ସ୍ମିତାରାଣୀ ମୃତ୍ୟୁ ମାମଲାର ରହସ୍ୟ ଖୋଲିଲା ପୁଲିସ । ଏସପି କହିଲେ, ସରପଂଚଙ୍କ ସ୍ୱାମୀ ରୁପେଶ ଭଦ୍ର ସହ ଥିଲା ସ୍ମିତାଙ୍କ ସଂପର୍କ, ଝଗଡ଼ା ପରେ କଲେ ଆତ୍ମହତ୍ୟା । ପୋଲିସର ମତକୁ ପରିବାର ଲୋକଙ୍କ ପ୍ରତ୍ୟାଖ୍ୟାନ ।

779

କନକ ବ୍ୟୁରୋ : ଧର୍ମଶାଳା ବ୍ଲକ୍ ଭିଏଲଡବବ୍ଲ୍ୟୁ ସ୍ମିତାରାଣୀ ମୃତ୍ୟୁ ମାମଲାର ପର୍ଦ୍ଦାଫାସ କରିଛନ୍ତି ଯାଜପୁର ଏସପି । ପ୍ରେସମିଟ୍ କରି କହିଛନ୍ତି ସ୍ମିତାରାଣୀ ଆତ୍ମହତ୍ୟା କରିଛନ୍ତି । ସରପଂଚଙ୍କ ସ୍ୱାମୀଙ୍କ ସହ ସ୍ମିତାରାଣୀଙ୍କ ସଂପର୍କ ଥିଲା । ଗତ କିଛି ଦିନ ହେବ ସେମାନଙ୍କ ସମ୍ପର୍କରେ ତିକ୍ତତା ଲାଗି ରହିଥିଲା । ଝଗଡାରୁ ସେ ଆତ୍ମହତ୍ୟା କରଥିବା ନିଜେ ରୁପେଶ ସ୍ୱୀକାର କରିଥିବା ପୁଲିସ କହିଛି । ପୋଷ୍ଟମର୍ଟମ ରିପୋର୍ଟରେ ସ୍ମିତାରାଣୀଙ୍କ ଗଳାରେ ରଶିର ଦାଗ ରହିଥିବା ବେଳେ ତାଙ୍କ ଶରୀରରେ କୌଣସି କ୍ଷତ ଚିହ୍ନ ନଥିବା ପୁଲିସ କହିଛି । ତେବେ ଏହାକୁ ଗ୍ରହଣ କରି ନାହାନ୍ତି ସ୍ମିତାଙ୍କ ପରିବାର ଲୋକ ।

ସ୍ମିତାରାଣୀ ମୃତ୍ୟୁ ମାମଲାରେ ଆସିଲା ନୂଆ ମୋଡ଼ । ସରପଞ୍ଚଙ୍କ ସ୍ୱାମୀ ସହ ଥିଲା ପ୍ରେମସଂପର୍କ ! ମୃତ୍ୟୁ ରହସ୍ୟ ଖୋଲିଲା ପୋଲିସ, ଅଭିଯୁକ୍ତ ରୂପେଶ ଭଦ୍ର ଗିରଫ । ଧର୍ମଶାଳା ପଂଚାୟତ ସମ୍ପ୍ରସାରଣ ଅଧିକାରୀ ସ୍ମିତାରାଣୀଙ୍କ ମୃତ୍ୟୁକୁ ନେଇ ସାରା ରାଜ୍ୟରେ ତମ୍ବିତୋଫାନ ଚାଲିଥିବା ବେଳେ ଘଟଣା ଉପରୁ ପରଦା ଉଠାଇବା ସହ ନୂଆ ଥିଓରୀ ରଖିଛି ପୁଲିସ । ସ୍ମିତାରାଣୀ ଆତ୍ମହତ୍ୟା କରିଥିବା ପ୍ରେସମିଟ୍ କରି କହିଛନ୍ତି ଯାଜପୁର ଏସପି ଚରଣ ସିଂ ମୀନା । ପୋଲିସ କହିଛି, ହରିଦାସପୁର ସରପଂଚଙ୍କ ସ୍ୱାମୀ ରୂପେଶ ଭଦ୍ର ସହ ସ୍ମିତାରାଣୀଙ୍କ ପ୍ରେମ ସଂପର୍କ ଥିଲା ।

ଆଉ ଏହାରି ଭିତରେ ବଡ ପ୍ରଶ୍ନ ଉଠୁଛି, କାହିଁକି ଆତ୍ମହତ୍ୟା କଲେ ସ୍ମିତାରାଣୀ ? କ’ଣ କହୁଛି ପୋଲିସ ଥିଓରୀ ? ପୋଲିସର କହିବା ଅନୁସାରେ ବହୁ ମହିଳାଙ୍କ ସହ ରୂପେଶର ସଂପର୍କ ଥିଲା । ଯାହାକୁ ନେଇ ଦୁହିଁଙ୍କ ମଧ୍ୟରେ ଝଗଡା ଲାଗି ରହୁଥିଲା । ଝଗଡା ପରେ ସ୍ମିତାରାଣୀ ଆତ୍ମହତ୍ୟା କରଥିବା ରୂପେଶ ସ୍ୱୀକାର କରିଥିବା କହିଛନ୍ତି ଏସପି । ପୋଲିସ କହିଛି, ପୋଷ୍ଟମର୍ଟମ ରିପୋର୍ଟରେ ସ୍ମିତାରାଣୀଙ୍କ ଗଳାରେ ଦାଗ ରହିଛି । ଶରୀରର ଅନ୍ୟ କୌଣସି ସ୍ଥାନରେ କ୍ଷତ ଚିହ୍ନ ନାହିଁ ।

ସେପଟେ ହତ୍ୟା ଅଭିଯୋଗକୁ ଦୋହରାଇଛନ୍ତି ସ୍ମିତାରାଣୀଙ୍କ ବାପା । ସରପଂଚଙ୍କ ସ୍ୱାମୀ ରୂପେଶ ହିଁ ତାଙ୍କ ଝିଅର ହତ୍ୟାକାରୀ ବୋଲି ସେ ସିଧା ଅଭିଯୋଗ କରିଛନ୍ତି ।

ଗତ ୧୬ ତାରିଖ ଦିନ ପଂଚାୟତ ସଂପ୍ରସାରଣ ଅଧିକାରୀ ସ୍ମିତାରାଣୀ ବିଶ୍ୱାଳ, ହରିଦାସପୁର ଅଂଚଳରେ ଭତା ବାଂଟି ସାରିବା ପରେ ମଧ୍ୟାହ୍ନରେ ସରପଂଚଙ୍କ ସ୍ୱାମୀ ରୂପେଶ ଭଦ୍ରର ଗେଷ୍ଟହାଉସକୁ ଯାଇଥିଲେ । କିନ୍ତୁ ତା’ପରେ ତାଙ୍କର ଆଉ ପତା ମିଳିନଥିଲା । ଗେଷ୍ଟହାଉସର ଶୌଚାଳୟ ଭିତରୁ ଓଢଣୀରେ ଝୁଲିଥିବା ଅବସ୍ଥାରେ ମିଳିଥିଲା ସ୍ମିତାରାଣୀଙ୍କ ମୃତଦେହ । ଆଉ ଏପରି ସନ୍ଦେହଜନକ ମୃତ୍ୟୁକୁ ନେଇ ସାରା ରାଜ୍ୟରେ ଚାଂଚଲ୍ୟ ଖେଳି ଯାଇଥିଲା ।