କନକ ବ୍ୟୁରୋ: ବିଶ୍ୱରେ କରୋନାର ଶିକାର ହୋଇଛନ୍ତି ଆଉ ଜଣେ ହାଇ ପ୍ରୋଫାଇଲ୍ ବ୍ୟକ୍ତି । ସଦ୍ୟତମ ରିପୋର୍ଟ ଅନୁସାରେ କରୋନା ସଂକ୍ରମଣର ଶିକାର ହୋଇଛନ୍ତି ସ୍ପେନ୍ ପ୍ରଧାନମନ୍ତ୍ରୀଙ୍କ ପତ୍ନୀ । ସ୍ପେନ୍ ପ୍ରଧାନମନ୍ତ୍ରୀଙ୍କ ପତ୍ନୀଙ୍କୁ କରୋନା ସଂକ୍ରମଣ ହୋଇଛି । ଆଗରୁ କାନାଡା ପ୍ରଧାନମନ୍ତ୍ରୀଙ୍କ ପତ୍ନୀଙ୍କୁ ବି କରୋନା ସଂକ୍ରମିତ କରି ସାରିଛି । ଏବେ ଏହି ତାଲିକାରେ ଯୋଡି ହୋଇଯାଇଛି ସ୍ପେନ୍ ପ୍ରଧାନମନ୍ତ୍ରୀଙ୍କ ପତ୍ନୀଙ୍କ ନାମ । ତେବେ ସ୍ପେନ୍ ପ୍ରଧାନମନ୍ତ୍ରୀ ସୁସ୍ଥ ଥିବା ଜଣାପଡିଛି । କରୋନା ସଂକ୍ରମଣ ରିପୋର୍ଟ ଆସିବା ପରେ ସ୍ପେନ୍ ପ୍ରଧାନମନ୍ତ୍ରୀଙ୍କ ପତ୍ନୀଙ୍କୁ ଅଲଗା ଭାବେ ଏକ କୋଠରୀରେ ରଖି ଚିକିତ୍ସା କରାଯାଉଛି ।
ସେପଟେ କରୋନାକୁ ନେଇ ପୁରା ସତର୍କ ହେଲେଣି ସ୍ପେନ୍ ସରକାର । ସ୍ପେନରେ ଏବେ ଜାରି ହୋଇଛି ‘ଲକ୍ ଡାଉନ୍’ । ଆଗାମୀ ୧୫ ଦିନ ଦେଶରେ ଜରୁରୀକାଳୀନ ସ୍ଥିତି ଜାରି କରାଯାଇଛି । ଅର୍ଥାତ୍ ଆଗାମୀ ୧୫ ଦିନ ସ୍ପେନରେ ପ୍ରାୟ ୪୭ ମିଲିୟନ ଲୋକ ଘରୁ ବାହାରିବା ନିଷେଧ କରାଯାଇଛି । କେବଳ ଖାଦ୍ୟ, ଔଷଧ ଏବଂ ଅନ୍ୟ ଜରୁରୀ ସାମଗ୍ରୀ କିଣିବାକୁ ଲୋକମାନେ ବାହାରକୁ ଆସିପାରିବେ ବୋଲି କୁହାଯାଇଛି ।
ସ୍ପେନରେ ବାର, ହୋଟେଲ, ଦୋକାନବଜାର , ସ୍କୁଲ କଲେଜ, ଫିଲ୍ମ ହଲ୍ , ଫୁଟବଲ ଗ୍ରାଉଣ୍ଡ ବନ୍ଦ ରହିଛି । ଶେଷ ଖବର ସୁଦ୍ଧା ସ୍ପେନରେ କରୋନା ସଂକ୍ରମଣରେ ମୃତ୍ୟୁ ସଂଖ୍ୟା ୧୯୩ରେ ପହଁଚି ସାରିଲାଣି । ଆକ୍ରାନ୍ତ ସଂଖ୍ୟା ୬ ହଜାର ୨୫୦ ରହିଛି । ଗତ ୨୪ ଘଂଟା ମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫ ଶହରୁ ଅଧିକ ହୋଇଯିବା ଚିନ୍ତାର କାରଣ ହୋଇଛି । ସ୍ପେନରେ ସବୁଠାରୁ ଅଧିକ ଆକ୍ରାନ୍ତ ରାଜଧାନୀ ମାଦ୍ରିଦରେ ରହିଛି । ଚୀନ, ଇରାନ, ଇଟାଲି ଓ ଦକ୍ଷିଣ କୋରିଆ ପରେ ବିଶ୍ୱରେ ପଂଚମ ଦେଶ ଭାବେ ସ୍ପେନରେ ଅଧିକ ଆତଙ୍କ ଖେଳାଇଛି କରୋନା ଭୂତାଣୁ ।