ଓଡ଼ିଶା ନିର୍ବାଚନର ଦକ୍ଷିଣ ମୋଡ଼, ନବୀନ ନିବାସରେ ନେତାଙ୍କ ଭିଡ଼ । କାହାକୁ ମିଳିବ ଟିକେଟ୍ ଛାତି ଧଡ଼ପଡ଼ ।

ପ୍ରଥମ ପର୍ଯ୍ୟାୟ ଅର୍ଥାତ୍ ଏପ୍ରିଲ୍ ୧୧ ତାରିଖରେ ଦକ୍ଷିଣ ଓଡ଼ିଶାରେ ଯାଉଥିବା ୪ଟି ସଂସଦୀୟ କ୍ଷେତ୍ରରୁ ଶୁଭାରମ୍ଭ ହେବ ବୋଲି ମୁଖ୍ୟ ନିର୍ବାଚନ କମିଶନ ଘୋଷଣା କରିଛନ୍ତି ।

357

କନକ ବ୍ୟୁରୋ: ନବୀନ ନିବାସରେ ଦକ୍ଷିଣ ଓଡ଼ିଶାର ନେତାମାନଙ୍କ ମେଳି । ଦକ୍ଷିଣ ଓଡ଼ିଶାର ହେଭିୱେଟ୍ ନେତା ତଥା ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓ, ମନ୍ତ୍ରୀ ବିକ୍ରମକେଶରୀ ଆରୁଖ, ନବରଙ୍ଗପୁର ଓ ରାୟଗଡ଼ା ଜିଲ୍ଲା ପର୍ଯ୍ୟବେକ୍ଷକ ସଂଜୟ ଦାସବର୍ମା, କୋରାପୁଟ ସାଂସଦ ଝିନ୍ନ ହିକକ୍କା, ବିଧାୟକ ଦେବାଶିଷ ସାମନ୍ତରାୟ ଓ ବିଜୁ ଯୁବ ଜନତା ଦଳର ସଭାପତି ଅମରେଶ ପତ୍ରୀ ନବୀନ ନିବାସରେ ଡ଼େରା ପକାଇଛନ୍ତି । କାରଣ ଓଡ଼ିଶାରେ ଆଗାମୀ ଲୋକସଭା ନିର୍ବାଚନ ୪ଟି ପର୍ଯ୍ୟାୟରେ ହେବ ଏବଂ ଏହାର ପ୍ରଥମ ପର୍ଯ୍ୟାୟ ଅର୍ଥାତ୍ ଏପ୍ରିଲ୍ ୧୧ ତାରିଖରେ ଦକ୍ଷିଣ ଓଡ଼ିଶାରେ ଯାଉଥିବା ୪ଟି ସଂସଦୀୟ କ୍ଷେତ୍ରରୁ ଶୁଭାରମ୍ଭ ହେବ ବୋଲି ମୁଖ୍ୟ ନିର୍ବାଚନ କମିଶନ ଘୋଷଣା କରିଛନ୍ତି । ତେଣୁ ଦକ୍ଷିଣ ଓଡ଼ିଶାର ହେଭିୱେଟ୍ ନେତାମାନେ ଘନଘନ ନବୀନ ନିବାସ ଯାଇ ବିଜେଡି ସୁପ୍ରିମୋଙ୍କ ଠାରୁ ଗୁରୁମନ୍ତ୍ର ନେଉଛନ୍ତି ବୋଲି ଚର୍ଚ୍ଚା ହେଉଛି ।

ସାଧାରଣ ନିର୍ବାଚନ ନେଇ ତାରିଖ ଘୋଷଣା ପରେ ନେତାଙ୍କ ହୃଦସ୍ପନ୍ଦନ ବଢ଼ିବାରେ ଲାଗିଛି । ଆଉ ଏହାର ଅଧିକ ପ୍ରଭାବ ଦକ୍ଷିଣ ଓଡ଼ିଶାର ନେତାମାନଙ୍କ ଉପରେ ପଡ଼ିଥିବା ଦେଖିବାକୁ ମିଳିଛି । ଆସନ୍ତା ଏପ୍ରିଲ ୧୧ ତାରିଖରେ ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ବ୍ରହ୍ମପୁର ଭଳି ୪ଟି ଲୋକସଭା ଓ ଏହା ଅଧିନରେ ଥିବା ୨୮ଟି ବିଧାନସଭା କ୍ଷେତ୍ରରେ ମତଦାନ ହେବ । ତେଣୁ ଆରମ୍ଭରୁ ଶାସକ ବିଜେଡି ବିରୋଧୀଙ୍କୁ ଚେକମା ଦେଲାଭଳି ପ୍ରାର୍ଥୀଙ୍କୁ ଚୟନ କରିବା ଏବଂ ସେମାନଙ୍କ ସ୍ଥିତି କିଭଳି ସେଠାରେ ରହିଛି ସେନେଇ ନବୀନ ନିବାସରେ ରିପୋର୍ଟ କାର୍ଡ଼ ତର୍ଜମା କରୁଛନ୍ତି ବିଜେଡି ସୁପ୍ରିମୋ ବୋଲି ଚର୍ଚ୍ଚା ହେଉଛି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ଏପ୍ରିଲ ୧୧ ତାରିଖ ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଆସନ୍ତା ୧୮ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବାକୁ ଥିବାବେଳେ ଆଉ କିଛି ଦିନ ମଧ୍ୟରେ ସମସ୍ତ ଦଳ ପ୍ରାର୍ଥୀ ମାନଙ୍କ ତାଲିକା ଘୋଷଣା କରିବେ । ତେବେ ଏଥର ଲଢ଼େଇ ଧୂଆଁଧାର ହେବ ବୋଲି ରାଜନୀତି ବିଶେଷଜ୍ଞ ଓ ବିଭନ୍ନ ସର୍ଭେ ରିପୋର୍ଟ କହୁଛି । ସେପଟେ ବିରୋଧୀ ଧିରେ ଧିରେ ଶକ୍ତିଶାଳୀ ହେଉଥିବାରୁ ଏହାକୁ ଗୁରୁତ୍ୱର ସହ ନେଇ ଶାସକ ବିଜେଡି ଯୋଗ୍ୟ ପ୍ରାର୍ଥୀଙ୍କୁ ମୈଦାନକୁ ଓହ୍ଲାଇବା ପାଇଁ ରଣନୀତି ପ୍ରସ୍ତୁତ କରିଥିବା ଶୁଣିବାକୁ ମିଳୁଛି । ତେଣୁ ବିଜେଡି ପ୍ରସ୍ତୁତ ରହିଛି ଏବଂ ଖୁବଶୀଘ୍ର ପ୍ରର୍ଥୀ ତାଲିକା ଘୋଷଣା କରିବ ବୋଲି ବିଜେଡି ସୁପ୍ରିମୋ ସ୍ପଷ୍ଟ କରିଛନ୍ତି ।