କନକ ବ୍ୟୁରୋ : ଭାରତୀୟ ପାଣିପାଗ ବିଭାଗ ତରଫରୁ ଆଜି କେରଳରେ ମୌସୁମୀ ବାୟୁ ପହଂଚିବା ନେଇ ପୂର୍ବାନୁମାନ କରିଛି । ଏନେଇ ପାଣିପାଗ ବିଭାଗ ତରଫରୁ କେରଳରେ ପ୍ରବଳ ବର୍ଷା ହେବ ବୋଲି ସତର୍କ କରାଯାଇଛି । ପାଣିପାଗ ବିଭାଗର ସୂଚନା ମୁତାବକ ଏବେ ମୌସୁମୀ ବାୟୁ ଲାକ୍ଷାଦୀପ ଓ ଦକ୍ଷିଣ ଆରବ ସାଗର ମଧ୍ୟଦେଇ ଆଗକୁ ବଢୁଛି ।

Advertisment

ପାଣିପାଗ ବିଭାଗର ସୂଚନା ମୁତାବକ ରାଜସ୍ଥାନ, ଛତିଶଗଡ, ଓଡିଶା, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ସହ କେରଳ, ମାହେ, କୋଙ୍କଣ, ଗୋଆ, ମଧ୍ୟ ମହାରାଷ୍ଟ୍ର, ଆନ୍ଧ୍ୟପଦୋଶ ତେଲେଙ୍ଗାନା ଓ କର୍ଣ୍ଣାଟକରେ ପ୍ରବଳ ବେଗରେ ପବନ ବୋହିବା ସହ ସ୍ଥାନେ ସ୍ଥାନେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।

ଭାରତରେ ଦକ୍ଷିଣ ପୂର୍ବ ମୌସୁମୀ ବାୟୁ ପ୍ରଥମେ କେରଳ ଛୁଇଁଥାଏ । ପାଣିପାଗ ବିଭାଗ ତରଫରୁ ଏପ୍ରିଲ ମାସରେ କୁହାଯାଇଥିଲା କି ଜୁନ ୩ କିମ୍ବା ୪ ତାରିଖରେ ମୌସୁମୀ ବାୟୁ କେରଳରେ ପହଂଚିବାର ସମ୍ଭାବନା ରହିଛି । ସେପଟେ ମୌସୁମୀ ବର୍ଷା ଉପରେ ଭରସା କରୁଥିବା ଭାରତୀୟ ଚାଷୀମାନେ ମୌସୁମୀକୁ ଚାତକ ପରି ଚାହିଁ ରହିଛନ୍ତି । ଏହାସହ ଅତ୍ୟାଧିକ ତାପମାତ୍ରା ଏବେ ଜନ ଜୀବନକୁ ଅସ୍ତବ୍ୟସ୍ତ କରୁଥିବାରୁ ସାଧାରଣ ଲୋକେ ମଧ୍ୟ ତାତିରୁ ମୁକ୍ତି ପାଇବାକୁ ମୌସୁମୀ ବର୍ଷାକୁ ଅପେକ୍ଷା କରିଛନ୍ତି ।