ଖରାରୁ ତା ବାଇ ଚଢେଇକୁ ସୁରକ୍ଷା ଦିଏ ।

ସବୁଠାରୁ ବଡ କଥା ହେଉଛି ଆଜିର ଦୁନିଆରେ ମଣିଷ ଯୌଥ ପରିବାରରୁ ଦୂରେଇ ଯାଉଥିବା ବେଳେ ଏମାନେ ଗୋଷ୍ଠୀଗତ ଭାବେ ରହୁନ୍ତି । ଆଉ ଏ ମଣିଷ ସମାଜକୁ ବୁଝାଇ ଦିଅନ୍ତି, ଗୋଟିଏ ପରିବାରରେ ଏକାଠି ରହିବାର ମହତ୍ୱ କେତେ । ବାଇ ଚଢେଇର ଜୀବନ ଶୈଳୀ ଆଗକୁ ଆସୁଥିବା ଝଡଝଂଜାକୁ ସାମ୍ନା କରିବା ପାଇଁ ସାହସ ଯୋଗାଏ । ସବୁ ପ୍ରତିକୂଳ ପରିସ୍ଥିିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ପ୍ରେରଣା ଦିଏ । କେବଳ ବାଇ ଚଢେଇ ନୁହେଁ, ପ୍ରାକୃତିକ ପରିବେଶ ଓ ଜୀବଜଗତ ଲୋକଙ୍କୁ ଅନେକ କିଛି ଶିଖାଏ, ହେଲେ ଆଜିର ଏହି ଆଧୁନିକ ସମାଜରେ ମଣିଷ କଂକ୍ରିଟ୍ ସହର ତୋଳୁଥିବା ବେଳେ ବାଇ ଚଢେଇ ଭଳି ଅନେକ ପ୍ରେରଣାର ଉତ୍ସ ଲୋପ ପାଇବାରେ ଲାଗିଛି ।