କନକ ବ୍ୟୁରୋ : ଏଥର ଓଡ଼ିଶାରେ ଭଲ ବର୍ଷା । କେନ୍ଦୁଝର, ସୁନ୍ଦରଗଡ଼, ବୌଦ୍ଧ, ବରଗଡ଼ ଓ ଦେବଗଡ଼ ଆଦି ଜିଲ୍ଲାରେ ସ୍ବାଭାବିକଠାରୁ ଅଧିକ ବର୍ଷା ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଅନ୍ୟପଟେ ରାଜ୍ୟର ଅବଶିଷ୍ଟ ଅଞ୍ଚଳଗୁଡ଼ିକରେ ବର୍ଷା କେଉଁ ଅନୁପାତରେ ହେବ, ତାହା ଏବେଠାରୁ କହି ହେବନାହିଁ । ଆଇଏମ୍‌ଡି ପକ୍ଷରୁ କୁହାଯାଇଛି ଯେ ମୌସୁମୀ ପ୍ରଭାବରେ ସମଗ୍ର ଦେଶରେ ୯୬%ରୁ ୧୦୪% ବର୍ଷା ହେବାର ସମ୍ଭାବନା ରହିଛି । ଉତ୍ତର ଭାରତର ଅଧିକାଂଶ ଅଞ୍ଚଳ ସଂଲଗ୍ନ କେନ୍ଦ୍ର ଭାରତର ଅଞ୍ଚଳ ଓ ଉତ୍ତର ପଶ୍ଚିମ ଭାଗର କିଛି ସ୍ଥାନରେ ସ୍ୱାଭାବିକ କିମ୍ବା ତା’ଠାରୁ ଅଧିକ ବର୍ଷା ହୋଇପାରେ ।

ତେବେ ଉତ୍ତରପୂର୍ବ ଭାରତର ଅନେକ ସ୍ଥାନ, ଉତ୍ତର ପଶ୍ଚିମର କିଛି ଅଂଶ ଓ ଦକ୍ଷିଣ-ପୂର୍ବ ଭାଗରେ ସ୍ୱାଭାବିକଠାରୁ କମ୍‌ ବର୍ଷା ହେବାର ଆକଳନ କରିଛି ପାଣିପାଗ ବିଭାଗ । ଲଙ୍ଗ୍‌ ପିରିୟଡ ଆଭରେଜ୍‌ ଅନୁସା‌ରେ, ଦେଶରେ ୯୯% ବର୍ଷା ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଏହାର ୫% କମ୍‌ କିମ୍ବା ୫% ବେଶି ହେଲେ ମଧ୍ୟ ଏହାକୁ ସ୍ୱାଭାବିକ ବର୍ଷା ଭାବେ ବିବେଚନା କରାଯିବ । ୨୦୨୧ରେ ଦେଶରେ ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ସ୍ୱାଭାବିକ ବର୍ଷା ରେକର୍ଡ କରାଯାଇଥିଲା । ଏବେ କ୍ରମାଗତ ତୃତୀୟ ବର୍ଷ ପାଇଁ ଦେଶରେ ସ୍ୱାଭାବିକ ବର୍ଷା ହେବାକୁ ଯାଉଛି । ୨୦୧୯ ଓ ୨୦୨୦ରେ ଦେଶରେ ସ୍ୱାଭାବିକଠାରୁ ଅଧିକ ବର୍ଷା ରେକର୍ଡ କରାଯାଇଥିଲା । ମେ’ ୧୫ ତାରିଖ ଆଡ଼କୁ ମୌସୁମୀର ଆଗମନ ଓ ଏହାର ପ୍ରଭାବ ଉପରେ ସ୍ପଷ୍ଟ ସୂଚନା ମିଳିବ ବୋଲି ପାଣିପାଗ କେନ୍ଦ୍ର କହିଛି ।