କନକ ବ୍ୟୁରୋ : ଚଳିତ ବର୍ଷ ଦେଶରେ ସ୍ୱାଭାବିକ ମୌସୁମୀ ପ୍ରବାହ ହେବ ବୋଲି ଆଜି ସରକାର ବର୍ଷାଋତୁ ପାଇଁ ପୂର୍ବାନୁମାନ ଜାରି କରିଛନ୍ତି । ଅନ୍ଲାଇନ୍ ବ୍ରିଫିଙ୍ଗ୍ରେ ଭୂବିଜ୍ଞାନ ମନ୍ତ୍ରାଳୟର ସଚିବ ଏମ୍. ରାଜୀବନ୍ କହିଛନ୍ତି, ଏଥର ମୌସୁମୀ ପ୍ରବାହ ଜନିତ ବର୍ଷା ୯୮% ହେବ । ମୌସୁମୀ ପ୍ରବାହଜନିତ ଏହି ପରିମାଣର ବର୍ଷା ସ୍ୱାଭାବିକ ଶ୍ରେଣୀର ।
ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ପ୍ରଥମେ ସାଧାରଣତଃ ଜୁନ୍ ପ୍ରଥମ ସପ୍ତାହରେ କେରଳର ଦକ୍ଷିଣ ଅଞ୍ଚଳକୁ ସ୍ପର୍ଶ କରେ ଏବଂ ସେପ୍ଟେମ୍ବର ସୁଦ୍ଧା ରାଜସ୍ଥାନରୁ ପ୍ରତ୍ୟାବର୍ତ୍ତନ ଆରମ୍ଭ କରେ। ଏଥର ବର୍ଷା ଚାରିମାସରେ ସ୍ୱାଭାବିକ ବୃଷ୍ଟିପାତ ୯୬%ରୁ ୧୦୪% ମଧ୍ୟରେ ରହିବ । ସୂଚନାଯୋଗ୍ୟ, ପାଣିପାଗ ବିଭାଗ କହିଥିଲା ଯେ, ଗତ ସେପ୍ଟେମ୍ବର ମାସରେ ଦେଶରେ ମୌସୁମୀ ବର୍ଷା ସ୍ୱାଭାବିକ ଠାରୁ ଅଧିକ ଥିଲା । ଗତ ୩୦ ବର୍ଷ ମଧ୍ୟରେ ଏହା ଥିଲା ସେପ୍ଟେମ୍ବର ମାସରେ ସବୁଠୁ ଅଧିକ ବୃଷ୍ଟିପାତ ।