ଚିହ୍ନଟ ହେଲା କରୋନା ଭୂତାଣୁର ନୂଆ ରୂପ : ବାରମ୍ବାର ମ୍ୟୁଟେସନ ପରେ ଆସିଛି କରୋନାର ନୂଆ ଭ୍ୟାରିଆଣ୍ଟ, ୨୨ ମାମଲା ଚିହ୍ନଟ

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବୈଠକ; ନୂଆ ଭୂତାଣୁ କେତେ ସଂକ୍ରାମକ ଚାଲିଛି ଗବେଷଣା

165

କନକ ବ୍ୟୁରୋ : ଦକ୍ଷିଣ ଆଫ୍ରିକାରେ କରୋନାର ନୂଆ ଭ୍ୟାରିଆଣ୍ଟ ଚିହ୍ନଟ ହେବା ପୁଣିଥରେ ଚିନ୍ତା ବଢ଼ାଇଛି । ସବୁଠୁ ଉଦବେଗ ଜନକ କଥା ହେଉଛି ଭୂତାଣୁ ବହୁସଂଖ୍ୟାରେ ମ୍ୟୁଟେସନ କରିବା ପରେ ଏହି ନୂଆ ଭ୍ୟାରିଆଣ୍ଟ ସୃଷ୍ଟି ହୋଇଛି । ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିବା ଏହି ନୂଆ ଭ୍ୟାରିଆଂଟର ନାଁ ହେଉଛି ବି-ୱାନ. ୱାନ-ଫାଇଭ-ଟୁ-ନାଇନ୍ । ଅସ୍ୱାଭାବିକ ଭାବେ ଅନେକ ମ୍ୟୁଟେସନ୍ ହୋଇ ଏହି ଭ୍ୟାରିଆଣ୍ଟ ସୃଷ୍ଟି ହୋଇଥିବାରୁ ସମସ୍ତଙ୍କ ଚିନ୍ତା ବଢ଼ିଯାଇଛି ।

କରୋନାର ଏହି ନୂଆ ରୂପ ସାମନାକୁ ଆସିବା ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅଧିକାରୀମାନେ ବୈଠକ କରିଛନ୍ତି । ତେବେ ଏହା କେତେ ସଂକ୍ରମକ, ଏ ନେଇ ସବିଶେଷ ତଥ୍ୟ ମିଳି ପାରିନାହିଁ । ନୂଆ ଭ୍ୟାରିଆଣ୍ଟ ଚିହ୍ନଟ ହେବା ପରେ ଭାରତ ମଧ୍ୟ କଡା ଆଭିମୁଖ୍ୟ ଗ୍ରହଣ କରିଛି । ଦକ୍ଷିଣ ଆଫ୍ରିକା, ହଂକଂ ଓ ବୋତସ୍ୱାନା ଦେଶରୁ ଆସୁଥିବା ଯାତ୍ରୀଙ୍କର ସ୍କ୍ରିନିଂକୁ କଡାକଡା କରାଯାଇଛି । ଏହି ସବୁ ଦେଶରୁ ଆସିଥିବା ଯାତ୍ରୀଙ୍କ କରୋନା ପରୀକ୍ଷା ହେବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି । ଯେଉଁମାନେ ପଜିଟିଭି ଚିହ୍ନଟ ହେବେ ସେମାନଙ୍କ ଜେନୋମ ସିକ୍ୱୁଏନ୍ସି ପରୀକ୍ଷା ପାଇଁ ତୁରନ୍ତ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏମିତିକି ଏହି ଯାତ୍ରୀଙ୍କର କଂଟାକ୍ସ ଟ୍ରେସିଂ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସରକାରା ଦକ୍ଷିଣ ଆଫ୍ରିକାରେ ଗତ କିଛି ଦିନ ଧରି ହଠାତ୍ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଯାଇଛି । ଗତ ୨୨ ତାରିଖରେ ୩୧୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୪ ତାରିଖରେ ଦୈନିକ ସଂକ୍ରମଣ ୧୨୭୫ରେ ପହଁଚିଛି । କେଉଁ କାରଣରୁ ସଂକ୍ରମଣ ବଢ଼ୁଛି, ଏ ନେଇ ଅନୁଧ୍ୟାନ ଚାଲିଥିବା ବେଳେ ୨୨ ଜଣ ଆକ୍ରାନ୍ତଙ୍କ ଦେହରେ କରୋନାର ନୂଆ ଭ୍ୟାରିଆଂଟ ଚିହ୍ନଟ ହେବା ପରେ ଦକ୍ଷିଣ ଆଫ୍ରିକାରେ ପୁଣିଥରେ ମହାମାରୀ ଭୟ ବଢ଼ିଯାଇଛି ।