କନକ ବ୍ୟୁରୋ: ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟ ମ୍ୟାଚ । ଏହି ମ୍ୟାଚରେ ବାଜି ମାରିନେଇଛି ଦକ୍ଷିଣ ଆଫ୍ରିକା । ଭାରତକୁ ଏହି ମ୍ୟାଚରେ ୭ ୱିକେଟରେ ପରାସ୍ତ କରିଛି ଦକ୍ଷିଣ ଆଫ୍ରିକା । ଫଳରେ ଏବେ ଏହି ସିରିଜ ୨-୨ରେ ବରାବର ହୋଇଛି । ତୃତୀୟ ଟେଷ୍ଟ ବେଶ ରୋମାଞ୍ଚକର ରହିବ । କାରଣ ଯିଏ ଏହି ଟେଷ୍ଟ ଜିତିବ ସେ ସିରିଜ ହାତେଇବ ।
ଏହି ମ୍ୟାଚରେ ଭାରତ ପ୍ରଥମେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଭାରତ ବିଫଳ ହୋଇଥିଲା । ଭାରତ ପକ୍ଷରୁ କେବଳ ରାହୁଲ ଅର୍ଦ୍ଧଶତକ ହାସଲ କରିଥିଲେ । ସେହିପରି ଅଶ୍ୱିନୀ ୪୬, ମୟଙ୍କ ଅଗ୍ରୱାଲ ୨୬, ହନୁମା ବିହାରୀ ୨୦ କରିଥିଲେ । ଫଳରେ ଦଳ ୨୦୨ରନରେ ଅଲ ଆଉଟ ହୋଇଯାଇଥିଲା ।
ସେହିପରି ଦକ୍ଷିଣ ଆଫ୍ରିକା ତାର ପ୍ରଥମ ଇଂନିସରେ ମଧ୍ୟ ସ୍କୋର କରିପାରିନଥିଲା । ଦଳ ପକ୍ଷରୁ କିଗାନ ପିଟିରସେନ ୬୨, ବାଭୁମା ୫୧ ଓ ଡିନ ଏଲଗାର ୨୮ ରନ କରିଥିଲେ ମଧ୍ୟ ଦଳ ବିଫଳ ହୋଇଥିଲା । ଦଳ ମାତ୍ର ୨୨୯ ରନ କରି ଅଲଆଉଟ ହୋଇଯାଇଥିଲା । ଏହି ମ୍ୟାଚରେ ଭାରତ ପକ୍ଷରୁ ସାର୍ଦ୍ଦୁଲ ଠାକୁର ୭ ୱିକେଟ ନେଇଥିଲେ ।
ପରେ ଭାରତ ପୁଣି ଦ୍ୱିତୀୟ ଇଂନିସରେ ବିଫଳ ହୋଇଥିଲା । ଭାରତ ମାତ୍ର ୨୬୬ ରନରେ ଅଲ ଆଉଟ ହୋଇଯାଇଥିଲା । ଭାରତ ପକ୍ଷରୁ ରାହାଣେ ୫୮, ପୂଜାରା ୫୩, ହନୁମା ବିହାରୀ ୪୦ ରନ କରିଥିଲେ । ଫଳରେ ଭାରତ ୨୬୬ ରନ କରିଥିଲା । ହେଲେ ଦକ୍ଷିଣ ଆଫ୍ରିକା ଲଢୁଆ ବ୍ୟାଟିଂ କରି ଏହି ମ୍ୟାଚକୁ ଜିତିନେଇଥିଲା ।