ବିଜୁଳି ବିଲ୍ ବାକି ଥିବାରୁ ବିଦ୍ୟୁତ୍ ସଂଯୋଗ କାଟିଦେଲା ସାଉଥକୋ । ହନ୍ତସନ୍ତ ମାଟ୍ରିକ ପରୀକ୍ଷାର୍ଥୀ, ଭବିଷ୍ୟତ ପାଇଁ ଭରଷା ପାଲଟିଛି ଲଣ୍ଠନ ଓ ମହମବତୀ ଆଲୁଅ ।

569

କନକ ବ୍ୟୁରୋ: ବିଜୁଳି ବିଲ୍ ଦେଇନଥିବା ଉପଭୋକ୍ତାଙ୍କ ବିଦ୍ୟୁତ୍ ସଂଯୋଗ ବିଛିନ୍ନ କରୁଛନ୍ତି ସାଉଥକୋ କର୍ତୁପକ୍ଷ । ସାଉଥକୋର ଏଭଳି କାର୍ଯ୍ୟ ପାଇଁ ହନ୍ତସନ୍ତ ମାଟ୍ରିକ ପରୀକ୍ଷାର୍ଥୀ । ଅନ୍ଧାରରେ ପାଠ ପଢ଼ୁଛନ୍ତି ଛାତ୍ରଛାତ୍ରୀ । ଏଭଳି ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକର ଡ଼େଙ୍ଗାପଦର ଗାଁରୁ ।

ବିଦ୍ୟୁତ ଅର୍ଥ ଆଦାୟ ନେଇ ବହୁ ଦିନ ହେବ ଗାଁରେ ବୁଗୁଡ଼ା ଏସଡ଼ିଓଙ୍କ ନେତୃତ୍ୱରେ ଟିମ୍ ଚଢ଼ାଉ କରିଥିଲା । କିଛି ଗ୍ରାହକ ବିଦ୍ୟୁତ ଅର୍ଥ ପୈଠ କରିଥିବା ବେଳେ ଅନ୍ୟ କିଛି ଗ୍ରାହକ କିଛି ଦିନ ସମୟ ମାଗିଥିଲେ । ଲୋକଙ୍କ ଗୁହାରି ଥିଲା ଘରେ ପିଲାମାନେ ଦଶମ ଶ୍ରେଣୀରେ ପରୀକ୍ଷା ଦେଉଛନ୍ତି ଆମକୁ କିଛି ଦିନ ସମୟ ଦିଅ । ହେଲେ ଗାଁ ଲୋକଙ୍କ ଏହି ଗୁହାରୀ ଶୁଣିନଥିଲେ ଅଧିକାରୀ , ବିଲ୍ ପଇଠ କରିନଥିବା ବିଦ୍ୟୁତ ଉପଭୋକ୍ତାଙ୍କ ସଂଯୋଗ ବିଚ୍ଛିନ୍ନ କରିଦେଇଥିଲେ ।

ଏବେ ବିଦ୍ୟୁତ ନଥିବାରୁ ଲଣ୍ଠନ, ମହମବତୀ ଆଲୁଅରେ ପାଠ ପଢ଼ୁଛନ୍ତି ଛାତ୍ରଛାତ୍ରୀ । ପରୀକ୍ଷା ସମୟରେ ସାଉଥକୋର ଏଭଳି କାର୍ଯ୍ୟକୁ ନାପସନ୍ଦ କରିଛନ୍ତି ଛାତ୍ରଛାତ୍ରୀ ଓ ଗ୍ରାମବାସୀ । ତେବେ ଏଠି ପ୍ରଶ୍ନ ଉଠୁଛି କ’ଣ ଦେଶର ଆଗାମୀ ଭବିଷ୍ୟତ ଗଢୁଥିବା କୁନି କୁନି ପିଲା ପାଇଁ ପ୍ରଶାସନ ଏମିତି କଲବଲ କରିବା କେତେ ଦୂର ଯଥାର୍ଥ ତାହା ସମୟ କହିବ ।