ନିଜ ଦେଶର ଲିଗରେ ବିକ୍ରି ହେଲେନି ଦକ୍ଷିଣ ଆଫ୍ରିକା କ୍ୟାପଟେନ: କେହି ଡାକିଲେନି ନିଲାମ

184

କନକ ବ୍ୟୁରୋ: ଦକ୍ଷିଣ ଆଫ୍ରିକା ଟି-୨୦ ଲିଗ ପାଇଁ ସୋମବାର ମେଗା ଅକ୍ସନ ଆୟୋଜନ ହୋଇଥିଲା । ଯୁବ ଖେଳାଳି ଟ୍ରିଷ୍ଟନ ଷ୍ଟବ୍ସ ଏହି ନିଲାମୀରେ ସବୁଠାରୁ ମହଙ୍ଗା ଖେଳାଳି ହୋଇଛନ୍ତି । ସେ ୪ କୋଟି ଟଙ୍କାରେ ବିକ୍ରି ହୋଇଛନ୍ତି । ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଦକ୍ଷିଣ ଆଫ୍ରିକା ଟି-୨୦ ବିଶ୍ୱକପର ଅଧିନାୟକ ତେମ୍ବା ବାବୁମାଙ୍କୁ କୌଣସି ବି ଦଳ କିଣିନାହାନ୍ତି ।

ଦକ୍ଷିଣ ଆଫ୍ରିକା ଟି-୨୦ ଲିଗରେ ମୋଟ ୬ ଟିମ ଭାଗ ନେଉଛନ୍ତି । ସବୁ ଟିମର ମାଲିକ କୌଣସି ଭାରତୀୟ ହିଁ ଅଛନ୍ତି ଆଉ ସମସ୍ତେ ଆଇପିଏଲ ସହ ଜଡିତ ଅଛନ୍ତି । ହେଲେ ଏହି ଲିଗରେ ଭାରତୀୟ ଖେଳାଳି ଭାଗ ନେଇନାହାନ୍ତି । ଏହି ଲିଗରେ ଦକ୍ଷିଣ ଆଫ୍ରିକାର ଟ୍ରିଷ୍ଟନ ଷ୍ଟବ୍ସ, ରିଲେ ରାସୋ ଓ ମାର୍କୋ ୟେନସନ ଭଳି ଖେଳାଳି ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି ।

ହେଲେ ତେମ୍ବା ବାବୁମା, ଡିନ ଏଲଗାର ଓ ଏଣ୍ଡି ଫେଲୁକବାୟୋଙ୍କ ଭଳି ସିନିୟର ଖେଳାଳିଙ୍କୁ କୌଣସି ଦଳ କିଣିନାହାନ୍ତି । ଏଥି ମଧ୍ୟରୁ ୨ ଖେଳାଳି ବର୍ତ୍ତମାନ ସମୟରେ ଦଳର କ୍ୟାପଟେନ ମଧ୍ୟ ରହିଛନ୍ତି । ଏଲଗାର ଦକ୍ଷିଣ ଆଫ୍ରିକା ଦଳର ଟେଷ୍ଟ କ୍ୟାପଟେନ ରହିଥିବା ବେଳେ ତେମ୍ବା ବାବୁମା ଦିନିକିଆ ଓ ଟି-୨୦ ଦଳର ଅଧିନାୟକ ରହିଛନ୍ତି ।