ବିଶ୍ୱକୁ ଡରାଉଛି ଆଫ୍ରିକାର ଏହି ଅଞ୍ଚଳ । ୯୦ ପ୍ରତିଶତ କରୋନା ରୋଗୀ ଓମିକ୍ରନ ଭାରିଆଣ୍ଟରେ ସଂକ୍ରମିତ!

172

କନକ ବ୍ୟୁରୋ: ପ୍ରାୟ ଦୁଇ ବର୍ଷ ହେଲା କରୋନା ମହାମାରୀ ପ୍ରଭାବରେ ଦହଗଞ୍ଜ ହେଉଛନ୍ତି ବିଶ୍ୱବାସୀ । ଲକଡାଉନ୍, ଆଇସୋଲେସନ ଆଉ ସଂକ୍ରମଣ ଭିତରେ ଲୋକଙ୍କ ପ୍ରତିଟି ସମୟ ବିତୁଥିବାବେଳେ ଏବେ ନୂଆ ଭାରିଆଣ୍ଟ ସମସ୍ତଙ୍କ ଚିନ୍ତାକୁ ଆହୁରି ବଢାଇ ଦେଇଛି । କରୋନା ଭାଇରସର ନୂଆ ଭାରିଆଣ୍ଟ ଓମିକ୍ରନ୍ ଏବେ ଚାରିଆଡେ ବ୍ୟାପୁଥିବାବେଳେ ଏହାକୁ ନେଇ ଏବେ ସମସ୍ତେ ଚିନ୍ତିତ । ଦକ୍ଷିଣ ଆଫ୍ରିକାରୁ ସୃଷ୍ଟି ହୋଇଥିବା ଏହି ନୂଆ ଭୂତାଣୁ ଏବେ ବିଶ୍ୱର ଅନ୍ୟ ଦେଶକୁ ମଧ୍ୟ ବ୍ୟାପିବାରେ ଲାଗିଛି ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଦକ୍ଷିଣ ଆଫ୍ରିକାର ଏମିତି ଏକ ସ୍ଥାନ ରହିଛି, ଯେଉଁଠିକାର ୯୦ ପ୍ରତିଶତ କରୋନା ରୋଗୀ ଏବେ ନୂଆ ଭାରିଆଣ୍ଟ ଦ୍ୱାରା ସଂକ୍ରମିତ ବୋଲି ଜଣାପଡିଛି । ଦକ୍ଷିଣ ଆଫ୍ରିକାର ନବମ ପ୍ରୋଭିନ୍ସ ଭାବେ ଜଣାଶୁଣା ଗୋତଙ୍ଗେ ହେଉଛି ସେହି ସ୍ଥାନ ଯେଉଁଠି ଅଧିକାଂଶ କରୋନା ରୋଗୀ ଏହି ନୂଆ ଭାଇରସ୍ ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡିଛି । ସଂକ୍ରମଣ ଏତେ ଦ୍ରୁତ ଗତିରେ ବ୍ୟାପିଛି ଯେ, ସେଠାରେ ଲକଡାଉନ୍ ଲଗାଇବା ଭଳି ସ୍ଥିତି ଉପୁଜିଗଲାଣି । ବିଶ୍ୱବିଦ୍ୟାଳୟ ଓ କଲେଜକୁ ସେଠାରେ ବନ୍ଦ କରି ଦିଆଯାଇଥିବାବେଳେ, ପରୀକ୍ଷାକୁ ମଧ୍ୟ ବାତିଲ କରି ଦିଆଯାଇଛି । ସେଠାରେ ସମସ୍ତ ଲୋକଙ୍କୁ ଏବେ ଟେଷ୍ଟ କରାଯାଉଥିବାବେଳେ, ସେଠାରୁ ବିଶ୍ୱର ଅନ୍ୟ ଦେଶକୁ ବିମାନ ଉଡାଣ ମଧ୍ୟ ବାତିଲ କରିଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ଦକ୍ଷିଣ ଆଫ୍ରିକାରେ ଯୁବବର୍ଗଙ୍କ ଟିକାକରଣ ନିରାଶାଜନକ ରହିଛି । ୧୮ ବର୍ଷରୁ ୩୪ ବର୍ଷ ବୟସ୍କ ଲୋକଙ୍କର କେବଳ ୨୨ ପ୍ରତିଶତ ଟିକାକରଣ ଶେଷ ହୋଇଥିବାବେଳେ ଅନେକ ଲୋକ ଏବେ ବି ଟିକା ନେଇନାହାଁନ୍ତି । ସେଠାକାର ଜଣେ ଯୁବକଙ୍କ କହିବା ଅନୁସାରେ, ତାଙ୍କ ସାଙ୍ଗଙ୍କ ଭିତରୁ ଏବେ ବି ଅନେକ ସାଙ୍ଗ ଏବେ ବି ଟିକା ନେଇନାହାଁନ୍ତି । ଏବେ ପ୍ରତିଦିନ ଅନେକ ଲୋକ କରୋନାରେ ସଂକ୍ରମିତ ହେଉଥିବା ମଧ୍ୟ ସେ ସୂଚନା ଦେଇଛନ୍ତି । ଅନ୍ୟପଟେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର କହିବା ମୁତାବକ, ନୂଆ ଭାରିଆଣ୍ଟକୁ ନେଇ ଏବେ କିଛି ବି ସ୍ପଷ୍ଟ ହୋଇନି । ଏହା ଅଧିକ ଲୋକଙ୍କୁ ସଂକ୍ରମିତ କରୁଛି କି ନାହିଁ ତା ମଧ୍ୟ ପ୍ରମାଣିତ ହୋଇନି । ତା ସହିତ ଓମିକ୍ରନ ଭାରିଆଣ୍ଟ ବିପକ୍ଷରେ ଟିକା କେତେଦୂର ପ୍ରଭାବିତ ହେବ ତା ମଧ୍ୟ ହୁ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ରଖାଯାଇନି । ଏପରି ସ୍ଥଳେ ଲୋକଙ୍କୁ କେବଳ ସତର୍କ ରହିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପରାମର୍ଶ ଦେଇଛି ।

ସୂଚନାନୁସାରେ, ଦକ୍ଷିଣ ଆଫ୍ରିକାର ନବମ ପ୍ରୋଭିନ୍ସ ହେଉଛି ଗୌତେଙ୍ଗ୍ । ଏହାର ଜନସଂଖ୍ୟା ପ୍ରାୟ ଏକ କୋଟି ୨୫ ଲକ୍ଷ ହୋଇଥିବାବେଳେ, ବିଶ୍ୱର ଏକ ଜନବହୁଳ ଅଞ୍ଚଳ ଭାବେ ଏହା ପରିଚିତ । ଏହାକୁ ଲ୍ୟାଣ୍ଡ ଅଫ୍ ଗୋଲ୍ଡ ଭାବେ ମଧ୍ୟ ଅନେକ ଲୋକ ଜାଣିଥାନ୍ତି । ଏହାର ସୀମା ସୁନା ଖଣିକୁ ଲାଗିଥିବାବେଳେ, ବିଶ୍ୱର ଅନେକ ଧନୀଲୋକ ବ୍ୟବସାୟ ପାଇଁ ଏଠାକୁ ଆସିଥାନ୍ତି ।