ଚିହ୍ନଟ ହେଲା କରୋନା ଭୂତାଣୁର ନୂଆ ରୂପ । ବାରମ୍ବାର ମ୍ୟୁଟେସନ ପରେ ଆସିଛି କରୋନାର ନୂଆ ଭ୍ୟାରିଆଣ୍ଟ ।

1,173

କନକ ବ୍ୟୁରୋ : ଦକ୍ଷିଣ ଆଫ୍ରିକାରେ କରୋନାର ନୂଆ ଭ୍ୟାରିଆଣ୍ଟ ଚିହ୍ନଟ ହେବା ପୁଣିଥରେ ଚିନ୍ତା ବଢ଼ାଇଛି । ସବୁଠୁ ଉଦବେଗ ଜନକ କଥା ହେଉଛି ଭୂତାଣୁ ବହୁସଂଖ୍ୟାରେ ମ୍ୟୁଟେସନ କରିବା ପରେ ଏହି ନୂଆ ଭ୍ୟାରିଆଣ୍ଟ ସୃଷ୍ଟି ହୋଇଛି । ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିବା ଏହି ନୂଆ ଭ୍ୟାରିଆଣ୍ଟର ନାଁ ହେଉଛି ବି-ୱାନ. ୱାନ-ଫାଇଭ-ଟୁ-ନାଇନ୍ । ଅସ୍ୱାଭାବିକ ଭାବେ ଅନେକ ମ୍ୟୁଟେସନ୍ ହୋଇ ଏହି ଭ୍ୟାରିଆଣ୍ଟ ସୃଷ୍ଟି ହୋଇଥିବାରୁ ସମସ୍ତଙ୍କ ଚିନ୍ତା ବଢ଼ିଯାଇଛି ।

କରୋନାର ଏହି ନୂଆ ରୂପ ସାମ୍ନାକୁ ଆସିବା ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅଧିକାରୀମାନେ ଆଜି ବୈଠକ କରିଛନ୍ତି । ତେବେ ଏହା କେତେ ସଂକ୍ରମକ, ଏ ନେଇ ସବିଶେଷ ତଥ୍ୟ ମିଳି ପାରିନାହିଁ । ଦକ୍ଷିଣ ଆଫ୍ରିକାରେ ଗତ କିଛି ଦିନ ଧରି ହଠାତ୍ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଯାଇଛି । ଗତ ୨୨ ତାରିଖରେ ୩୧୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୪ ତାରିଖରେ ଦୈନିକ ସଂକ୍ରମଣ ୧୨୭୫ରେ ପହଞ୍ଚିଛି । କେଉଁ କାରଣରୁ ସଂକ୍ରମଣ ବଢ଼ୁଛି, ଏ ନେଇ ଅନୁଧ୍ୟାନ ଚାଲିଥିବା ବେଳେ ୨୨ ଜଣ ଆକ୍ରାନ୍ତଙ୍କ ଦେହରେ କରୋନାର ନୂଆ ଭ୍ୟାରିଆଣ୍ଟ ଚିହ୍ନଟ ହେବା ପରେ ଦକ୍ଷିଣ ଆଫ୍ରିକାରେ ପୁଣିଥରେ ମହାମାରୀ ଭୟ ବଢ଼ିଯାଇଛି ।