ଓଡିଆ ଫିଲ୍ମ କରିବେ ସାଉଥ ପ୍ରଯୋଜକ: ଓଡିଆ ସଂସ୍କୃତିକୁ ନେଇ ଚଳଚ୍ଚିତ୍ର ଘୋଷଣା

320

କନକ ବ୍ୟୁରୋ: ଆସୁଛି ନୂଆ ସିନେମା। ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ନାଁରେ ସିନେମାର ନାମକରଣ କରାଯାଇଥିବା ବେଳେ ଆଜି ଏହାର ଅଡିଓ ରେକର୍ଡିଂ କାମ ଆରମ୍ଭ ହୋଇଛି । ଏକ ବଳିଷ୍ଠ ପ୍ରେମ କାହାଣୀକୁ ନେଇ ସିନେମାଟି ଆସୁଥିବା ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି।

ସିନେମାର ନାଁ ରହିଛି ‘ଲିଙ୍ଗରାଜ ମନ୍ଦିର’ । ଅନେକ ବର୍ଷ ତଳର ଐତିହ୍ୟ ଏଥିରେ ସ୍ଥାନ ପାଇଛି। ଖାଲି ସେତିକି ନୁହେଁ ଏଥିରେ ଏକ ନିଆରା ପ୍ରେମ କାହାଣୀକୁ ଚିତ୍ରଣ କରାଯାଇଛି। ମିଳିଥିବା ସୂଚନା ଅନୁସାରେ ଲିଙ୍ଗରାଜ ମନ୍ଦିର ନିକଟ ଖୋଳିବା ସମୟରେ ଏକ ପଥର ମୂର୍ତ୍ତୀ ମିଳୁଛି। ପରବର୍ତ୍ତୀ ସମୟରେ ଉକ୍ତ ମୂର୍ତ୍ତୀର ପ୍ରାଚୀନ ଇତିହାସ ଜଣାପଡୁଛି। ମୂର୍ତ୍ତୀଟି କାହାର ଏବଂ ମାଟି ତଳେ ତାହାକୁ କାହିଁକି ଓ କିଏ ପୋତିଥିଲା ତାହା ସିନେମାର ଶେଷ ଯାଏଁ ଦେଖିଲେ ଜଣାପଡ଼ିବ। ତେବେ ସିନେମାରେ ପ୍ରେମ, ପ୍ରଣୟ ସହ ବଳିଷ୍ଠ ନାଟକୀୟ ପୃଷ୍ଠଭୂମି ରହିଥିବା ଜଣାପଡିଛି।

ସବୁଠାରୁ ବଡ଼ କଥା ହେଲା, କାହାଣୀରେ ସଙ୍ଗୀତକୁ ଅଧିକ ଗୁରୁତ୍ବ ମିଳିଛି। ସିନେମାରେ ୬ଟି ଗୀତ ରହିଥିବା ବେଳେ ଗୁଡଲୀ ରଥ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ସେହିଭଳି ସିନେମାର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ସାଉଥ୍ ସିନେମାର ପ୍ରଖ୍ୟାତ ନିର୍ଦ୍ଦେଶକ ରବି ରୟାଲ। ଏ ସଞ୍ଜୁଙ୍କ ପ୍ରଯୋଜିତ ଏହି ସିନେମାରେ ରାଜଶେଖର ସହ ପ୍ରଯୋଜକ ଥିବା ବେଳେ ୟାଇ ରେଡ୍ଡୀ କ୍ୟାମେରା, ଚିତ୍ତରଞ୍ଜନ ଆଚାର୍ୟ୍ୟ ପ୍ରଡକ୍ସନ ଡିଜାଇନର ଓ ପ୍ରଣୟ ଜେଠି କ୍ରିଏଟିଭ ହେଡ ଭାବେ ଦାୟିତ୍ଵ ତୁଲାଉଛନ୍ତି।

ଓଡ଼ିଆ ସିନେମାରେ ପୁଞ୍ଜି ନିବେଶ କରିବାକୁ ଓଡ଼ିଆ ପ୍ରଯୋଜକ ପଛଘୁଞ୍ଚା ଦେଉଥିବା ବେଳେ ଏଥିରେ ଦକ୍ଷିଣ ଭାରତ ଓ ବମ୍ବେରୁ ପ୍ରଯୋଜକ ଏବଂ ନିର୍ଦ୍ଦେଶକ ଯୋଡ଼ି ଦେଖିବାକୁ ମିଳିଛି। ଯାହାକି ସିନେମାର ଗୁରୁତ୍ବ ଆହୁରି ବଢାଇ ଦେବା ସହ ମୌଳିକ ଓଡ଼ିଆ କାହାଣୀ ବଡ଼ ପରଦାରେ ପ୍ରଦର୍ଶିତ ହେବାକୁ ଯାଉଛି । ଆସନ୍ତା ଜାନୁଆରୀରୁ ସିନେମାର ସୁଟିଂ ଆରମ୍ଭ ହେବ।

ଭୁବନେଶ୍ୱର, ଗଡ ମଧୁପୁର, କୋରାପୁଟ, ଜୟପୁର, ରାୟଗଡ଼ା ଓ ବମ୍ବେରେ ସିନେମାର ସୁଟିଂ ହେବ ବୋଲି ଜଣାପଡିଛି । ଓଡିଶାରୁ ଅଭିନେତ୍ରୀ ଭୂମିକା ଅଭିନୟ ପାଇଁ ଚୁକ୍ତିବଦ୍ଧ ହୋଇଥିବା ବେଳେ ଅତିଶିଘ୍ର ବଲିଉଡ୍ ଓ ଓଲିଉଡ୍ କଳାକାର ଚୟନ କରାଯିବ ବୋଲି କ୍ରିଏଡିଭ୍ ହେଡ୍ ପ୍ରଣୟ ଜେଠୀ ସୂଚନା ପ୍ରଦାନ‌ କରିଛନ୍ତି।