କନକ ବ୍ୟୁରୋ: ଲୋକସଭା ନିର୍ବାଚନ ପରେ ୟୁପିରେ ବିଧାନସଭା ସିଟ୍ ପାଇଁ ଉପ ନିର୍ବାଚନ ହେବାକୁ ଅଛି । ଆଉ ଏହା ପୂର୍ବରୁ ବଡ ଘୋଷଣା କରିଛନ୍ତି ଚନ୍ଦ୍ରଶେଖର ଆଜାଦ୍ । ଆଗକୁ ୟୁପିରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ସମସ୍ତ ସିଟରେ ତାଙ୍କ ଦଳର ପ୍ରାର୍ଥୀ ଲଢିବେ ବୋଲି ସେ ଘୋଷଣା କରିଛନ୍ତି । ଚନ୍ଦ୍ରଶେଖର ସ୍ପଷ୍ଟ ଭାବେ କହିଦେଇଛନ୍ତି ଯେ, ୟୁପିରେ ହେବାକୁ ଥିବା ଉପ ନିର୍ବାଚନରେ ସମସ୍ତ ୧୦ଟି ଯାକ ସିଟରେ ତାଙ୍କ ଦଳ ଲଢିବ । ସବୁ ସିଟ୍ ପାଇଁ ସେ ପ୍ରାର୍ଥୀ ଦେବେ । ଏନେଇ ସେ ତାଙ୍କ ଦଳର ପଦାଧିକାରୀଙ୍କ ସହିତ କଥାବାର୍ତ୍ତା କରିସାରିଛନ୍ତି ବୋଲି ସୂଚନା ଦେଇଛନ୍ତି ।

Advertisment

ଏହାପୂର୍ବରୁ ଲୋକସଭା ନିର୍ବାଚନରେ ନଗୀନା ସିଟ୍ ସହ ଡୁମରିୟାଗଞ୍ଜ ସିଟରୁ ଆଜାଦ୍ ସମାଜ ପାର୍ଟି ପ୍ରାର୍ଥୀ ଦେଇଥିଲା । ଯେଉଁଥିରୁ ନଗୀନା ସିଟରୁ ଚନ୍ଦ୍ରଶେଖର ଆଜାଦ୍ ବିଜୟ ହାସଲ କରିଥିଲେ । ଅନ୍ୟପଟେ ଡୁମରିୟାଗଞ୍ଜ ସିଟରୁ ବିଜେପି ପ୍ରାର୍ଥୀ ବିଜୟୀ ହେଇଥିଲେ । ତେଣୁ ଆଗାମୀ ବିଧାନସଭା ଉପ ନିର୍ବାଚନରେ ଚନ୍ଦ୍ରଶେଖରଙ୍କ ଦଳ ଯଦି ସବୁ ସିଟ୍ ପାଇଁ ପ୍ରାର୍ଥୀ ଦିଏ, ତେବେ ଏହା ସପା-ବସପା ପାଇଁ ଅସୁବିଧା ସୃଷ୍ଟି କରିବ ।

ସୂଚନାଯୋଗ୍ୟ ଯେ, ୟୁପି ଉପ ନିର୍ବାଚନ ପାଇଁ ଏବେ ସବୁ ଦଳ ରଣନୀତି ପ୍ରସ୍ତୁତ କରିବାରେ ଲାଗିପଡିଲେଣି । କଂଗ୍ରେସ ଏଠି ସମାଜବାଦୀ ପାର୍ଟି ସହ ମିଶି ନିର୍ବାଚନ ଲଢିବା ଏକ ପ୍ରକାର ସ୍ପଷ୍ଟ । କୁହାଯାଉଛି ସମାଜବାଦୀ ପାର୍ଟି ୭ଟି ସିଟରେ ନିଜର ପ୍ରାର୍ଥୀ ଦେଇପାରେ ଏବଂ କଂଗ୍ରେସ ୩ଟି ଆସନରେ ନିଜର ପ୍ରାର୍ଥୀ ଦେଇପାରେ ।