ଅଷ୍ଟ୍ରେଲିଆରେ ୬ ଦିନିଆ ଲକଡାଉନ୍: ବୁଧବାର ମଧ୍ୟରାତ୍ରରୁ ଲାଗୁହୋଇଛି କଟକଣା; କେବଳ ଜରୁରୀ ସେବାକୁ ମିଳିଛି ଅନୁମତି

ସେପଟେ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୦ ଲକ୍ଷ ଟପିଲା

176

କନକ ବ୍ୟୁରୋ: କରୋନା ସଂକ୍ରମଣର ଦ୍ୱିତୀୟ ୱେଭର ଚେନକୁ ଭାଙ୍ଗିବା ପାଇଁ ଦକ୍ଷିଣ ଅଷ୍ଟ୍ରେଲିଆରେ ୬ ଦିନିଆ ଲକଡାଉନ ଲାଗୁ ହୋଇଛି । ଏହି କଟକଣା ବୁଧବାର ମଧ୍ୟରାତ୍ରରୁ ଲାଗୁ ହୋଇଛି । ଏହି ସମୟରେ କେବଳ ଜରୁରୀ ସେବା ଯୋଗାଉଥିବା କର୍ମଚାରୀଙ୍କୁ ଯାଆସ କରିବାକୁ ଅନୁମତି ଦିଆଯାଇଛି । ସ୍କୁଲ ଓ ବିଶ୍ୱବିଦ୍ୟାଳୟ ବନ୍ଦ ରହିଛି । ସେହିପରି ପବ୍ ,କାଫେ ଓ ଫୁଡ୍ କୋର୍ଟ ବନ୍ଦ ରହିଛି । ଏହି ସମୟରେ ଶବ ଶୋଭା ଯାତ୍ରା ଓ ବିବାହ ଭୋଜି ଆୟୋଜନ ହୋଇ ପାରିବ ନାହିଁ । ଏହି ୬ ଦିନ ଲୋକମାନଙ୍କୁ ଘରେ ରହିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି । କରୋନା ସଂକ୍ରମଣ ଦୃତ ଗତିରେ ବୃଦ୍ଧି ପାଉଥିବାରୁ ଏଭଳି ନିଷ୍ପତି ନେଇଛି ସ୍ଥାନୀୟ ପ୍ରଶାସନ ।

ସେପଟେ, ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୦ ଲକ୍ଷ ଟପି ଯାଇଛି । ଆମେରିକା ପରେ ଦ୍ୱିତୀୟ ଦେଶ ଭାବେ ଏହି ଅଲୋଡା ରେକର୍ଡ କରିଛି ଭାରତ । ବୁଧବାର ଦେଶରେ ୪୬ ହଜାର ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ଏହି ସଂଖ୍ୟା ଅତିକ୍ରମ କରିଛି ଭାରତ । ନଭେମ୍ବର ମାସରେ ଆମେରିକାରେ ସର୍ବାଧିକ ୨୪ ଲକ୍ଷ ୮ହଜାର ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଭାରତରେ ୮ ଲକ୍ଷ ୨ ହଜାର ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ନଭେମ୍ବର ମାସରେ ଆମେରିକାରେ ସର୍ବାଧିକ ୨୦ ହଜାର ୮୨୯ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଫ୍ରାନ୍ସରେ ୧୦ ହଜାର ୧୩୩ ଜଣଙ୍କର ମୃତ୍ୟୁ ହୋଇଛି । ତେବେ ନଭେମ୍ବର ମାସରେ ସଂକ୍ରମଣ ହାର କମ୍ ରହିଛି । ସେପ୍ଟେମ୍ବର ମାସରେ ମାତ୍ର ୧୧ ଦିନରେ ୧୦ ଲକ୍ଷ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଶେଷ ୧୦ ଲକ୍ଷ ନୂଆ ରୋଗୀ ଚିହ୍ନଟ ପାଇଁ ୨୨ ଦିନ ସମୟ ଲାଗିଛି ।