ତାତି ବଢ଼ୁଥିବା ବେଳେ ଆସିଲା ଆଶ୍ୱସ୍ତିକଲା ଭଳି ଖବର: ମେ’ ୨୭ରେ କେରଳ ଛୁଇଁପାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

230

କନକ ବ୍ୟୁରୋ: ସାରା ଦେଶରେ ତାତି ବଢୁଥିବା ବେଳେ ଆଶ୍ୱସ୍ତିକର ଖବର ଦେଇଛି ଭାରତୀୟ ପାଣିପାଗ ବିଭାଗ । ସାଧାରଣତଃ ଜୁନ ୧ ତାରିଖରେ କେରଳ ଛୁଇଁଥାଏ ମୌସୁମୀ । କିନ୍ତୁ ଏଥର ୪ ଦିନ ପୂର୍ବରୁ ଅର୍ଥାତ୍ ମେ’ ୨୭ ତାରିଖରେ ମୌମୁମୀ ବାୟୁ ଭାରତକୁ ଆସିପାରେ ବୋଲି ଆକଳନ କରିଛି ଆଇଏମଡି । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଥମେ କେରଳରେ ପ୍ରବେଶ କରିଥାଏ । କେରଳ ଛୁଇଁଲେ ମୌସୁମୀ ବାୟୁର ଆଗମନ ନେଇ ସୂଚନା ମିଳିଥାଏ । ଆଉ ଏହା ଖରାଦିନରୁ ବର୍ଷାଦିନକୁ ଟ୍ରାନ୍ଜିସନ୍ର ସୂଚକ ଭାବେ ଧରାଯାଏ । ଏହାର ସପ୍ତାହକ ପରେ ଓଡ଼ିଶାରେ ମୌସୁମୀ ବାୟୁ ପ୍ରବେଶ କରିଥାଏ ।

ଚଳିତ ବର୍ଷ ଜୁନ ୫ ତାରିଖ ବେଳକୁ ଓଡ଼ିଶାକୁ ମୌସୁମୀ ଆସିବା ସମ୍ଭାବନା ରହିଛି । ୨୦୦୫ ମସିହାରୁ ମୌସୁମୀ ବାୟୁର ଆଗମନ ନେଇ ପୂର୍ବାନୁମାନ କରିଆସୁଛି ଭାରତୀୟ ପାଣିପାଗ ବିଭାଗ । ପୂର୍ବାନୁମାନର ୪ ଦିନ ଏପଟ-ସେପଟରେ ଭାରତକୁ ଆଗମନ କରିଥାଏ ମୌସୁମୀ । ୨୦୨୧ରେ ଜୁନ ୩ ତାରିଖରେ ମୌସୁମୀ ଆସିଥିଲା । ୨୦୨୦ରେ ଜୁନ ୧ ତାରିଖରେ ଏବଂ ୨୦୧୯ରେ ଜୁନ ୮ ତାରିଖରେ ମୌସୁମୀ ଆସିଥିଲା । ଏଥର ସ୍ୱାଭାବିକ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । କ୍ରମାଗତ ୪ ବର୍ଷ ଧରି ସ୍ୱାଭାବିକ କିମ୍ବା ତା’ଠାରୁ ଅଧିକ ବର୍ଷା ହେବ ବୋଲି ଆକଳନ କରାଯାଇଛି ।