କେମିତି ଘଟିଲା ଏତେ ବଡ ଦୁର୍ଘଟଣା? କାରଣ ଖୋଜା ପରେ ସାମ୍ନାକୁ ଆସିଲା ସତ । ନିୟମଠାରୁ କମ୍ ଉଚ୍ଚତାରେ ଥିଲା ୧୧ କେଭି ବିଦ୍ୟୁତ ତାର । ତେଣୁ ସହଜରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଯାଇଥିଲା ବସ୍

ଘଟଣାସ୍ଥଳରେ ସାଉଥକୋ ଟିମର ଯାଂଚ ପରେ ସୂଚନା । ୬.୧ମିଟର ବଦଳରେ ୩.୧୪ ମିଟର ଉଚ୍ଚରେ ରହିଥିଲା ବିଦ୍ୟୁତ ତାର

1,337

କନକ ବ୍ୟୁରୋ: ଜଳିଗଲା ବସ୍, ଜୀବନ୍ତ ଦଗ୍ଧ ହେଲେ ଯାତ୍ରୀ । ଗଞ୍ଜାମ ରଙ୍ଗେଇଲୁଣ୍ଡା ବ୍ଲକରେ ଘଟିଛି ବଡ଼ ଧରଣର ଦୁର୍ଘଟଣା । ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳିଯାଇଛି ଯାତ୍ରୀବାହୀ ବସ୍ । ଘଟଣାରେ ୧୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୨୫ଜଣ ଗୁରୁତର ଥିବା ସୂଚନା ରହିଛି । ୨ରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣାସ୍ଥଳରେ ୮ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ହସ୍ପିଟାଲ ନେବା ବାଟରେ ୩ଜଣଙ୍କ ଜୀବନ ଯାଇଛି । ଘଟଣା ସ୍ଥଳରେ ପୋଲିସ ଓ ଅଗ୍ନିଶମ ବିଭାଗ ପହଂଚି ସ୍ଥାନୀୟ ଲୋକଙ୍କ ସାହାର୍ଯ୍ୟରେ ବସ୍ ଭିତରୁ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ । ଉଦ୍ଧାର କାର୍ଯ୍ୟରେ ୧୦ରୁ ଅଧିକ ଆମ୍ବୁଲାନ୍ସ ନିୟୋଜିତ ଥିଲା ।

ସୂଚନା ଅନୁସାରେ ନିର୍ବନ୍ଧ ପାଇଁ ‘ସିଲ୍କସିଟି’ ବସ୍ରେ ବାହାରି ଥିଲେ ୪୩ ଜଣ ଯାତ୍ରୀ । ଡ଼ଙ୍କଲପାଡ଼ୁରୁ ଚିକାରଡା଼ ଅଭିମୁଖେ ଯାଉଥିଲା ବସଟି । ମେନ୍ଦ୍ରାଜପୁରଠାରେ ଘଟିଥିଲା ଦୁର୍ଘଟଣା । ରାସ୍ତା ଉପରେ ଯାଇଥିବା ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବସରେ କଂରେଟ ଲାଗିଥିଲା । ଫଳରେ ଏତେ ବଡ଼ ଦୁର୍ଘଟଣା ଘଟିଯାଇଛି । ମୃତକଙ୍କ ମଧ୍ୟରେ ୬ଜଣ ମହିଳା, ୩ଜଣ ପୁରୁଷ ଏବଂ ୩ଜଣ ଶିଶୁ ଥିବା ନେଇ ସୂଚନା ରହିଛି । ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ବିଧାୟକ ବିକ୍ରମ କେଶରୀ ଆରୁଖ ପହଂଚି ଗୁରୁତରଙ୍କ ଚିକିତ୍ସା ବ୍ୟବସ୍ଥାର ତଦାରଖ କରିଛନ୍ତି ।

କମ୍ ଉଚ୍ଚତାରେ ଥିଲା ବିଦ୍ୟୁତ ତାର

ଅନ୍ୟପଟେ ବ୍ରହ୍ମପୁରମେନ୍ଦ୍ରାଜପୁରରେ ବସରେ କରେଂଟ ଲାଗି ମୃତ୍ୟୁ ଘଟଣାର ତଦନ୍ତ କରିଛି ସାଉଥକୋ । ଯାଂଚ ପରେ ଜଣାପଡିଛି କି, ଦୁର୍ଘଟଣା ଘଟିଥିବା ସ୍ଥାନରେ ତଥା ଉକ୍ତ ଅଂଚଳରେ ନିୟମଠାରୁ କମ୍ ଉଚ୍ଚତାରେ ରହିଥିଲା ୧୧ କେଭି ବିଦ୍ୟୁତ ତାର । କାରଣ ନିୟମ ଅନୁସାରେ, ୬.୧ ମିଟର ଉଚ୍ଚରେ ବିଦ୍ୟୁତ ତାର ରହିବ କଥା କିନ୍ତୁ ଏଠାରେ ମାଟି ଠାରୁ ମାତ୍ର ୩.୧୪ ମିଟର ଉଚ୍ଚରେ ରହିଥିଲା ବିଦ୍ୟୁତ ତାର । ଯାହା ଫଳରେ ବସଟି ତାରରେ ଲାଗିଯାଇଥିଲା ଆଉ ଏତେବଡ ଦୁର୍ଘଟଣାଟି ଘଟିଗଲା ।

ଦୋଷୀଙ୍କ ବିରୋଧରେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ

ଏପଟେ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ମନ୍ତ୍ରୀ କହିଛନ୍ତି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ । ଘଟଣାରେ ଯେଉଁମାନେ ଦାୟୀ ଥିବେ ତାଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆ ସରିଥିବା କଥା କହିଛନ୍ତି ପଦ୍ମନାଭ ।

ଅନୁକମ୍ପାମୂଳକ ସହାୟତା ଘୋଷଣା

ବ୍ରହ୍ମପୁର ମେନ୍ଦ୍ରାଜପୁରରେ ବସରେ କରେଂଟ ଲାଗି ମୃତ୍ୟୁ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହ ମୃତକଙ୍କ ପରିବାର ପ୍ରତି ୨ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଆହତଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ବ୍ରହ୍ମପୁର ଏମ୍କେସିଜି ମେଡ଼ିକାଲରେ ୨୫ ଜଣ ଆହତ ଭର୍ତି ହୋଇଥିବା ସୂଚନା ରହିଛି ।