କନକ ବ୍ୟୁରୋ : ବୁଥ ବାହୁଡା ମତ ବା ଏକଜିଟ୍ ପୋଲ୍ ପ୍ରକାଶ ପାଇବା ପରେ ଏବେ ଉତ୍ତରପ୍ରଦେଶ ରାଜନୀତି ଚଳଚଞ୍ଚଳ ହୋଇ ଉଠିଛି । ଆସନ୍ତା ୧୦ ତାରିଖରେ ଖୋଲିବ ଇଭିଏମ, ସ୍ପଷ୍ଟ ହୋଇଯିବ କିଏ ଗଢିବ ସରକାର । ତେବେ ବୁଥ ବାହୁଡା ମତରେ ଉତ୍ତରପ୍ରଦେଶରେ ବିଜେପି ପୁଣିଥରେ ସରକାର ଗଢିବ ବୋଲି ଅନୁମାନ କରାଯାଉଛି । ତେବେ ଏହି ଏକଜିଟ୍ ପୋଲର ଅନୁମାନକୁ ନେଇ ସମାଜବାଦୀ ପାର୍ଟି ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି ଯେ, ୧୦ ମାର୍ଚ୍ଚର ଫଳାଫଳ କହିବ, ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି ସରକାର ଗଢିବ ।
ଆଉ ସମାଜବାଦୀ ପାର୍ଟିର ଏହି ଟ୍ୱିଟକୁ ଠିକ୍ ବୋଲି କହିଛି ସହଯୋଗୀ ଦଳ ଏସବିଏସପି । ଦଳର ମୁଖ୍ୟ ଓମପ୍ରକାଶ ରାଜଭର କହିଛନ୍ତି, ବୁଥ ବାହୁଡା ମତ କେବେ ସଠିକ୍ ହୋଇନଥାଏ । ୧୦ ତାରିଖରେ ସମାଜବାଦୀ ପାର୍ଟିର ଗଠବନ୍ଧନ ପ୍ରଚଣ୍ଡ ବହୁମତ ସହ ସରକାର ଗଢିବ । ଏକଜିଟ୍ ପୋଲ ସବୁବେଳେ ଚାହା ଦୋକାନରେ ହୋଇଥାଏ । ଯେଉଁଠି ସବୁବେଳେ ବିଜେପି ସମର୍ଥକ ଡେରା ପକାଇ ବସିଥାନ୍ତି । ସମାଜବାଦୀ ପାର୍ଟି ସରକାର ଗଢିବ ଓ ଅଖିଳେଶ ଯାଦବ ମୁଖ୍ୟମନ୍ତ୍ରୀ ହେବେ ।
10 मार्च को नतीजे बताएंगे, सरकार हम ही बनाएंगे... pic.twitter.com/SM55jNjssv
— Samajwadi Party (@samajwadiparty) March 8, 2022
ଏକଜିଟ୍ ପୋଲକୁ ନେଇ ଆରଜେଡି ନେତା ତେଜସ୍ୱୀ ଯାଦବ କହିଛନ୍ତି, ଏକଜିଟ୍ ପୋଲର ଫଳାଫଳକୁ ନେଇ ଲଡୁ ଖାଇବାର ମଜା ନେଉ ବିଜେପି । କିନ୍ତୁ ୧୦ ମାର୍ଚ୍ଚରେ ଆସିବାକୁ ଥିବା ଫଳାଫଳର ବିଜୟ ଲଡୁ ଅଖିଳେଶ ଯାଦବ ହିଁ ଖାଇବେ । ଅନ୍ୟପଟେ ବିହାର ବିଜେପି ନେତା କହିଛନ୍ତି, ଗୁଜୁରାଟରେ ଯେମିତି ଲଗାତାର ବିଜୟୀ ହୋଇ ମୋଦୀ ରେକର୍ଡ କରିଥିଲେ ଠିକ୍ ସେହିଭଳି ଉତ୍ତରପ୍ରଦେଶରେ ମଧ୍ୟ ଯୋଗୀ ଆଦିତ୍ୟନାଥ ଜିତିବା ସହ ନୂଆ ଇତିହାସ ରଚିବେ ।