ଏହି ଦେଶରେ ଗୋଟିଏ ଦିନରେ ଦୁଇଗୁଣା ବଢିଲା କରୋନାର ଓମିକ୍ରନ ଭାରିଆଣ୍ଟ ମାମଲା, ସରକାର ଲଗାଇଦେଲେ ଲକଡାଉନ

118

କନକ ବ୍ୟୁରୋ : ଦକ୍ଷୀଣ ଆଫ୍ରିକାର ଚିହ୍ନଟ ହୋଇଥିବା କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଏବେ ସାରା ବିଶ୍ୱକୁ ବିପଦ ଦେଖାଦେଇଛି । ଏହାସହ କରୋନାର ଏହି ନୂଆ ଭାରିଆଣ୍ଟ ଏବେ ସାରା ବିଶ୍ୱକୁ ତୀବ୍ରଗତିରେ ମାଡି ଚାଲିଛି । ହେଲେ ଓମିକ୍ରନ ଭାରିଆଣ୍ଟକୁ ନେଇ ସବୁଠାରୁ ଦକ୍ଷୀଣ ଅଫ୍ରିକାର ସ୍ଥିତି ଖରାପ ରହିଛି । ଏଠାରେ ଗୋଟିଏ ଦିନରେ ଦୁଇଗୁଣା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଦକ୍ଷୀଣ ଆଫ୍ରିକା ସରକାର ଓମିକ୍ରନର ଭୟାବହତାକୁ ନଜରରେ ରଖି ଦେଶରେ ପ୍ରଥମ ସ୍ତରରେ ଲକଡାଉନ ଘୋଷଣା କରିଛନ୍ତି । ସଂକ୍ରମଣ କମାଇବା ପାଇଁ ସରକାର ସମସ୍ତ ବଜାର ବନ୍ଦ କରିବା ସହ ଲୋକମାନଙ୍କୁ ବାହାରକୁ ନବାହରିବାକୁ ନିବେଦନ କରିଛନ୍ତି ।
ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ଦକ୍ଷୀଣ ଆଫ୍ରିକାରେ ମୋଟ ୫ ଟି ଶ୍ରେଣୀର ଲକଡାଉନ ଲଗାଇବାକୁ ସରକାର ଯୋଜନା କରୁଛନ୍ତି । ୫ମ ପର୍ଯ୍ୟାୟ ଲକଡାଉନକୁ ସବୁଠାରୁ କଠିନ ବୋଲି କୁହାଯାଉଛି । ହେଲେ ଏବେ ଦକ୍ଷୀଣ ଆଫ୍ରିକାରେ ପ୍ରଥମ ପର୍ଯ୍ୟାୟ ଲକଡାଉନ ଲଗାଯାଇଛି । ଏହି ଲକଡାଉନ ପରେ ପୁରା ଦେଶରେ ବ୍ୟବସାୟ ଠପ୍ ହୋଇଯାଇଛି ।

ଦକ୍ଷୀଣ ଆଫ୍ରିକାରେ କରୋନା ଭୂତାଣୁର ନୂଆ ଭାରିଆଣ୍ଟ ଓମିକ୍ରନ ଡିସେମ୍ବର ୨୪ ତାରିଖରେ ଚିହ୍ନଟ ହୋଇଥିଲା । ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସଜାଗ ରହିଥିଲେ ବି ଏହାପରେ ଲାଗତର ଭାବେ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ପୂର୍ବ ୨୪ ଘଂଟା ମଧ୍ୟରେ ଦକ୍ଷୀଣ ଆଫ୍ରିକାରେ ମୋଟ ୧୧,୫୩୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ହେଲେ ସବୁଠାରୁ ବଡକଥା କି ଡିସେମ୍ବର ୨ ତାରିଖ ରିପୋର୍ଟରେ ଦକ୍ଷୀଣ ଆଫ୍ରିକାରେ ଦୈନିକ ସଂକ୍ରମଣ ଥିଲା ୮,୫୬୧ । ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ଏବେ ଦକ୍ଷୀଣ ଆଫ୍ରିକାରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୯,୮୮,୧୪୮ ହୋଇଥିବା ବେଳେ କରୋନା ସଂକ୍ରମଣରେ ୮୯,୯୧୫ ଜଣ ଲୋକଙ୍କର ମୃତ୍ୟୁ ହୋଇଛି ।