ପୋଙ୍ଗଲ ପାଇଁ ଚଳଚଞ୍ଚଳ ଦକ୍ଷିଣ ଓଡିଶା । ଆଜିଠାରୁ ୩ ଦିନ ଧରି ପାଳନ କରିବେ ତେଲଗୁ ସଂପ୍ରଦାୟର ଲୋକେ

347

କନକ ବ୍ୟୁରୋ: ପୋଙ୍ଗଲ ପାଇଁ ଚଳଚଞ୍ଚଳ ହୋଇଛି ଦକ୍ଷିଣ ଓଡିଶା । ଆଜିଠାରୁ ଆରମ୍ଭ ହୋଇଥିବା ପୋଙ୍ଗଲ ଉତ୍ସବକୁ ୩ ଦିନ ଧରି ପାଳନ କରିବେ ତେଲଗୁ ଭାଷାଭାଷୀ ଲୋକେ । ଆଜି ପ୍ରଥମ ଦିନରେ ପାଳିତ ହେଉଛି ଭୋଗୀ । ଘରକୁ ସଫା ସୁତରା କରିବା ସହିତ ଗୃହର ଦ୍ୱାର ଦେଶରେ ବିଭିନ୍ନ ଡିଜାଇନର ରଙ୍ଗୋଲି କରିଛନ୍ତି । ଆସନ୍ତାକାଲି ନୂଆ ବର୍ଷ ପାଳନ ସହ ପୋଙ୍ଗଲ ଉତ୍ସବ ପାଳନ କରିବେ ତେଲଗୁ ସଂପ୍ରଦାୟର ଲୋକେ । ଘରେ ସମସ୍ତେ ନୂଆ ଲୁଗା ପିନ୍ଧି ନୂଆ ବର୍ଷ ପାଳନ କରିବେ । ମାଟି ପାତ୍ରରେ ଖିରି ଓ ଅନ୍ୟାନ୍ୟ ବ୍ୟଞ୍ଜନ ପ୍ରସ୍ତୁତ କରି ସୂର୍ଯ୍ୟ ଦେବଙ୍କୁ ଅର୍ପଣ କରାଯାଏ ।

ପୋଙ୍ଗଲ ପର୍ବର ପ୍ରଥମ ଦିନକୁ ଭୋଗୀ ପୋଙ୍ଗଲ କୁହାଯାଏ । ଏହିଦିନ ସକାଳୁ ନିଜ ଘରର ସମସ୍ତ ଅନାବଶ୍ୟକ ଜିନିଷ ଓ ଗୋବର ଘସିକୁ ନିଆଁ ଲଗାଇ ପୋଡନ୍ତି । ଶୀତ ଦିନରେ ଧରିତ୍ରୀ ମାଟି ମା ଥଣ୍ଡା ହୋଇଯାଇଥାଏ ।ଏହି ନିଆଁ ଜଳିବାଦ୍ୱାରା ମାଟି ମା ଉଷୁମ ହୋଇଥାଏ ବୋଲି ବିଶ୍ୱାସ ରହିଛି ।

ପେଡା ପଣ୍ଡଗା

ପୋଙ୍ଗଲ ପର୍ବର ଦ୍ୱିତୀୟ ଦିବସ ହେଉଛି ମକର ସଂକ୍ରାନ୍ତି । ଏହାର ତେଲୁଗୁ ଭାବାର୍ଥ ହେଉଛି ପେଡା ପଣ୍ଡଗା । ଏହିଦିନ ଚାଷୀମାନେ ଉତ୍ପାଦିତ ଫସଲ ଓ ଗାଈ ଗୋରୁଙ୍କୁ ପୂଜା କରି କରିଥାନ୍ତି । ପୂଜା ପରେ ଗାଈ କ୍ଷୀରକୁ ଚୂଲିରେ ଫୁଟାନ୍ତି । ସେହି କ୍ଷୀରରେ ଚାଉଳ ପକାଇ ଖିରୀ କରିଥାନ୍ତି ।ଏହି କ୍ଷୀରୀର ନାମ ପୋଙ୍ଗାଲୀ ବୋଲି କୁହାଯାଏ । ଏହି ଖିରୀ ନିଜ ଘର ବ୍ୟତୀତ ମନ୍ଦିରରେ ଓ ଚାଷ ଜମିରେ ମଧ୍ୟ କର ଯାଇଥାଏ । ଏହି ଖିରୀରେ ଚିନୀ ବ୍ୟବହାର କରାଯାଏ ନାହିଁ । କେବଳ ଗୁଡ ପକାଇ ଖିରୀ କରାଯିବାର ପରମ୍ପରା ରହିଛି । ଚାଷୀ କୁଳ ବ୍ୟତୀତ ଅନ୍ୟ ସାଧାରଣ ତେଲୁଗୁ ଲୋକମାନେ ଏହି ଦିନରେ ପିତୃ ପୁରୁଷଙ୍କୁ ପୂଜା କରିଥାନ୍ତି । ପୁରୁଷ ପିତୃ ପୁରୁଷଙ୍କୁ ଧୋତି ଯୋଡ ଓ ମହିଳା ପିତୃ ପୁରୁଷଙ୍କୁ ସୂତା ଶାଢୀ ବା ପାଟ ଲାଗି କରାଯାଇଥାଏ । ଏହା ପରେ ସମସ୍ତେ ନୂଆ ଲୁଗା ପିନ୍ଧିଥାନ୍ତି । ସାଧାରଣତଃ ଏହି ଦିନରେ କେହି ଆମିଷ ଖାଇନଥାନ୍ତି ।

କାନୁମା

ପୋଙ୍ଗଲ ପର୍ବର ତୃତୀୟ ଦିନକୁ କାନୁମା କୁହାଯାଏ । ଚାଷିକୂଳ ଚାଷ କରି ଫସଲ ଅମଳ କରିବା କାର୍ଯ୍ୟରେ ବ୍ୟସ୍ତ ରହି ଥକି ଯାଇଥାନ୍ତି ଓ ସେହି ଥକାକୁ କିଛି ମାତ୍ରାରେ ହ୍ରାସ ପାଇଁ ଏହି ଦିନ ଆନନ୍ଦ ଉଲ୍ଲାସର ସହିତ କବାଡି ଓ ତାସ ଖେଳନ୍ତି ,ପତଙ୍ଗ ଉଡାନ୍ତି, କୁକୁଡା ଲଢେଇର ମଜା ନେଇଥାନ୍ତି । ସମସ୍ତେ ଏହି ଦିନ ଆମିଷ ସେବନ କରନ୍ତି । ଲଢାଇ ପ୍ରତିଯୋଗିତାରେ ହଋ ଯାଇଥିବା କୁକୁଡା ଓ ବୋଦର ମାଂସକୁ ମଧ୍ୟ ଭୋଜି କରି ଖିଆ ଯାଇଥାଏ ।

ମୁକାନୁମା

ପୋଙ୍ଗଲ ପର୍ବର ଚତୁର୍ଥ ଦିନକୁ ମୁକାନୁମା କୁହାଯାଇଥାଏ । ଯଦି ତୃତୀୟ ଦିନ ଆମିଷ ଖାଇବା ବାର ପଡି ନଥାଏ ତେବେ ଏହି ଦିନରେ ଆମିଷ ଖିଆ ଯାଇଥାଏ । ଏହି ଦିନର ଅନ୍ୟ ଏକ ବିଶେଷତ୍ୱ ହେଉଛି ନବ ବିବାହିତା ଝିଅମାନେ ଶାଶୁ ଘରେ ଶାଶୁ ଘରର ପିତୃ ପୁରୁଷଙ୍କୁ ଚିହ୍ନି ଥାନ୍ତି ଓ ତାଙ୍କୁ ପୂଜା କରି ଭୋଗ ଖାଇସାରିବା ପରେ ନୂଆ ଲୁଗା ପିନ୍ଧିଥାନ୍ତି । ଏହା ପରେ ସ୍ୱାମୀ ସହ ନିଜ ପିତୃ ଗୃହକୁ ଯାଇଥାନ୍ତି ।