ସ୍ପେନ ଖବରକାଗଜରେ କଟାକ୍ଷ : ଭାରତୀୟ ଅର୍ଥନୀତିର ଅଭିବୃଦ୍ଧିକୁ ସାପୁଆ କେଳା ଛବି ଦ୍ୱାରା ଚିତ୍ରଣକୁ ନେଇ ବିବାଦ, ସମାଲୋଚନା କଲା ବିଜେପି

108

କନକ ବ୍ୟୁରୋ : ସ୍ପେନର ଏକ ଖବରକାଗଜରେ ଭାରତୀୟ ଅର୍ଥନୀତକୁ ନେଇ ପ୍ରକାଶିତ ଏକ କାର୍ଟୁନ ଉପରେ ବିବାଦ ହୋଇଛି । ଏହି କାର୍ଟୁନରେ ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ଉପରେ କଟାକ୍ଷ କରାଯାଇଛି । ଯାହାକୁ ନେଇ ସୋସିଆଲ ମିଡିଆରେ ଲୋକେ ସ୍ପେନର ଖବରକାଗଜ ଉପରେ ଖୁବ୍ ବର୍ଷିଛନ୍ତି । ଏହି କାର୍ଟୁନରେ ଭାରତର ଆର୍ଥିକ ଅଭିବୃଦ୍ଧିକୁ ସାପୁଆ କେଳା ଭାବେ ଚିତ୍ରଣ କରାଯାଇଛି ।

ଏଥିରେ ଭାରତୀୟ ଅର୍ଥନୀତିକୁ ଦର୍ଶାଇବା ପାଇଁ ବ୍ୟବହୃତ ଏକ ସାପ ଗ୍ରାଫ ଉପରେ ଚଢ଼ୁଥିବା ଦେଖିବାକୁ ମିଳିଛି । ରିପୋର୍ଟ ଅନୁସାରେ, ସ୍ପେନର ଅନ୍ୟତମ ଅଗ୍ରଣୀ ଖବରକାଗଜ ‘ଲା- ଭାଙ୍ଗୁଆର୍ଡିଆ’ ଅକ୍ଟୋବର ୯ ତାରିଖରେ ଏହାର ସପ୍ଲିମେଣ୍ଟ ଡିନେରୋର ପ୍ରଥମ ପୃଷ୍ଠାରେ ଏହି କାର୍ଟୁନକୁ ପ୍ରକାଶ କରିଥିଲା । ଏହି କାର୍ଟୁନର ଶୀର୍ଷକ ‘ଦି ଆୱାର ଅଫ୍ ଇଣ୍ଡିଆନ୍ ଇକୋନମୀ’ ରଖାଯାଇଛି । ଏସିଆ ମହାଦେଶର ଏହି ଦେଶ ଏକ ଉଦୀୟମାନ ଶକ୍ତିଭାବେ ଚୀନ୍ ଠାରୁ ଆଗକୁ ବଢ଼ୁଛି ବୋଲି କାର୍ଟୁନରେ ଉଲ୍ଲେଖ କରାଯାଇଛି । ଏହି କାର୍ଟୁନକୁ ସୋସିଆଲ ମିଡିଆରେ କିଛି ଲୋକେ ସେୟାର କରିଛନ୍ତି, ଯେଉଁଥିରେ ବିଜେପି ସାଂସଦ ପିସି ମୋହନ ସାମିଲ୍ ଅଛନ୍ତି ।

ସେ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଲେଖିଛନ୍ତି, ସ୍ପେନ ସାପ୍ତାହିକର ଟପ୍ ଷ୍ଟୋରୀରେ ଭାରତୀୟ ଅର୍ଥନୀତି ବିଷୟରେ ବାହାରିଛି । ଯେତେବେଳେ ଭାରତର ଶକ୍ତିଶାଳୀ ଅର୍ଥନୀତି ବିଶ୍ୱସ୍ତରରେ ସ୍ୱୀକୃତି ଲାଭ କରୁଛି, ସେତେବେଳେ ସ୍ୱାଧୀନତାର ଦଶନ୍ଧି ପରେ ମଧ୍ୟ ଆମ ଭାବମୂର୍ତ୍ତିକୁ ସାପୁଆ କେଳା ଭାବେ ଚିତ୍ରଣ କରିବା ମୁର୍ଖତାର ପରିଚୟ । ବିଦେଶୀ ମାନସିକତା ବଦଳାଇବା ଏକ କଠିନ କାମ ବୋଲି ସେ ଲେଖିଛନ୍ତି । ନିକଟରେ ବ୍ରିଟେନକୁ ପଛରେ ପକାଇ ଭାରତ ଦୁନିଆର ପଞ୍ଚମ ବୃହତ ଆର୍ଥିକ ଅଭିବୃଦ୍ଧିଶୀଳ ଦେଶ ହୋଇଛି ।