ଏକା ସାଙ୍ଗରେ ୧୦ ଟି ପିଲା ଜନ୍ମକଲେ ଦକ୍ଷୀଣ ଆଫ୍ରିକାର ଏହି ମହିଳା । ଗୋଟିଏ ମାସରେ ଭାଙ୍ଗିଲେ ପୂର୍ବ ରେକର୍ଡ

3,173

କନକ ବ୍ୟୁରୋ : ଆପଣମାନେ ଆପଣଙ୍କ ପାଖ ପଡୋଶୀରେ ଯାଆଁଳା ଶିଶୁ ଜନ୍ମ ହେବା ଖବର କେବେ କେବେ ଶୁଣିଥିବେ । କେବେ କେବେ ଖବର କାଗଜ କିମ୍ବା ଇଲେକ୍ଟ୍ରୋନିକ୍ସ ଗଣମାଧ୍ୟମ ମାଧ୍ୟମରେ କେହି କେହି ମହିଳା ୩ ଟି ଶିଶୁ ଜନ୍ମ ଦେବା ଖବର ବି ଆପଣଙ୍କୁ ନଜରକୁ ଆସିଥିବ । ହେଲେ ଆପଣ କେବେ ଶୁଣିଛନ୍ତି କି କୌଣସି ମହିଳା ଏକାସାଙ୍ଗରେ ୧୦ ଟି ଶିଶୁ ଜନ୍ମ ଦେବାର ?

ଦକ୍ଷୀଣ ଆଫ୍ରିକାରୁ ଆସିଛି ଏଭଳି ଆଶ୍ଚର୍ଯ୍ୟଜନକ ଖବର । ଖବର ମୁତାବକ ମହିଳା ଜଣଙ୍କ ଏକାସାଙ୍ଗରେ ପିଲା ଜନ୍ମ କରିବାରେ ବିଶ୍ୱରେ ଥିବା ସମସ୍ତ ରେକର୍ଡ ଭାଙ୍ଗି ଦେଇଛନ୍ତି । ସୂଚନା ମୁତାବକ ଦକ୍ଷୀଣ ଆଫ୍ରିକାର ଗୋଷିୟାମୀ ଥମରା ସିଥୋଲେ ନାମକ ଏହି ମହିଳା ଜଣଙ୍କ ଏକା ସାଙ୍ଗରେ ୧୦ ଟି ପିଲା ଜନ୍ମ ଦେଇଛନ୍ତି ।

ଗଣମାଧ୍ୟମର ସୂଚନା ମୁତାବକ ୩୭ ବର୍ଷିୟ ଏହି ମହିଳା ଏକା ସାଙ୍ଗରେ ୭ ଟି ପୁଅ ଓ ୩ ଟି ଝିଅ ଜନ୍ମ ଦେଇଛନ୍ତି । ମହିଳା ଜଣଙ୍କ ଗର୍ଭବତୀ ଥିବା ବେଳେ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଥିଲେ କି ମହିଳା ଜଣଙ୍କ ଗର୍ଭରେ ୬ ଟି ଶିଶୁ ଅଛନ୍ତି । ହେଲେ ଜୁନ ୭ ତାରିଖରେ ମହିଳାଙ୍କୁୂ ଅପରେଶନ କରାଯାଇ ତାଙ୍କ ପେଟରୁ ୧୦ ଟି ଶିଶୁ ବାହାର କରାଯାଇଛି    । ଏନେଇ ଗୋଷିୟାମୀ କହିଛନ୍ତି କି ତାଙ୍କ ସ୍ୱାମୀ ଅନୁମାନ କରୁଥିଲେ କି ସେ ୮ ଟି ପିଲା ଜନ୍ମ ଦେବେ । ଅନ୍ୟପଟେ ଏକା ସାଙ୍ଗରେ ୧୦ ଟି ପିଲା ଜନ୍ମ ହୋଇଥିଲେ ବି ସମସ୍ତ ଶିଶୁ ସୁସ୍ଥ ଥିବା ଦେଖି ଗୋଷିୟାମୀଙ୍କ ପରିବାର ଲୋକେ ଖୁସି ଅଛନ୍ତି ।

ମିଡିଆ ସୂଚନା ମୁତାବକ ଗୋଷିୟାମୀଙ୍କର ୧୦ ଟି ଯାକ ପିଲା ସୁସ୍ଥ ଅଛନ୍ତି । ହେଲେ ଡାକ୍ତର ପିଲାମାନଙ୍କୁ କିଛି ଦିନ ଇନକ୍ୟୁଭେଟର୍ସରେ ରଖିବାକୁ ପରାମର୍ଶ ଦେଇଛନ୍ତି । ଅନ୍ୟପଟେ ଡାକ୍ତରମାନେ କହିଛନ୍ତି କି ଗୋଷିୟାମୀ ପ୍ରାକୃତିକ ପଦ୍ଧତିରେ ଗର୍ଭବତୀ ହୋଇଥିଲେ ।

କହିରଖୁ କି ଗୋଷିୟାମୀଙ୍କ ପୂର୍ବରୁ ମୋରକ୍କୋ ମାଲୀର ହଲିମା ସିସି ନାମକ ଜଣେ ମହିଳା ଏକାସାଙ୍ଗରେ ୯ ଟି ଶିଶୁ ଜନ୍ମ ଦେଇଥିଲେ । ସେମାନଙ୍କ ମଧ୍ୟରୁ ୫ ଟି ଝିଅ ଓ ୪ ଟି ପୁଅ ଥିଲେ । ହେଲେ ଗୋଟିଏ ମାସ ଭିତରେ ହଲୀମାଙ୍କ ରେକର୍ଡ ଭାଙ୍ଗିଦେଇଛନ୍ତି ଗୋଷିୟାମୀ ।