ପୁଲିସ ବାବୁଙ୍କ ନାଲିଆଖି ! ସଟଡାଉନ ବେଳେ ଜୀବିକା ପାଇଁ ଆସିଥିବା ବୃଦ୍ଧ ବେପାରୀଙ୍କ କଦଳୀକୁ ଛଡାଇ ନେଲା ବ୍ରହ୍ମପୁର ପୁଲିସ । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ପରେ ଫେରାଇଲା ପ୍ରଶାସନ

420

କନକ ବ୍ୟୁରୋ: ବ୍ରହ୍ମପୁର ଗୋଷାଣୀ ନୂଆ ଗାଁରୁ ଆସିଛି ତାଲାବନ୍ଦ ସମୟର ଏପରି ଏକ ଚିତ୍ର ଯାହା ଦେଖିଲେ ଆପଣ ବି ଚିନ୍ତାରେ ପଡିଯିବେ । କରୋନା କାଳରେ ବ୍ରହ୍ମପୁରରେ ଲାଗୁ ହୋଇଛି ସଟଡାଉନ୍ । ଏହା ଭିତରେ ସମସ୍ତ ଛୋଟ ବ୍ୟବସାୟୀ ରୋଜଗାର ହରାଇଛନ୍ତି । ତେବେ ସାଇକେଲରେ ବୁଲି କଦଳୀ ବିକ୍ରି କରୁଥିବା ଜଣେ ବୃଦ୍ଧଙ୍କ ଉପରେ ପୋଲିସ ଦେଖାଇଛି ଦବଙ୍ଗଗିରି । ଖାକିର ବଳ ଦେଖାଇ ବୃଦ୍ଧ ବ୍ୟବସାୟୀଙ୍କୁ ତାଗିଦ୍ କରିବା ସହ ଆଦାୟ କରିଥିଲା ଫାଇନ୍ ।

 

ସାଇକେଲରୁ ଉଠାଇ ନେଇଥିଲେ କଦଳୀ ଝୁଡି । ସମସ୍ତ କଦଳୀ ନେଇଗଲେ ଦେଲେନାହିଁ ପଇସାଟିଏ । ପୋଲିସର ଖାକି ବର୍ଦି ଦେଖି ବୃଦ୍ଧ ବେପାରୀ ଜଣକ ଭୟରେ କାନମୁଣ୍ଡ ଆଉଁଶି ଚାଲି ଯାଇଥିଲେ । ଏହି ଘଟଣା ସୋସିଆଲ୍ ମିଡିଆରେ ଭାଇରାଲ ହେବା ପରେ ଘଟଣା ଏସପିଙ୍କ ନଜରକୁ ଆସିଥିଲା । ବ୍ରହ୍ମପୁର ଏସପି , ସଂପୃକ୍ତ ବୃଦ୍ଧ ବ୍ୟବସାୟୀଙ୍କୁ ଡକାଇ ପୋଲିସ ନେଇ ଯାଇଥିବା କଦଳୀ ଝୁଡି , ତାଙ୍କ ଠାରୁ ଆଦାୟ ହେଉଥିବା ଫାଇନ୍ ଫେରାଇଥିଲେ । ଏହି ଘଟଣା ଦୁର୍ଭାଗ୍ୟଜନକ ବୋଲି ଟୁଇଟ୍ କରି କହିଛନ୍ତି ପୋଲିସ ଏସପି । ଏପରି କାଣ୍ଡ ଘଟାଇଥିବା ପୋଲିସ କର୍ମୀଙ୍କୁ ସୋ କଜ୍ ନୋଟିସ୍ କରିଛନ୍ତି ।