ଟେଷ୍ଟ ପରେ ଦିନିକିଆ ସିରିଜ ମଧ୍ୟ ହାରିଲା ଟିମ୍ ଇଣ୍ଡିଆ । ଦ୍ୱିତୀୟ ଦିନିକିଆରେ ପରାଜୟ ସହ ସିରିଜ୍ ହାରିଲା ରାହୁଲ ବାହିନୀ ।

113

କନକ ବ୍ୟୁରୋ : ଟେଷ୍ଟ ପରେ ଦିନିକିଆ ସିରିଜ ମଧ୍ୟ ହାରିଲା ଟିମ୍ ଇଣ୍ଡିଆ । ଶୁକ୍ରବାର ଦ୍ୱିତୀୟ ଦିନିକିଆରେ ଦକ୍ଷିଣ ଆଫ୍ରିକାଠାରୁ ପରାଜୟ ଭୋଗିଛି ରାହୁଲ ବାହିନୀ । ତେବେ ପାର୍ଲଠାରେ ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ୨ୟ ଦିନିକିଆରେ ଦକ୍ଷିଣ ଆଫ୍ରିକା ଭାରତକୁ ୭ ଓ୍ବିକେଟର ପରାସ୍ତ କରିଛି । ଏହି ବିଜୟ ସହ ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜରେ ୨-୦ରେ ଆଗୁଆ ରହିବା ସହିତ ଗୋଟିଏ ମ୍ୟାଚ୍ ପୂର୍ବରୁ ସିରିଜକୁ କବଜା କରିଛି ।

ଶୁକ୍ରବାର ଭାରତ ପକ୍ଷରୁ ବିଜୟ ପାଇଁ ୨୮୮ ରନ୍ ଲକ୍ଷ୍ୟ ରଖାଯାଇଥିବାବେଳେ ଦକ୍ଷିଣ ଆଫ୍ରିକା ୪୮.୧ ଓଭରରେ ମାତ୍ର ୩ ଓ୍ବିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା । ଦଳ ପକ୍ଷରୁ ଦୁଇ ଓପନର ଜାନେମନ ମଲାନ ଓ କ୍ବିଣ୍ଟନ ଡିକକ୍ ପ୍ରଥମ ଓ୍ବିକେଟରେ ୧୩୨ ରନ କରି ଦଳର ବିଜୟ ପାଇଁ ଏକ ଦୃଢ ମୂଳଦୁଆ ପକାଇଥିଲେ । ମଲାନ ୯୧ ରନ ଓ ଡିକକ୍ ୭୮ ରନ କରିଥିଲେ । ଅଧିନାୟକ ଟେମ୍ବା ବାଭୁମା ୩୫, ଆଇଡେନ ମାର୍କରାମ ୩୭ ଓ ରାସି ଭାନ ଡର ଡୁସେନ ୩୭ ରନ କରିଥିଲେ ।

ତେବେ ଏହା ପୂର୍ବରୁ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୬ ଓ୍ବିକେଟ ହରାଇ ୨୮୭ ରନ କରିଥିଲା । ଭାରତର ଦୁଇ ଓପନର ଶିଖର ଧଓ୍ବନ ଓ କେଏଲ ରାହୁଲ ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ । ରାହୁଲ ୫୫ରନ କରିଥିବାବେଳେ ଧଓ୍ବନ ୨୯ ରନ କରିଥିଲେ । ମାତ୍ର ବିରାଟ କୋହଲି ଖାତା ଖୋଲିବା ପୂର୍ବରୁ ମହାରାଜଙ୍କ ବଲରେ ଆଉଟ ହୋଇଥିଲେ । ଏହାପରେ ଋଷଭ ପନ୍ତ ୭୧ଟି ବଲରେ ୮୫ରନର ଏକ ବଡ଼ ପାଳି ଖେଳିଥିଲେ । ଶେଷ ବେଳକୁ ଅଲରାଉଣ୍ଡର ଶାର୍ଦ୍ଦୁଲ ଠାକୁଲ ପୁଣି ବ୍ୟାଟିଂରେ ନିଜର କମାଲ ଦେଖାଇଥିଲେ । ସେ ୪୦ ରନ କରିଥିଲେ । ଦକ୍ଷିଣ ଆଫ୍ରିକା ପକ୍ଷରୁ ସିସାନ୍ଦା ମାଗଲା, ଆଇଡେନ ମାର୍କରାମ, କେଶବ ମହାରାଜ, ଆଣ୍ଡିଲ ଫେଲୁକାଓ୍ବୋ ଗୋଟିଏ ଲେଖାଏଁ ଓ୍ବିକେଟ ଓ ତବରେଜ ସାମସି ୨ଟି ଓ୍ବିକେଟ ନେଇଥିଲେ ।